ଓଡ଼ିଶାଲାଇଭ୍ ବ୍ୟୁରୋ![]()
ଚାଷୀ ଆନ୍ଦୋଳନର ସମାଧାନ ପାଇଁ ସୁପ୍ରିମକୋର୍ଟ ଗଠନ କରିଥିବା ୪ ଜଣିଆ କମିଟିରୁ ନିଜକୁ ଅଲଗା କରିଛନ୍ତି ଭାରତୀୟ କିଷାନ ୟୁନିଅନର ଭୂପିନ୍ଦର ସିଂହ ମାନ। ତେବେ ପୂର୍ବରୁ କୃଷି ଆଇନକୁ ସମର୍ଥନ କରିଥିଲେ ବୋଲି ଆନ୍ଦୋଳନରତ ଚାଷୀ ଦାବି କରିବା ପରେ ସେ ନିଜକୁ କମିଟିରୁ ଅଲଗା କରିଛନ୍ତି ବୋଲି କୁହାଯାଉଛି।
ଭାରତୀୟ କିସାନ ୟୁନିଅନ ଦ୍ୱାରା ଜାରି ଏକ ପ୍ରେସ ବିବୃତ୍ତିରେ ଭୁପିନ୍ଦର ସିଂହ ମାନ କହିଛନ୍ତି,‘‘ କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନ ଉପରେ କୃଷକ ସଂଗଠନ ସହ ଆଲୋଚନା କରିବାକୁ ମୋତେ ୪ ଜଣିଆ କମିଟିରେ ମନୋନୀତ କରିଥିବାରୁ ସୁପ୍ରିମକୋର୍ଟଙ୍କ ଧନ୍ୟବାଦ ଜଣାଉଛି। ମୁଁ ନିଜକୁ କମିଟିରୁ ହଟାଉଛି କାରଣ ମୁଁ ଚାଷୀଙ୍କୁ ନେଇ କୌଣସି ବୁଝାମଣା କରିପାରିବି ନାହିଁ। ମୁଁ ସବୁବେଳେ କୃଷକ ଏବଂ ପଞ୍ଜାବ ସହିତ ରହିଛି’’।
ଭୂପିନ୍ଦର ସିଂହ ମାନ କିଏ?
ଗୁର୍ଜନଓ୍ୱାଲା(ବର୍ତ୍ତମାନ ପାକିସ୍ତାନ)ରେ ଜନ୍ମ ହୋଇଥିବା ଭୂପିନ୍ଦର ସିଂହ ମାନ ଭାରତୀୟ କିଷାନ ୟୁନଅନର ସଭାପତି। ତାଙ୍କ ସଙ୍ଗଠନ ଅଧୀନରେ ଅନେକଗୁଡ଼ିଏ ଚାଷୀ ସଙ୍ଗଠନ ରହିଛି। କୃଷକଙ୍କ ସ୍ୱାର୍ଥ ପାଇଁ ସେ ଅହରହ କାମ କରି ଆସୁଛନ୍ତି। ସେ ୧୯୯୦ରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ।
କମିଟିରେ ଥିବା ଅନ୍ୟ ସଦସ୍ୟ କିଏ?
ଅନିଲ ଘନଓ୍ୱଟ: ମହାରାଷ୍ଟ୍ରର ବହୁ ଚର୍ଚ୍ଚିତ ଶେତକାରୀ ସଙ୍ଗଠନର ସଭାପତି ହେଲେ ଅନିଲ। ମହାରାଷ୍ଟ୍ରର ଏହି ସଙ୍ଗଠନ କୃଷକ ନେତା ଶରଦ ଯୋଶୀଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା।
ଡକ୍ଟର ପ୍ରମୋଦ କୁମାର ଯୋଶୀ: ଉତ୍ତରାଖଣ୍ଡର ଅଲମୋରାରେ ଜନ୍ମିତ ପ୍ରମୋଦ କୁମାର ଯୋଶୀ କୃଷି ଗବେଷଣା କ୍ଷେତ୍ରରେ ଏକ ଜଣାଶୁଣା ନାମ। ଯୋଶୀ ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ସଂସ୍ଥାନର ଦକ୍ଷିଣ ଏସିଆ ନିର୍ଦ୍ଦେଶକ।
ଅଶୋକ ଗୁଲାଟି: ଜଣେ ପ୍ରମୁଖ କୃଷି ଅର୍ଥନୀତିଜ୍ଞ ହେଉଛନ୍ତି ଅଶୋକ ଗୁଲାଟି। ଇଣ୍ଡିଆନ କାଉନସିଲ ଫର୍ ରିସର୍ଚ୍ଚ ଅନ ଇଣ୍ଟରନ୍ୟାସନାଲ ଇକୋନୋମିକ ରିଲେସନ୍ସରେ ସେ ଜଣେ ପ୍ରଫେସର।
The post ଚାଷୀ ଆନ୍ଦୋଳନ : ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିରୁ ବାହାରିଲେ ଭୂପିନ୍ଦର ସିଂହ ମାନ appeared first on OdishaLIVE.