Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ସୁନ୍ଦରଗଡ଼: ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଲା ଆଇଏସଓ ମାନ୍ୟତା

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

(ସୁନ୍ଦରଗଡ଼): ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)କୁ ଆଇଏସଓ ମାନ୍ୟତା ମିଳିଛି। ଜୁଲାଇ ୧୪ ତାରିଖରେ ୨୦୨୧ ବର୍ଷ ପାଇଁ ବଡ଼ଗାଁ ସିଏଚସି ଆଇଏସଓ ୯୦୦୧:୨୦୧୫ ସାର୍ଟିଫିକେଟ୍ ହାସଲ କରିଛି। ଇଣ୍ଟରନ୍ୟାସନାଲ ଆକ୍ୟୁରେଟ ସାର୍ଟିଫିକେସନ କର୍ତ୍ତୃପକ୍ଷ ଏହି ମାନ୍ୟତା ପ୍ରଦାନ କରିଛନ୍ତି। ୨୦୨୪ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ବର୍ତ୍ତମାନ ସୁଦ୍ଧା ବଡ଼ଗାଁ ସିଏଚସିକୁ ମିଶାଇ ଜିଲ୍ଲାର ମୋଟ ୧୨ଟି ସ୍ୱାସ୍ଥ୍ୟ କେନ୍ଦ୍ର ଏହି ସମ୍ମାନଜନକ ପ୍ରମାଣପତ୍ର ପାଇଛନ୍ତି।

ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ବିଶେଷଜ୍ଞ ଡାକ୍ତରମାନଙ୍କ ପରାମର୍ଶ ଦିଆଯିବା ସହିତ ନିଦାନ ଯୋଜନାରେ ମାଗଣା ଡାଇଗ୍ନୋସିସ ସୁବିଧା, ନିରାମୟ ଯୋଜନାରେ ଔଷଧ ବଣ୍ଟନକୁ ସୁନିଶ୍ଚିତ କରାଯାଉଛି। ସେହିପରି ଶିଶୁ ଏବଂ ମାତୃ ସ୍ୱାସ୍ଥ୍ୟ ସେବା, ପରିବାର ନିୟୋଜନ, ନିରାପଦ ପ୍ରସବ, ସଂକ୍ରାମକ ଏବଂ ଅଣସଂକ୍ରାମକ ରୋଗ ନିୟନ୍ତ୍ରଣ, ଟିକକରଣ ଏବଂ ଯୋଗ ଶିକ୍ଷା ଆଦି କ୍ଷେତ୍ରରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛି।‘‘ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଏ ଦିଗରେ ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉତ୍ତମ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଆଇଏସଓ ମାନ୍ୟତା ପାଇଛି। ଏହି ଅବସରରେ ମୁଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଉଛି’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

୨୦୨୦ରେ ରାଉରକେଲାର ଛେଣ୍ଡ କେଲାନି ୟୁପିଏଚସି, ଡିଏଭିଏମସି ୟୁପିଏଚସି, ସେକ୍ଟର-୬ ୟୁପିଏଚସି, ତିଲକାନଗର ୟୁପିଏଚସି, ବାଲୁଘାଟ ୟୁପିଏଚସିକୁ ଆଇଏସଓ ମାନ୍ୟତା ମିଳିଥିଲା। ସେହିପରି ୨୦୨୧ରେ ବଡ଼ଗାଁ ସହିତ କୁଆଁରମୁଣ୍ଡା ସିଏଚସି, ସବଡେଗା ସିଏଚସି, ଲେଫ୍ରିପଡ଼ା ବ୍ଲକର ସର୍ଗିପାଲି ସିଏଚସି, ସବଡେଗା ବ୍ଲକର ଟାଙ୍ଗରଗାଁ ପିଏଚସି, କୁତ୍ରା ବ୍ଲକର ପୁରକାପାଲି ପିଏଚସି ଏବଂ ରାଉରକେଲାର କୋଏଲନଗର ସିଏଚସିକୁ ଆଇଏସଓ ମାନ୍ୟତା ମିଳିଛି।

ଗତ କିଛି ମାସ ତଳେ ସ୍ୱଚ୍ଛ ଓ ସ୍ଵାସ୍ଥ୍ୟକର ପରିବେଶ ଭିତରେ ଲୋକମାନଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୨୦୨୦-୨୧ ବର୍ଷ ପାଇଁ ‘କାୟାକଳ୍ପ’ ପୁରସ୍କାର ମିଳିଥିଲା।

ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଉନ୍ନତ କରିବା ଦିଗରେ ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ ରୋଗୀମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ମିଳୁଛି। ଜିଲ୍ଲାରେ ଶିଶୁ ଓ ମାତୃ ମୃତ୍ୟୁ ହାର ନିୟନ୍ତ୍ରଣ କରିବା ପାଇଁ ଅନୁଷ୍ଠାନିକ ପ୍ରସବକୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସୁନିଶ୍ଚିତ କରାଯାଉଛିl ଏଥିପାଇଁ ପ୍ରଶାସନ ପକ୍ଷରୁ ମାତୃଜ୍ୟୋତି କାର୍ଯ୍ୟକ୍ରମ କରାଯାଉଛି। ଏହା ସହିତ ଗୁରୁତର ରୋଗୀମାନଙ୍କୁ ଘର ପାଖକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ଲାଗି ଅତ୍ୟାଧୁନିକ ଆମ୍ବୁଲାନ୍ସ ବ୍ୟବସ୍ଥା ରହିଛି। ଦୁର୍ଗମ ଅଞ୍ଚଳରେ ବାଇକ ଆମ୍ବୁଲାନ୍ସ ସେବା ମଧ୍ୟ ଲାଗୁ କରାଯାଇଛି।

The post ସୁନ୍ଦରଗଡ଼: ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଲା ଆଇଏସଓ ମାନ୍ୟତା appeared first on OdishaLIVE.


Viewing all articles
Browse latest Browse all 11715

Trending Articles