Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କ୍ରାଇମବ୍ରାଞ୍ଚରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ –ଅନ୍ୟ ରାଜ୍ୟକୁ ଲମ୍ଵିଛି ଆକାଶ ପାଠକଙ୍କ ଠକେଇ ଚେର

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

  • ସରିଲା ୩ ଦିନିଆ ରିମାଣ୍ଡ ଅବଧି
  • ଜେଲ୍‌ ଗଲେ ପାଠକ ବାପା-ପୁଅ
  • ଆକାଶଙ୍କ ବାହାଘର ବଜେଟ ୧୦ କୋଟି

ଆକାଶ ପାଠକ ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ବି ଠକେଇ କାରବାର କରୁଥିଲେ। କ୍ରାଇମବ୍ରାଞ୍ଚକୁ ଏପରି ତଥ୍ୟ ଦେଲେ ଆକାଶଙ୍କ ପିଏ ଡେଭିଡ ପିଟର୍।

ଆକାଶ ପାଠକଙ୍କ ଠକେଇ ବିଷୟରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। କେବଳ ଓଡ଼ିଶା ନୁହେଁ ଦେଶର ଅନ୍ୟ ରାଜ୍ୟଗୁଡ଼ିକୁ ମଧ୍ୟ ଆକାଶଙ୍କ ଠକେଇର ଚେର ଲମ୍ଵିଥିଲା। ଆକାଶଙ୍କ ବ୍ୟକ୍ତିଗତ ସହାୟକ ଡେଭିଡ ପିଟର୍‌ଠାରୁ ଏପରି ଚାଞ୍ଚଲ୍ୟକର ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ। ଏଥିସହ ଆକାଶ ଟାଟା କର୍ମଚାରୀ ନଥିବା ବାବଦରେ ପିଟର୍‌ କିଛି ଜାଣିନଥିବା ମଧ୍ୟ କହିଛନ୍ତି।

ଅନ୍ୟପଟେ ଭିଜିଲାନ୍ସର ୩ ଦିନିଆ ରିମାଣ୍ତ ଶେଷ ହେବାପରେ ଏବେ ପାଠକ ବାପା-ପୁଅଙ୍କ କଳାସାମ୍ରାଜ୍ୟର ପେଢ଼ି ଖୋଲିବାକୁ ଲାଗିଛି। ରିମାଣ୍ତରୁ ମିଳିଥିବା ତଥ୍ୟ ଅନୁସାରେ ନଭେମ୍ବର ମାସରେ ଅଭୟ ପାଠକ ଏବଂ ଆକାଶ ପାଠକ ମିଳିତ ଭାବେ ୮୫ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା କରିଥିଲେ। ଏହି ଟଙ୍କାକୁ ଭୁବନେଶ୍ୱରର ଏଚ୍‌ଡିଏଫ୍‌ସି ଓ ଆଇସିଆଇସିଆଇ ବ୍ୟାଙ୍କରେ ଯଥାକ୍ରମେ ୫୦ଲକ୍ଷ ଓ ୩୫ଲକ୍ଷ ଆକାରରେ ଜମା କରାଯାଇଥିଲା। ଏହା ପରେ ସମସ୍ତ ଟଙ୍କା ଆକାଶଙ୍କ ଆକାଉଣ୍ଟକୁ ଯାଇଥିଲା।ଦେଶର ଅନ୍ୟ ରାଜ୍ୟକୁ ଲମ୍ଵିଛି ଆକାଶଙ୍କ ଠକେଇ ଚେର

ଆକାଶ ପାଠକଙ୍କ ଠକେଇ ବିଷୟରେ ଅଧିକ ତଥ୍ୟ ହାସଲ ପାଇଁ ଶୁକ୍ରବାର ଆକାଶଙ୍କ ପିଏ ଡେଭିଡ୍ ପିଟରଙ୍କୁ କ୍ରାଇମବ୍ରାଞ୍ଚ ଜେରା ପାଇଁ ଆଣିଥଲା। କାଲିଠାରୁ ଆରମ୍ଭ ହୋଇଥିବା ଏହି ଜେରାରେ ଆକାଶଙ୍କ ବିଷୟରେ ପିଟର ଯେଉଁ ତଥ୍ୟ ଦେଇଛନ୍ତି ତାହା କ୍ରାଇମବ୍ରାଞ୍ଚକୁ ଚମକାଇ ଦେଇଛି। ପିଟରଙ୍କ କହିବା ଅନୁସାରେ ଭାରତର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଆକାଶ ତାଙ୍କର କମ୍ପାନିମାନ ଖୋଲିଥିଲେ। କିନ୍ତୁ ଆକାଶ ଯେ ଟାଟା କର୍ମଚାରୀ ନୁହଁନ୍ତି, ସେବାବଦରେ ପିଟର କିଛି ଜାଣି ନଥିଲେ। ପିଟରଙ୍କର ଏପରି ବିସ୍ଫୋରକ ବୟାନ ପରେ ଆସନ୍ତାକାଲି କ୍ରାଇମବ୍ରାଞ୍ଚ ଆକାଶଙ୍କ ବାବଦରେ କିଛି ବଡ଼ ତଥ୍ୟ ଦେଇପାରେ ବୋଲି ଆଶା କରାଯାଉଛି।

କାଲିକି ହଁ ଆଜିକୁ ନା

ଶନିବାର ରିମାଣ୍ଡ ସରିବା ପରେ କୋର୍ଟରେ ହାଜର ହୋଇଛନ୍ତି ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ। କୋର୍ଟରେ ହାଜର ହେବା ବେଳେ ଆକାଶ କହିଛନ୍ତି ଯେ, ମୁଁ ଟାଟାରେ ଚାକିରି କରୁଥିଲି, ଏବେ ଟାଟା ମତେ ସପୋର୍ଟ କରୁ ନାହିଁ।

କିନ୍ତୁ ଶୁକ୍ରବାର ଜେରା ବେଳେ ଆକାଶ ଟାଟା ମୋଟର୍ସରେ ଚାକିରି କରିନଥିବା ନେଇ ଭିଜିଲାନ୍ସ ଆଗରେ ସ୍ୱୀକାର କରିଥିଲେ।ଆକାଶଙ୍କ ବାହାଘର ବଜେଟ ୧୦ କୋଟି

ପାଠକ ବାପା-ପୁଅଙ୍କୁ ଭିଜିଲାନ୍ସ ୩ ଦିନ ରିମାଣ୍ତରେ ନେଇ ଜେରା କରିଥିଲା। ଶୁକ୍ରବାର ଏହି ରିମାଣ୍ତର ଅବଧି ଶେଷ ହୋଇଛି। ଏଥିସହ ପାଠକ ପରିବାରକୁ ନେଇ ଭିଜିଲାନ୍ସ ହାତରେ ଲାଗିଛି ନୂଆ ତଥ୍ୟ। ଆକାଶଙ୍କ ବାହାଘର ପାଇଁ ଅଭୟ ପାଠକ ୧୦ କୋଟି ଟଙ୍କାର ବଜେଟ ରଖିଥିବା ସେ ଭିଜିଲାନ୍ସକୁ କହିଛନ୍ତି। ସେହିପରି ଝିଅ ବାହାଘର କରିବାକୁ ପାଠକ ପରିବାର ଏଯାଏଁ ଖର୍ଚ୍ଚ କରିଛନ୍ତି ୬୦ଲକ୍ଷ ଟଙ୍କା। ଏଥିସହ ଝିଅ ପାଠପଢା ବାବଦକୁ ୯୦ଲକ୍ଷ ଓ ପୁଅ ପାଠପଢା ପାଇଁ ୨୦ଲକ୍ଷ ଖର୍ଚ୍ଚ କରିଥିବା ଜଣାପଡ଼ିଛି।

ଜେଲ୍‌ ଗଲେ ପାଠକ ବାପା-ପୁଅ

ଭିଜିଲାନ୍ସର ୩ ଦିନିଆ ରିମାଣ୍ଡ ଶେଷ ହେବାପରେ ଶନିବାର ଜେଲ୍‌ ଯାଇଛନ୍ତି ପାଠକ ବାପା-ପୁଅ। ଜେଲ୍‌ ଯିବା ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଭୟକାନ୍ତ କହିଛନ୍ତି ଯେ, ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି, ସବୁ ପ୍ରମାଣ ଦେବି। ଏଥିସହ ଆକାଶ ଟାଟା କମ୍ପାନିରେ ଚାକିରି କରଥିବା ପ୍ରଶ୍ନରେ ପୂର୍ବଭଳି ସମାନ ଉତ୍ତର ରଖିଛନ୍ତି ଅଭୟ। ଅଭୟ କହିଛନ୍ତି ଯେ, ଆକାଶ ଏବେବି ଟାଟାରେ ଚାକିରି କରୁଛନ୍ତି।

The post କ୍ରାଇମବ୍ରାଞ୍ଚରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ – ଅନ୍ୟ ରାଜ୍ୟକୁ ଲମ୍ଵିଛି ଆକାଶ ପାଠକଙ୍କ ଠକେଇ ଚେର appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images