ଓଡ଼ିଶାଲାଇଭ୍ ବ୍ୟୁରୋ
ଲକଡାଉନ୍ ଆମକୁ ସମୟ ଦେଇଛି କିଛି ନୂଆ କରିବା ପାଇଁ। ତେଣୁ ଏ ସମୟର ସୁଯୋଗ ନିଅନ୍ତୁ ବୋଲି କହିଛନ୍ତି ‘ମୋ କଲେଜ’ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକ।
‘‘ବର୍ତ୍ତମାନ କୋଭିଡ ମହାମାରୀ ପାଇଁ ଦେଶରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଆମେମାନେ ସମସ୍ତେ ଏକ ଅଦୃଶ୍ୟ ଶକ୍ତି ବିରୋଧରେ ଲଢ଼ୁଛନ୍ତିା ଏମିତି ଲାଗୁଛି ଯେମିତି ଆମେ ଏକ ଅନ୍ଧକାର ଭିତରେ ଗତି କରୁଛନ୍ତି। ଜୀବନ କେବେ ସ୍ୱାଭାବିକ ହେବ ତାହା କେହି ଜାଣିନାହାନ୍ତି। କିନ୍ତୁ ଆମମାନଙ୍କୁ ନିଜ ମନ ଭିତରେ ଏକ ସକରାତ୍ମକ ଆଲୋକକୁ ଜଳାଇ ରଖିବାକୁ ପଡ଼ିବ’’ କହିଛନ୍ତି ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସନାୟକ।
ଓଡ଼ିଶାଲାଇଭ୍ ଓ ସ୍ଵାସ୍ଥ୍ୟ ପ୍ଲସର ମିଳିତ ଅଭିଯାନ ‘କେତେ ନୂଆ ବାଟ’ କାର୍ଯ୍ୟକ୍ରମରେ ଭାଗ ନେଇ ଆକାଶ ଦାସନାୟକ ଏହା କହିଛନ୍ତି। ‘କେତେ ନୂଆ ବାଟ’ ଅଭିଯାନ ପାଇଁ ୟୁନିସେଫ୍ ସହାୟତା ଦେଇଥିଲା ବେଳେ ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଏହାର ନଲେଜ ପାର୍ଟନର ରହିଛି।
ଏହି ଅଭଯାନ ମାଧ୍ୟମରେ ଓଡ଼ିଶାରେ ପଢ଼ୁଥିବା ଅଗଣିତ ଛାତ୍ରଛାତ୍ରୀ ଓ ତାହା ସହିତ ଓଡ଼ିଶା ବାହାରେ ଥିବା ଲୋକଙ୍କୁ ଏ ଲଢ଼େଇ ଜାରି ରଖିବାକୁ ଆକାଶ ଆହ୍ୱାନ ଦେଇଛନ୍ତି।
‘‘କୋଭିଡ ଆମ ପାଇଁ ଯେଉଁ ବିପଦ ସମୟ ଆଣିଛି, ତାହା ବେଶୀ ଦିନ ରହିବ ନାହିଁ। ଅତୀତରେ ମାନବ ଜାତି ଅନେକ ବିରାଟ ସମସ୍ୟା ଦେଇ ଗତି କରିଛି ଓ ତା’ର ସଫଳ ମୁକାବିଲା କରିଛି। ସେହିପରି ଭାବେ ଆମେ କରୋନା ଯୁଦ୍ଧକୁ ମଧ୍ୟ ଜିତିବା। ଏହାସହିତ ଆମ ଚାରିପାଖରେ ଯଦି କେହି ଅସହାୟ ଲୋକ ଥାଆନ୍ତି ତାଙ୍କ ପାଖରେ ଠିଆ ହୋଇ ପାରିଲେ ତାହା ହିଁ ମାନବତାର ଧର୍ମ’’, କହିଛନ୍ତି ଆକାଶ ଦାସନାୟକ।
ସେ ଆହୁରି ମଧ୍ୟ କହିଛନ୍ତି, ‘‘ସମୟ ସବୁଠୁ ବଡ଼ ବଳବାନ। ଆମେ ଏବେ ଲକଡାଉନରେ ଅଛନ୍ତି। ତେଣୁ ଆମ ପାଖରେ ଯଥେଷ୍ଟ ସମୟ ଅଛି। ପାଖରେ ଇଣ୍ଟରନେଟ ଅଛି। ଏହାକୁ କିଭଳି ଭାବେ ଉପଯୋଗ କରିବା ସେଇଟା ଆମ ଉପରେ ନିର୍ଭର କରୁଛି। ତେଣୁ ଏହି ସମୟରେ ଆମେ ଅନେକ ନୂଆ ନୂଆ କଥା ଶିଖିବା ଏହାକୁ ଆମ କ୍ୟାରିୟର ପାଇଁ କାମରେ ଲଗାଇବା’’।
ସେହିପରି ଏହି କାର୍ଯ୍ୟକ୍ରମ ଜରିଆରେ ଆକାଶ ଦାସନାୟକ ସମସ୍ତଙ୍କୁ କୋଭିଡ ଉପଯୋଗୀ ନିୟମ ପାଳନ କରିବାକୁ ଅପିଲ କରିଛନ୍ତି।
‘‘ବାରମ୍ବାର ହାତକୁ ସାବୁନରେ ଧୁଅନ୍ତୁ, ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ବଜାୟ ରଖନ୍ତୁ। ନିଜ ପାଳି ଆସିଲେ ଟିକା ନିଅନ୍ତୁ। ଯଦି ଆପଣଙ୍କଠାରେ କୋଭିଡର କିଛି ବି ଲକ୍ଷଣ ଦେଖାଯାଉଛି ତାହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ’’, କହିଛନ୍ତି ଆକାଶ ଦାସନାୟକ।
ଶିଶୁ ଏବଂ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ, ନିରନ୍ତର ଶିକ୍ଷା ଏବଂ ସୁରକ୍ଷାକୁ ନେଇ ଓଡ଼ିଶା ସରକାର, ୟୁନିସେଫ୍ ଏବଂ ଅନ୍ୟ ଅଂଶୀଦାରମାନେ ଏ ବାବଦରେ କ’ଣ ସବୁ ପଦକ୍ଷେପ ନେଉଛନ୍ତି ତା’ର ଏକ ବ୍ୟାପକ ଚିତ୍ର ଉପସ୍ଥାପନ କରୁଛି ‘କେତେ ନୂଆ ବାଟ’ ସିଜିନ୍ ୨। ଏଥିରେ କୋଭିଡ ହିରୋଙ୍କ କାହାଣୀ, ପିଲାଙ୍କ ସ୍ୱର, କରୋନା ସଚେତନତା ଆଦିକୁ ଉପସ୍ଥାପନ କରାଯାଉଛି।
ଏହି ଅଭିଯାନ ଅଧୀନରେ ଓଡ଼ିଶାରେ ଥିବା ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରତି ୧୫ ଦିନରେ ଥରେ, ରବିବାର ସକାଳ ୧୦ଟାରେ ଆପଣମାନଙ୍କ ପାଖରେ ଏକ ରେଡିଓ ଧାରାବାହିକ ପହଞ୍ଚୁଛି। ଏହାସହିତ ଆପଣ ରେଡିଓ ଚକ୍ଲେଟ୍ ୧୦୪ ଏଫ୍ଏମ୍ରେ ରବିବାର ୧୧ଟାରେ ଏହି କାର୍ଯ୍ୟକ୍ରମକୁ ଶୁଣିପାରିବେ। ସେହିପରି ବିଭିନ୍ନ ଟିଭି ଚ୍ୟାନେଲ ମାଧ୍ୟମରେ ଏହାର ଭିଡିଓ ସଂସ୍କରଣ ପ୍ରସାରିତ ହେବ।
The post ଲକଡାଉନ ସମୟର ସଦୁପଯୋଗ କରିବା, ନୂଆ କଥା ଶିଖିବା – ଆକାଶ ଦାସନାୟକ appeared first on OdishaLIVE.