Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

‘ପରୀ’ ମୃତ୍ୟୁ ଘଟଣା – ନେତାଙ୍କ ଗର୍ଜନରେ ଉଠୁଛି ପଡ଼ୁଛି ନୟାଗଡ଼ର ଯଦୁପୁର ଗାଁ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ପରୀ ପରିବାରକୁ ଭେଟିବାକୁ ନୟାଗଡ଼କୁ ମାରାଥନ ଗସ୍ତ କରୁଛନ୍ତି ବିଜେପି, କଂଗ୍ରେସ।

‘ପରୀ’ ମୃତ୍ୟୁ ଘଟଣା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାର ଏସ୍‌ଆଇଟି ତଦନ୍ତ ଜୋରସୋର ଚାଲିଥିଲା ବେଳେ ବିଜେପି ଓ କଂଗ୍ରେସ ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି। ପରୀକୁ ନ୍ୟାୟ ଦେବା ଦାବି କରି ନୟାଗଡ଼ ଯଦୁପୁର ଗାଁକୁ ଉଭୟ ଦଳର ନେତା ଘନ ଘନ ଯାଉଛନ୍ତି।

ପରୀ ଗାଁକୁ କଂଗ୍ରେସ ଟିମ୍‌ର ଗସ୍ତ

ଶନିବାର ପରୀର ଗାଁ ଯଦୁପୁରରେ ପହଞ୍ଚିଛି କଂଗ୍ରେସର ଏକ ଦଳ। ଏହି ଟିମ୍‌ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଭାରୀ ଚେଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟାନାୟକ, ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି, ଭକ୍ତ ଦାସ, ପ୍ରଦୀପ ମାଝୀଙ୍କ ସମେତ ଅନ୍ୟ ବରିଷ୍ଠ କଂଗ୍ରେସ ନେତା ଅଛନ୍ତି। କଂଗ୍ରେସର ଏହି ଦଳ ପରୀର ପରିବାକୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଥସହିତ ଦଳ ଘଟଣାସ୍ଥଳର ଅନୁଧ୍ୟାନ ମଧ୍ୟ କରିଛି।

ଦ୍ୱିତୀୟ ଥର ଲାଗି ନୟାଗଡ଼ରେ ବିଜେପି

ଗତ ଡିସେମ୍ବର ୧ରେ ବିଜେପିର ୨୦ ଜଣ ବିଧାୟକ ନୟାଗଡ଼ ବ୍ଲକ୍‌ ଲକ୍ଷ୍ମୀପ୍ରସାଦ ପଞ୍ଚ‌ାୟତ ଅନ୍ତର୍ଗତ ଯଦୁପୁର ଗ୍ରାମକୁ ଯାଇ ପରୀର ପରିବାରକୁ ଭେଟିଥିଲେ। ପରୀକୁ ନ୍ୟାୟ ଦେବା ଲାଗି ଦଳ ସବୁ ଚେଷ୍ଟା କରିବ ବୋଲି ନେତାମାନେ ପରୀ ପରିବାରକୁ ପ୍ରତିଶ୍ରୁତି ଦେଇଥିଲେ।

ଶନିବାର ପୁଣି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ଦଳ ଦ୍ୱିତୀୟ ଥର ପାଇଁ ନୟାଗଡ଼ ଯାଇଛି। ପରୀର ପରିବାରକୁ ଭେଟି ସମ୍ବିତ ପାତ୍ର ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି।

‘‘ପରୀକୁ କିଭଳି ନ୍ୟାୟ ମିଳିବ ସେଥିପାଇଁ ଆମେ ଉଦ୍ୟମ କରୁଛୁ। ଆମର ଦାବି ପରୀ ଘଟଣାରେ ସିବିଆଇ ତଦନ୍ତ ହେଉ କାରଣ ଯେଉଁଯାଏଁ କୃଷିମନ୍ତ୍ରୀ ପଦରୁ ହଟି ନାହାନ୍ତି ସେଯାଏଁ ଏସ୍‌ଆଇଟି, କ୍ରାଇମବ୍ରାଞ୍ଚ ତଦନ୍ତ ନିରପେକ୍ଷ ହୋଇପାରିବ ନାହିଁ’’, କହିଛନ୍ତି ସମ୍ବିତ ପାତ୍ର।

କେତେ ବାଟ ଯାଇଛି ଏସ୍‌ଆଇଟି ତଦନ୍ତ?

ପରୀ ହତ୍ୟା ଘଟଣାରେ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଗଠିତ ଏସ୍‌ଆଇଟି ତଦନ୍ତ ଜୋରଦାର ଚାଲିଛି। ଅଭିଯୋଗ ଥିବା ବାବୁଲି ନାୟକଙ୍କୁ ଏସ୍‌ଆଇଟି ପଚରା ଉଚରା କରିଛି। ଶୁକ୍ରବାର ବାବୁଲି ନାୟକଙ୍କ ୩ ଘଣ୍ଟା ପଚରାଉଚରା କରାଯାଇଥିଲା ବେଳେ ଶନିବାର ତାଙ୍କୁ ଓ ତାଙ୍କ ଡ୍ରାଇଭରଙ୍କୁ ପଚରାଉଚରା କରାଯାଇଛି। ତେବେ ଏ ଘଟଣାରେ ତାଙ୍କର କୌଣସି ସଂପୃକ୍ତି ନଥିବା ସେ କହିଛନ୍ତି। ତେବେ ତଦନ୍ତ ପାଇଁ ୨ ସପ୍ତାହ ଦିଆଯାଉ ବୋଲି କହିଛନ୍ତି ଅରୁଣ ବୋଥ୍ରା। ତାଙ୍କ ଟିମ୍‌ ଘଟଣାର ମୂଳରେ ପହଞ୍ଚିବା ପାଇଁ ବହୁ ପରିଶ୍ରମ କରୁଛି। ତେଣୁ ସମୟ ଦରକାର ବୋଲି ସେ କହିଛନ୍ତି।

ଅନ୍ୟପଟେ ୫ ବର୍ଷର ଝିଅ ପରୀ ହତ୍ୟା ଘଟଣାକୁ ନେଇ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ମଧ୍ୟ ପଦକ୍ଷେପ ନେଇଛନ୍ତି। ଘଟଣା ନେଇ ନୟାଗଡ଼ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସମନ୍ କରିଛନ୍ତି। କିଛି ଦିନ ଆଗରୁ ସମ୍ବିତ ପାତ୍ର ଜାତୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗଙ୍କୁ ଭେଟି ପରୀ ଘଟଣା ସମ୍ପର୍କରେ ଜଣାଇଥଲେ।

The post ‘ପରୀ’ ମୃତ୍ୟୁ ଘଟଣା – ନେତାଙ୍କ ଗର୍ଜନରେ ଉଠୁଛି ପଡ଼ୁଛି ନୟାଗଡ଼ର ଯଦୁପୁର ଗାଁ appeared first on OdishaLIVE.


Viewing all articles
Browse latest Browse all 11715

Trending Articles