ଓଡ଼ିଶାଲାଇଭ୍ ବ୍ୟୁରୋ
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଏବଂ ଚାକିରି ଠକେଇ ମାମଲାରେ ଗିରଫ ହୋଇଥିବା ଆଇଏଫଏସ ଅଫିସର ଅଭୟ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ଜାମିନ ମିଳିଛି। ଓଡ଼ିଶା ହାଇକୋର୍ଟ ପାଠକ ବାପ-ପୁଅଙ୍କୁ ଜାମିନ ଦେଇଛନ୍ତି। ଦୁଇ ଲକ୍ଷ ଟଙ୍କାର ସ୍ୟୁରେଟି ଓ ଦୁଇ ଜଣ ଜାମିନଦାର ତଥା ଅନ୍ୟ କିଛି ସର୍ତ୍ତରେ ଏହି ଜାମିନ ପ୍ରଦାନ କରାଯାଇଛି।ଗତ ବର୍ଷ ଆଇଏଫଏସ ଅଫିସର ଅଭୟ ପାଠକଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ହୋଇଥିଲା। ଏହାପରେ ତାଙ୍କ ପୁଅ ଆକାଶ ପାଠକଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ରଖିଥିବାର ଅଭିଯୋଗ ଆସିଥିଲା। ଏଥିସହ ଆକାଶ ପାଠକଙ୍କ ବିରୁଦ୍ଧରେ ସ୍କାଇ କିଙ୍ଗ ପକ୍ଷରୁ ୬୫ ଲକ୍ଷ ଟଙ୍କାର ବକେୟା ଦେଇନଥିବାର ଅଭିଯୋଗ ପୋଲିସ ଠାରେ କରାଯାଇଥିଲା।
ଏଥିପାଇଁ ଗତ ବର୍ଷ ନଭେମ୍ବର ମାସରେ ଦୁର୍ନୀତି ଓ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପାଠକ ବାପ-ପୁଅଙ୍କୁ ଗିରଫ କରାଯାଇଥିଲା। ସେହିପରି ଟାଟା କମ୍ପାନିରେ ଚାକିରି କରାଇଦେବା ନାଁରେ ଆକାଶ ପାଠକ ଗଞ୍ଜାମ ଜିଲ୍ଲାର ଏକାଧିକ ଲୋକଙ୍କୁ ଠକିଥିଲେ। ଏଥିପାଇଁ ଗତ ଫେବ୍ରୁଆରି ମାସରେ ବ୍ରହ୍ମପୁର ଗୋଳନ୍ଥରା ପୋଲିସ ପକ୍ଷରୁ ପାଠକ ବାପ-ପୁଅଙ୍କ ବିରୁଦ୍ଧରେ ଠକେଇ ମାମଲା ରୁଜୁ କରାଯାଇଥିଲା।
ଦୁର୍ନୀତି ମାମଲାରେ ଅଭୟ ପାଠକ ଗିରଫ ହେବା ପରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିଲେ ଓଡ଼ିଶା ସରକାର। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନକ୍ରମେ ଆଇଏଫଏସ ଅଭୟ ପାଠକଙ୍କୁ ତାଙ୍କ ଚାକିରିରୁ ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଛି।
The post ଅଭୟ ପାଠକ ଓ ଆକାଶ ପାଠକଙ୍କୁ ମିଳିଲା ଜାମିନ appeared first on OdishaLIVE.