ଓଡ଼ିଶାଲାଇଭ୍ ବ୍ୟୁରୋ![]()
ଶୀତଳଭଣ୍ଡାର ଅଭାବରୁ ଅନେକ ସମୟରେ ଆପଣ ଦେଖିଥିବେ ଯେ କୃଷକଙ୍କ ଉତ୍ପାଦନ ନଷ୍ଟ ହୋଇଯାଇଥାଏ। ବେଳେ ବେଳେ ଶୀତଳଭଣ୍ଡାରଠାରୁ ଦୂରରେ ଥିବାରୁ ଚାଷୀମାନେ ଏହାର ଉପଯୋଗ କରିପାରନ୍ତିନାହିଁ। ତେବେ ଚାଷୀଙ୍କର ଏହି ସମସ୍ୟାକୁ ଏବେ ଦୂର କରିବାକୁ ଉତ୍ତରପ୍ରଦେଶ ମୁରଦାବାଦର ଜଣେ ଇଞ୍ଜିନିୟର ଅମିତ ବର୍ମା ନେଇଛନ୍ତି ଏକ ନୂଆ ପଦକ୍ଷେପ। ସେ ତିଆରି କରୁଛନ୍ତି ଏକ ଭ୍ରାମ୍ୟମାଣ ଶୀତଳ ଭଣ୍ଡାର, ଯାହା ଚାଷୀଙ୍କ ଜମି ପାଖକୁ ଯାଇ ପନିପରିବା ସଂଗ୍ରହ କରିବା ସହିତ ତାକୁ ହାଟକୁ ପହଞ୍ଚାଇ ପାରିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରେ ୩ ମାସ ଯାଏଁ ପରିବା ସୁରକ୍ଷିତ ରହିପାରିବ। ଯେତେବେଳେ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳିବ ସେତେବେଳେ ସେମାନେ ନିଜ ଉତ୍ପାଦକୁ ବିକ୍ରି କରିପାରିବେ।
ଅମିତ ବର୍ମା ଏହି ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଦିଲ୍ଲୀରୁ ଏକ କଣ୍ଟେନର ଆଣିଛନ୍ତି। ଏହି କଣ୍ଟେନର ୨୦ ଫୁଟ ଲମ୍ବ ଓ ୮ ଫୁଟ ଚଉଡ଼ା କଣ୍ଟେନରକୁ ଏକ ଟ୍ରାକ୍ଟର ସହିତ ସଂଯୋଗ କରିଛନ୍ତି। ୧୦ ମାଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଏହି କୋଲ୍ଡ ଷ୍ଟୋରରେ ୮ କେଭିର ସୋଲା ପ୍ୟାନେଲ ଲାଗିବ।
ଅନ୍ୟ ଶୀତଳଭଣ୍ଡାରେ ୬ ମାସ ଯାଏଁ କୃଷିଜାତ ଦ୍ରବ୍ୟ ରହୁଥିଲା ବେଳେ ଏହି ମୋବାଇଲ କୋଲ୍ଡ ଷ୍ଟୋର ବା ଭ୍ରାମ୍ୟମାଣ ଶୀତଳଭଣ୍ଡାରେ ଏହା ୩ ମାସ ରହିବ।
ଆଗାମୀ ୩ ମାସ ଭିତରେ ଶୀତଳ ଭଣ୍ଡାର ପ୍ରସ୍ତୁତ ହୋଇଯିବ ବୋଲି ସେ କହିଛନ୍ତି। ତାଙ୍କ କହିବା କଥା ପ୍ରତି ଗାଁରେ ଏଭଳି ଗୋଟିଏ ଗୋଟିଏ ଶୀତଳ ଭଣ୍ଡାର ରହିବା ଆବଶ୍ୟକ। ଏହାଦ୍ୱାରା କୃଷକଙ୍କ ରୋଜଗାର ବଢ଼ିବ।
ବି.ଟେକ୍ ଏବଂ ଏମବିଏ କରିବା ପରେ ଅମିତ ବର୍ମା ଅଷ୍ଟ୍ରେଲିଆ, ସିଙ୍ଗାପୁର ଏବଂ ଜର୍ମାନୀର ଅନେକ କମ୍ପାନିରେ କାର୍ଯ୍ୟ କରିଥିଲେ। ସେ ‘ସ୍ମାର୍ଟ ଆଇଡିଣ୍ଟି ଡିଭାଇସ’ ନାମକ ଏକ କମ୍ପାନି କରିଥିଲେ। କିନ୍ତୁ ଯେତେବେଳେ କରୋନା ସମୟରେ ସେ ନିଜ ଗାଁ ଫେରିଥିଲେ ସେଠାରେ କୃଷକମାନଙ୍କର ଶୀତଳ ଭଣ୍ଡାର ଅଭାବ ଯୋଗୁଁ ବିଭିନ୍ନ ସମସ୍ୟା ହେଉଥିବା ଦେଖିଥିଲେ। ଏହାପରେ ସେ ଏମିତି ଏକ ଶୀତଳ ଭଣ୍ଡାର ତିଆରି କରିବାକୁ ଚନ୍ତା କରିଥିଲେ।
The post ଚାଷୀଙ୍କ ଚିନ୍ତା ହେବ ଦୂର – ଇଞ୍ଜିନିୟର ଅମିତ ବର୍ମା ତିଆରି କଲେ ଭ୍ରାମ୍ୟମାଣ ଶୀତଳ ଭଣ୍ଡାର appeared first on OdishaLIVE.