Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ରାଉରକେଲାରେ ଆରମ୍ଭ ହୋଇଛି ଦେଶର ବୃହତ ହକି ଷ୍ଟାଡିୟମର ନିର୍ମାଣ କାମ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋbirsa munda hockey stadium

  • ରାଉରକେଲାରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଭୂମି ପୂଜା
  • ବର୍ଷକ ମଧ୍ୟରେ ଶେଷ ହେବ କାମ
  • ଖର୍ଚ୍ଚ ହେବ ୧୩୦ କୋଟି

ରାଉରକେଲାର ବିପିୟୁଟି କ୍ୟାମ୍ପସ ପରିସରରେ ନିର୍ମାଣ ହେବାକୁ ଯାଉଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଭୂମିପୂଜା ହୋଇଛି। ଫଳରେ ସୁନ୍ଦରଗଡ଼ ଜିଲ୍ଲା ଏବଂ ଓଡ଼ିଶା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଏକ ନୂଆ ପରିଚୟ ଆଣିବାକୁ ଯାଉଥିବା ଏହି ଐତିହାସିକ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ କାମ ଶୁକ୍ରବାରଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି।ଏହି ଭୂମିପୂଜା କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ ଏବଂ ଇଡକୋ ରାଉରକେଲା ଡିଭିଜନ ମୁଖ୍ୟ ବିଜୟ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଏଠାରେ ୨୦୨୩ ପୁରୁଷ ହକି ବିଶ୍ୱକପ୍ ଖେଳାଯିବାକୁ ଥିବାରୁ ଏହି ଷ୍ଟାଡିୟମକୁ ରେକର୍ଡ ସମୟ ଭିତରେ ନିର୍ମାଣ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ଗତ ଫେବ୍ରୁଆରି ମାସରେ ରାଉରକେଲାଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ଏହି ଷ୍ଟାଡିୟମର ଶିଳାନ୍ୟାସ କରି ଏହାକୁ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରିଥିଲେ। ଏଠାରେ ଅନ୍ତର୍ଜାତୀୟ ହକି ଫେଡେରେସନ ମାନର ଆଷ୍ଟ୍ରୋଟର୍ଫ ପଡ଼ିଆ ହେବ। ଏକାସାଙ୍ଗେ ପ୍ରାୟ ୨୦ ହଜାର ଦର୍ଶକ ଷ୍ଟାଡିୟମରେ ବସି ଖେଳ ଉପଭୋଗ କରିପାରିବେ। ଏହା ସହିତ ଅଭ୍ୟାସ ପଡ଼ିଆ, ଅତ୍ୟାଧୁନିକ ଫିଟନେସ୍ ସେଣ୍ଟର, ଅତ୍ୟାଧୁନିକ ସ୍ପୋର୍ଟସ୍ ଲାଇଟ୍ ଏବଂ ପାର୍କିଂ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ।୨୦୧୮ରେ ପୁରୁଷ ହକି ବିଶ୍ୱକପର ଆୟୋଜକ ହୋଇ ଓଡ଼ିଶା ଅନ୍ତର୍ଜାତୀୟ ସ୍ତରରେ ନୂଆ ପରିଚୟ ସୃଷ୍ଟି କରିଥିଲା। ଏହା ଥିଲା ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଲାଗି ଦୂରଦୃଷ୍ଟିର ଏକ ଦୃଢ଼ ପରିପ୍ରକାଶ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ସଫଳତାର ସହ ଏହି ବିଶ୍ୱକପ ଆୟୋଜିତ ହୋଇଥିଲା। ପୁଣି ୨୦୨୩ରେ ପୁରୁଷ ହକି ବିଶ୍ୱକପର ଆୟୋଜକ ହୋଇଛି ଓଡ଼ିଶା। ଏଥର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାରେ ନିର୍ମାଣ ଆରମ୍ଭ ହୋଇଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଏହାର ମ୍ୟାଚ୍ ଖେଳାଯିବ।

ସୁନ୍ଦରଗଡ଼ ହକିର ଅନ୍ତୁଡ଼ିଶାଳ ଭାବେ ପରିଚିତ। ଏହି ଜିଲ୍ଲା ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ଖେଳାଳିଙ୍କୁ ପ୍ରସ୍ତୁତ କରିଛି। ସୁନ୍ଦରଗଡ଼ର ଆତ୍ମା ଭାବେ ପରିଚିତ ହକିର ପ୍ରସାର ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଉଛନ୍ତି। ଜିଲ୍ଲାର ଗ୍ରାମାଞ୍ଚଳରେ ହକିର ବିକାଶ ସହ ନୂଆ ପିଢ଼ିର ଖେଳାଳିଙ୍କୁ ତାଲିମ ଦେବା ପାଇଁ ସୁନ୍ଦରଗଡ଼ର ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଆଷ୍ଟ୍ରୋ ଟର୍ଫ ହକି ପଡ଼ିଆ କରାଯାଉଛି।

The post ରାଉରକେଲାରେ ଆରମ୍ଭ ହୋଇଛି ଦେଶର ବୃହତ ହକି ଷ୍ଟାଡିୟମର ନିର୍ମାଣ କାମ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images