ଓଡିଶାଲାଇଭ ବ୍ୟୁରୋ
ପୁରୀରେ ରଥାରୂଢ଼ ତିନି ଠାକୁରଙ୍କ ପାଖରେ ଅଧରପଣା ଲାଗି ହୋଇଛି। ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶ ତିଥିରେ ଅଧରପଣା ଭୋଗ କରାଯାଇଥାଏ।
ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ପ୍ରତି ରଥରେ ଶ୍ରୀଜୀଉମାନଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ପ୍ରସ୍ତୁତ ହୁଏ। ପ୍ରତି ରଥରେ ୩ଟି ଲେଖାଏଁ ମାଟି ହାଣ୍ଡିରେ ଅଧର ପଣା ଭୋଗ କରାଯାଇଥାଏ। ଏହି ୯ ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋ ପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରିଥାନ୍ତି। ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ।
ରଥଗୁଡ଼ିକରେ ଥିବା ପାର୍ଶ୍ଵ ଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଛି। ପଣା ହାଣ୍ଡି ଭାଙ୍ଗିଲେ ପଣା ସବୁ ରଥ ତଳକୁ ବୋହିଯାଏ। ତାହାକୁ ଅନ୍ୟ ଦେବଦେବୀ, ଭୂତପ୍ରେତ, କିନ୍ନର ଓ ରାକ୍ଷସମାନେ ପାଇଥାନ୍ତି ବୋଲି କୁହାଯାଏ।
ଅଧରପଣା ପାଇଁ ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ କୂଅରୁ ସେବାୟତମାନେ ପାଣି ଆଣିବେ। ଏହି ପାଣିରେ ପଣା ପ୍ରସ୍ତୁତ ହେବ। ପଣା ପ୍ରସ୍ତୁତିରେ ସର, କଦଳୀ, ଛେନା, ଗୋଲ ମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀ ବ୍ୟବହୃତ ହୋଇଥାଏ।
The post ତିନି ରଥରେ କେମିତି ହୁଏ ଅଧରପଣା? appeared first on OdishaLIVE.