Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଓଡ଼ିଶାରେ ‘ଅମ୍ପନ’ ତାଣ୍ଡବ – ଉପାଡ଼ିଲା ଗଛ, ଭାଙ୍ଗିଲା କାନ୍ଥ, ଗାଁରେ ପଶିଲା ସମୁଦ୍ର ପାଣି

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ଅମ୍ପନ ପ୍ରଭାବରେ ଓଡ଼ିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି।

ଓଡ଼ିଶା ଉପକୂଳ ଅତିକ୍ରମ କରିଛି ବାତ୍ୟା ‘ଅମ୍ପନ’। ଦୀଘା ଓ ହାତୀଆ ଦ୍ୱୀପ ମଝିରେ ସୁନ୍ଦରବନରେ ସ୍ଥଳଭାଗ ଛୁଇଁଛି ବାତ୍ୟା। ହେଲେ ଆଜି ଭୋର୍‌ ସମୟରୁ ଅପରାହ୍‌ଣ ଯାଏଁ ଓଡ଼ିଶାର ୪ଟି ଜିଲ୍ଲାରେ ଅମ୍ପନ ଯେଉଁ ତାଣ୍ଡବ ରଚିଛି ତାକୁ ନେଇ ଏବେ ସବୁଠି କ୍ଷୟକ୍ଷତିର ଆକଳନ ଚାଲିଛି। କମ୍‌ ସମୟ ହେଲେ ମଧ୍ୟ ଅମ୍ପନର ତାଣ୍ଡବକୁ ଭୁଲି ପାରୁ ନାହାନ୍ତି ଲୋକେ।

ଗତକାଲି ସନ୍ଧ୍ୟାରୁ ସତର୍କ

ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଥମେ ଘୂର୍ଣ୍ଣିବାତ୍ୟାର ରୂପ ନେଇଥିଲା। ଏହାପରେ ମହାବାତ୍ୟାର ରୂପ ଧାରଣ କରି ପ୍ରଥମେ ଉତ୍ତର ପଶ୍ଚିମ ଦିଗକୁ ମୁହାଁଇଥିଲା। ପରେ ପୁଣି ଦିଗ ବଦଳାଇଥିଲା ବାତ୍ୟା। ଉତ୍ତର ପୂର୍ବ ଦିଗକୁ ଆସିଥିଲା। ହେଲେ ମହାବାତ୍ୟା ବେଶୀ ସମୟ ସମୁଦ୍ରରେ ରହିପାରି ନଥିଲା। ଏହା ପୁଣି ତଳକୁ ଖସି ଆସି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଥିଲା।

ସାମୁଦ୍ରିକ ଝଡ଼ ବାତ୍ୟା ଯେତିକି ଯେତିକି ପାଖଉଥିଲା ଓଡ଼ିଶାରେ ସେତିକି ଭୟ ବଢ଼ୁଥିଲା। ଗତକାଲିଠାରୁ ଦକ୍ଷିଣ ଉପକୂଳରେ ବର୍ଷା ଆରମ୍ଭ ହୋଇଥିଲା। ପରେ ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ଝିପି ଝିପି ବର୍ଷା ଆରମ୍ଭ ହୋଇଥିଲା। ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ମଧ୍ୟ ଗତକାଲି ରାତିରୁ ବର୍ଷା ଓ ପବନ ଲାଗି ରହିଥିଲା।

ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ମୁହାଁଉଥିବାରୁ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ତାଣ୍ଡବ ରଚିଥିଲା। ଏହି ଦୁଇଟି ଜିଲ୍ଲାରେ ମଙ୍ଗଳବାର ରାତିରୁ ପବନର ବେଗ ଅଧିକ ରହିଥିଲା। ବୁଧବାର ସକାଳେ ଘଣ୍ଟାକୁ ୧୦୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଥିଲା।

ପାରାଦୀପରେ ସର୍ବାଧିକ ବର୍ଷା, ପବନ ରେକର୍ଡ

ମାତ୍ୟା ଅମ୍ପନ ପାଇଁ ପାରାଦୀପ ବନ୍ଦରରେ ୮ ନମ୍ବର ବିପଦ ସଙ୍କେତ ଲାଗୁ ହୋଇଥିଲା। ସମୁଦ୍ର ଅଶାନ୍ତ ଥିବାରୁ ଉଚ୍ଚ ଜୁଆର ଆସିଥିଲା। ରାତି ବଢ଼ିବା ସହିତ ବନ୍ଦର ନଗରୀ ପାରାଦୀପରେ ବି ବର୍ଷା, ପବନ ବଢ଼ିଥିଲା। ପାରାଦୀପରେ ସର୍ବାଧିକ ପବନ ଓ ବର୍ଷା ରେକର୍ଡ ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପାରାଦୀପରେ ସର୍ବାଧିକ ୧୦୬ କିଲୋମିଟର ବେଗରେ ପବନ ବହିଥିଲା। ଏହାସହ ୨୪ ଘଣ୍ଟା ଭିତରେ ୨୧୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଅଧିକ ବେଗରେ ପବନ ବହିବାରୁ ପାରାଦୀପ ସମେତ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିଲା। ଏନଡିଆର୍‌ଏଫ୍‌ ଏବଂ ଓଡ୍ରାଫ୍‌ ଟିମ୍‌ ଗଛ କାଟି ସଫା କରିଥିଲେ।

ଦିନ ୧୨ଟା ପରେ ପାରାଦୀପରେ ପବନ ଓ ବର୍ଷାର ପରିମାଣ କମିଥିଲା।

କେନ୍ଦ୍ରାପଡ଼ାରେ ଗାଁରେ ପଶିଲା ପାଣି

ଜଗତସିଂହପୁର ଭଳି କେନ୍ଦ୍ରାପଡ଼ାରେ ବି ତାଣ୍ଡବ ରଚିଥିଲା ବାତ୍ୟା ଅମ୍ପନ। ତୁହାକୁ ତୁହା ବର୍ଷା ସାଙ୍ଗକୁ କାଲୁଆ ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିଲା। ବର୍ଷାର ପରିମାଣ ଏତେ ଥିଲା ଯେ ସମୁଦ୍ରକୂଳିଆ ଲୋକ ଆତଙ୍କିତ ହୋଇ ଯାଇଥିଲେ। ଆଜି ସକାଳୁ ପଟ୍ଟାମୁଣ୍ଡାଇ ବ୍ଳକର ପୁରୁଷୋତ୍ତମପୂର ଗାଁରେ ବନ୍ଧ ଡେଇଁ ଲୁଣା ପାଣି ପଶି ଯାଇଥିଲା। ୬୨ ପରିବାର ପାଣିଘେରରେ ରହିଥିଲେ। ସେହିପରି ରାଜନଗର ବ୍ଲକର ସମୁଦ୍ରକୂଳିଆ ଲୋକେ ମଧ୍ୟ ଭୟଭୀତ ହୋଇଯାଇଥିଲେ।

ଭଦ୍ରକରେ ଶିଶୁର ଜୀବନଗଲା

ବାତ୍ୟା ଅମ୍ପନ ପ୍ରଭାବରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର କାମ୍ପଡା ପଞ୍ଚାୟତର ଦକ୍ଷିଣପାରି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଭଲଭାବେ ଦୁନିଆ ଦେଖି ନଥିବା ୩ ମାସର ଶିଶୁର ଜୀବନ ଏହି ବାତ୍ୟାରେ ଚାଲି ଯାଇଛି। ଗତ ମଙ୍ଗଳବାର ରାତିରେ ଶିଶୁଟି ନିଜ ଘରେ ମା’ ପାଖରେ ଶୋଇଥିଲା। ରାତି ସାରା ବର୍ଷା ହେବାରୁ ମାଟି ଘର ପୂରା ଭିଜି ଯାଇଥିଲା। ଫଳରେ ଶିଶୁ ଓ ମା’ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ମା’ ଆହତ ହୋଇଥିବା ବେଳେ ଶିଶୁଟିର ଜୀବନ ଚାଲି ଯାଇଥିଲା। ଏହାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ଖେଳି ଯାଇଛି।

ବାଲେଶ୍ୱର ଓ ଭଦ୍ରକରେ ବି ପବନ

ଆଜି ଦି ପହରେ ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ତାଣ୍ଡବ ରଚି ବାତ୍ୟା ଅମ୍ପନ ପଶ୍ଚିମବଙ୍ଗ ମୁହାଁ ହୋଇଥିଲା। ଏହାର ପ୍ରଭାବରେ ଭଦ୍ରକ ଓ ବାଲେଶ୍ୱରରେ ବର୍ଷା ପବନ ଆରମ୍ଭ ହୋଇଥିଲା। ଗତକାଲି ରାତିରୁ ତୁହାକୁ ତୁହା ବର୍ଷା ଲାଗି ରହିଥିଲେ ମଧ୍ୟ ଆଜି ପବନର ବେଗ ଅଧିକ ରହିଥିଲା। ବାଲେଶ୍ୱରରେ ଘଣ୍ଟାକୁ ୯୧ କିଲୋମିଟର ବେଗୋ ପବନ ବହିଥିଲା। ସେହିପରି ଭଦ୍ରକରେ ବି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିଥିଲା।

ଏହି ଦୁଇଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ବେଳେ ବିଜୁଳି ଖୁଣ୍ଟ ମଧ୍ୟ ଭାଙ୍ଗିଛି। ଓଡ଼୍ରାଫ୍‌, ଏନଡିଆର୍‌ଏଫ୍‌ ଟିମ୍‌ ଗଛ କାଟି ରାସ୍ତା ସଫା କରିଥିଲେ।

ବାତ୍ୟା ମୁକାବିଲା କଲେ ସରକାର

ବାତ୍ୟାକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଥିଲେ ରାଜ୍ୟ ସରକାର। ୧୨ଟି ଜିଲ୍ଲାକୁ ସତର୍କ କରି ୬ଟି ଜିଲ୍ଲା ଉପରେ ଅଧିକ ଧ୍ୟାନ ଦେଇଥିଲେ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲକୁ ଓଡ୍ରାଫ ଓ ଏଡ଼ଡିଆର୍‌ଫ ଟିମ୍‌ ପଠାଇଥିଲେ। ଅଗ୍ନିଶମ ବାହିନୀ ଓ ଓଡ଼ିଶା ବନ ଉନ୍ନୟନ ନିଗମର କର୍ମଚାରୀଙ୍କୁ ଆଗକୁ ସଜାଗ କରି ରଖାଯାଇଥିଲା। ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା। କେଉଁ ଜିଲ୍ଲାରେ କେତେ କ୍ଷୟକ୍ଷତି ହୋଇଛି ତାର ଆକଳନ କରି ୪୮ ଘଣ୍ଟା ଭିତରେ ପ୍ରାଥମିକ ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି।

The post ଓଡ଼ିଶାରେ ‘ଅମ୍ପନ’ ତାଣ୍ଡବ – ଉପାଡ଼ିଲା ଗଛ, ଭାଙ୍ଗିଲା କାନ୍ଥ, ଗାଁରେ ପଶିଲା ସମୁଦ୍ର ପାଣି appeared first on OdishaLIVE.


Viewing all articles
Browse latest Browse all 11715

Trending Articles