Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

‘ଘରେ ଘରେ ଅରୁଣିମା’ ଶିଶୁମାନଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି: ଲଳିତା ପଟ୍ଟନାୟକ

$
0
0

ଓଡିଶାଲାଇଭ୍ ବ୍ୟୁରୋ

କରୋନା ସଙ୍କଟ ବେଳେ ଅଙ୍ଗନବାଡ଼ି ପିଲାଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ‘ଘରେ ଘରେ ଅରୁଣିମା’ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ କହିଛନ୍ତି ୟୁନିସେଫ୍ ଓଡ଼ିଶାର ଏଜୁକେସନ ସ୍ପେଶାଲିଷ୍ଟ ଲଳିତା ପଟ୍ଟନାୟକ।

କରୋନା ସଙ୍କଟ ବେଳେ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଛି। ଏଭଳି ସମୟରେ ରାଜ୍ୟର ପ୍ରାୟ ୧୭ ଲକ୍ଷ ଅଙ୍ଗନବାଡ଼ି ପିଲାଙ୍କ ପାଇଁ ‘ଘରେ ଘରେ ଅରୁଣିମା’ ଏକ ନୂଆ ସମ୍ଭାବନା ସୃଷ୍ଟି ହୋଇପାରିଛି। ଏହି କାର୍ଯ୍ୟକ୍ରମ ଜରିଆରେ ପିଲାମାନେ ଘରେ ରହି ମଧ୍ୟ ବିଭିନ୍ନ ପ୍ରକାର ଶିକ୍ଷା ପାଇପାରୁଛନ୍ତି। ଏନେଇ ସୂଚନା ଦେଇଛନ୍ତି ୟୁନିସେଫ୍ ଓଡ଼ିଶାର ଏଜୁକେସନ ସ୍ପେଶାଲିଷ୍ଟ ଲଳିତା ପଟ୍ଟନାୟକ।

ଓଡିଶାଲାଇଭ୍ ଓ ସ୍ଵାସ୍ଥ୍ୟ ପ୍ଲସର ମିଳିତ ଅଭିଯାନ ‘କେତେ ନୂଆ ବାଟ’ କାର୍ଯ୍ୟକ୍ରମରେ ଭାଗ ନେଇ ଲଳିତା ପଟ୍ଟନାୟକ ‘ଘରେ ଘରେ ଅରୁଣିମା’ ସମ୍ପର୍କରେ ସୂଚନା ଦେଇଛନ୍ତି।

ଅଙ୍ଗନବାଡ଼ି ବନ୍ଦ ହୋଇଯିବା ଫଳରେ ପିଲାମାନେ ଘରୁ ବାହାରି ପାରିଲେ ନାହିଁ। ତେଣୁ ଅଙ୍ଗନବାଡ଼ିରେ ଆଗରୁ ଯେଉଁ ସବୁ କାର୍ଯ୍ୟକ୍ରମ ହେଉଥିଲା ତାହାକୁ ପିଲାମାନେ ଘରେ କରିବା ପାଇଁ ‘ଘରେ ଘରେ ଅରୁଣିମା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଦ୍ଵାରା ପିଲାମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରି ରଖିବା ସହ ସେମାନଙ୍କ ମାନସିକ ବିକାଶ ହେଉଛି।

ଡିଜିଟାଲ କ୍ୟାଲେଣ୍ଡର ପ୍ରସ୍ତୁତ କରିଛି ୟୁନିସେଫ୍

ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ପରିଚାଳିତ ଏହି କାର୍ଯ୍ୟକ୍ରମକୁ ଗତିଶୀଳ ରଖିବା ପାଇଁ ବୈଷୟିକ ସହାୟତା ଯୋଗାଇ ଦେଉଛି ୟୁନିସେଫ୍‌। ତେଣୁ ଅଭିଭାବକମାନଙ୍କୁ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ସହ ଯୋଡ଼ି ରଖିବା ପାଇଁ ୟୁନିସେଫ୍‌ ସହାୟତାରେ ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି। ଏହି କ୍ୟାଲେଣ୍ଡରକୁ ଆଧାର କରି ଅଭିଭାବକମାନେ ପିଲାମାନଙ୍କର ଦୈନନ୍ଦିନ କାର୍ଯ୍ୟକ୍ରମ କରାଉଛନ୍ତି। ତା’ ସାଙ୍ଗକୁ ସେମାନେ ମୋବାଇଲରେ ସେସବୁର ଫଟୋ ଉଠାଇ ହ୍ୱାଟସ୍‌ଆପ୍‌ ଯୋଗେ ବିଭାଗ ନିକଟକୁ ପଠାଉଛନ୍ତି ବୋଲି କହିଛନ୍ତି ଲଳିତା ପଟ୍ଟନାୟକ।

‘ଘରେ ଘରେ ଅରୁଣିମା’ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶା ସରକାରଙ୍କ ତରଫରୁ କରୋନା ସଚେତନତା ବାର୍ତ୍ତା ମଧ୍ୟ ପ୍ରସାର କରାଯାଉଛି। ଏଥିପାଇଁ ବିଭାଗ ‘ଟିକି ମାଉସୀ’ ମାସ୍କଟକୁ ବ୍ୟବହାର କରୁଛନ୍ତି।

କ୍ୟାଲେଣ୍ଡରରେ ସଚେତନତା ବାର୍ତ୍ତା

କରୋନା ମହାମାରୀର ଏହି ସଙ୍କଟ ସମୟରେ ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନଚା ନିହାତି ଜରୁରୀ। ତେଣୁ ଏହି କ୍ୟାଲେଣ୍ଡରରେ ପରିଷ୍କାର ପରିଚ୍ଛନ୍ନତା ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି। ନୂଆ ଅରୁଣିମା ପାଠ୍ୟକ୍ରମରେ ଥିବା ୨୩ଟି ଗୀତ ସହିତ କେତେକ କାର୍ଯ୍ୟ ନିଶ୍ଚିତ ଭାବେ କରିବାକୁ ପରାମର୍ଶ ଦିଆଯାଇଛି। ନିଜକୁ ପରିଷ୍କାର ରଖିବା, ନିୟମିତ ସମୟ ବ୍ୟବଧାନରେ ହାତ ଧୋଇବା, ମାସ୍କ ବ୍ୟବହାର କରିବା ଏବଂ ବାହାରକୁ ନ ଯିବା ଲାଗି ପିଲାମାନଙ୍କୁ ପରାମର୍ଶ ଦିଆଯାଉଛି।

ପରିବାରର ରହିଛି ଗୁରୁତ୍ଵପୂର୍ଣ୍ଣ ଭୂମିକା

କରୋନା ସମୟରେ ପିଲାଙ୍କ ପାଇଁ ବାପା, ମା’, ଜେଜେ ବାପା, ଜେଜେ ମା’ ଏବଂ ପରିବାରର ଅନ୍ୟ ସଦସ୍ୟମାନେ କ’ଣ କରିପାରିବେ ସେ ବିଷୟରେ ଏହି କ୍ୟାଲେଣ୍ଡରରେ କୁହାଯାଇଛି। କାରଣ ଏହି ସମୟରେ ପରିବାରର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି।

ଏହାସହିତ ପିଲାମାନେ ମଧ୍ୟ ଘରର ବଡ଼ମାନଙ୍କୁ ପ୍ରତିଦିନ କିଛି ନା କିଛି କାମ କରି ସାହାଯ୍ୟ କରିବାକୁ କୁହାଯାଇଛି। ଯେପରି କି, ପିଲାମାନଙ୍କୁ ନିଜ ସାର୍ଟପ୍ୟାଣ୍ଟ ସଜାଡ଼ି ରଖିବା, ଜେଜେ ବାପା, ଜେଜେ ମା’ଙ୍କ କଥା ବୁଝିବା ଇତ୍ୟାଦି ଛୋଟ ଛୋଟ କାମ କରିବାକୁ କୁହାଯାଇଛି। ପିଲାମାନେ ଘରେ ବାପା, ମା’, ଭାଇ ଭଉଣୀ, ଜେଜେ ବାପା, ଜେଜେ ମା’ ଏବଂ ଅନ୍ୟମାନଙ୍କ ସହ ମିଶି ଏକ ନୂଆ ଅନୁଭବ ପାଉଛନ୍ତି ବୋଲି ଲଳିତା ପଟ୍ଟନାୟକ କହିଛନ୍ତି।

ଶିଶୁ ଏବଂ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ, ନିରନ୍ତର ଶିକ୍ଷା ଏବଂ ସୁରକ୍ଷାକୁ ନେଇ ଓଡ଼ିଶା ସରକାର, ୟୁନିସେଫ୍ ଏବଂ ଅନ୍ୟ ଅଂଶୀଦାରମାନେ ଏ ବାବଦରେ କ’ଣ ସବୁ ପଦକ୍ଷେପ ନେଉଛନ୍ତି ତା’ର ଏକ ବ୍ୟାପକ ଚିତ୍ର ଉପସ୍ଥାପନ କରିଛି ‘କେତେ ନୂଆ ବାଟ’।

ଏହି କାର୍ଯ୍ୟକ୍ରମ ପ୍ରତି ରବିବାର ସକାଳ ୧୦ଟା୩୦ ମିନିଟରେ ଆକାଶବାଣୀର ଓଡ଼ିଶାରେ ଥିବା ସମସ୍ତ କେନ୍ଦ୍ରରୁ ପ୍ରସାରିତ ହେଉଛି। ତା’ସାଙ୍ଗକୁ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ବିଭିନ୍ନ ସୋସିଆଲ ଚ୍ୟାନେଲରେ ମଧ୍ୟ ଏକ ସମୟରେ ପ୍ରସାରିତ ହେଉଛି।

The post ‘ଘରେ ଘରେ ଅରୁଣିମା’ ଶିଶୁମାନଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି: ଲଳିତା ପଟ୍ଟନାୟକ appeared first on OdishaLIVE.


Viewing all articles
Browse latest Browse all 11715

Trending Articles