Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ –ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୯୦ତମ ଜନ୍ମ ଜୟନ୍ତୀ।

ନନ୍ଦିନୀ ଶତପଥୀ ଥିଲେ ଓଡ଼ିଶାର ପ୍ରଥମ ଓ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ। ସେ ଓଡ଼ିଶାରେ ଲୌହମାନବୀ ଭାବେ ବେଶ ପରିଚିତ। ଓଡ଼ିଶାର ବିକାଶରେ ତାଙ୍କ ଭୂମିକା ଅପୂରଣୀୟ। ପିଲାବେଳୁ ଛାତ୍ର ଆନ୍ଦୋଳନରୁ ସେ ରାଜନୀତିରେ ପ୍ରବେଶ କରିଥିଲେ। ଆଜି ଏହି ଲୌହମାନବୀଙ୍କ ୯୦ତମ ଜନ୍ମ ଜୟନ୍ତୀ।ନନ୍ଦିନୀ ଶତପଥୀଙ୍କ ଜନ୍ମ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ ଲେଖିଛନ୍ତି, ଓଡ଼ିଆ ସାହିତ୍ୟ ଜଗତରେ ନିଜ କାଳଜୟୀ ରଚନା ସହ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ରାଜନୀତି ଏବଂ ଲୋକଙ୍କ କଲ୍ୟାଣ ଦିଗରେ ନିଜ ଅବଦାନ ପାଇଁ ସେ ଚିରସ୍ମରଣୀୟ ରହିବେ।

ନନ୍ଦିନୀ ଶତପଥୀ ୧୯୩୧ ମସିହାରେ କଟକ ଜିଲ୍ଲାର ପିଠାପୁରରେ ଏକ ବିପ୍ଲବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ହେଉଛନ୍ତି ପଦ୍ମଭୂଷଣ ସାହିତ୍ୟିକ କାଳନ୍ଦୀ ଚରଣ ପାଣିଗ୍ରାହୀ ଓ ରତ୍ନମଣି ଦେବୀଙ୍କ ଝିଅ। ଏହାସହ ତାଙ୍କ ଜେଜେ ସ୍ଵପ୍ନେଶ୍ଵର ପାଣିଗ୍ରାହୀ ଥିଲେ ଜଣେ ସ୍ଵାଧିନତା ସଂଗ୍ରାମୀ।

କଟକର ଝିଅ ନନ୍ଦିନୀ ଦେବୀ ଦେବେନ୍ଦ୍ର ଶତପଥୀଙ୍କୁ ବିବାହ କରି ଢେଙ୍କାନାଳର ବୋହୂ ହୋଇଥିଲେ। ଦେବେନ୍ଦ୍ର ଢେଙ୍କାନାଳରୁ ଲୋକସଭା ସାଂସଦ ଭାବେ ଦୁଇଥର ନିର୍ବାଚିତ ହୋଇଥିଲେ। ତାଙ୍କର ବଡ଼ ପୁଅ ନଚିକେତା ଶତପଥୀ ଓ ସାନପୁଅ ତଥାଗତ ଶତପଥୀ। ତଥାଗତ ଶତପଥୀ ମଧ୍ୟ ଓଡ଼ିଶା ରଜନୀତିର ଜଣେ ଜଣାଶୁଣା ବ୍ୟକ୍ତିତ୍ଵ। ବର୍ତ୍ତମାନ ସେ ରାଜନୀତିରୁ ଦୂରେଇ ସାମ୍ଵାଦିକତାରେ ମନୋନିବେଶ କରୁଛନ୍ତି।

ଛାତ୍ରୀ ଜୀବନରୁ ରାଜନୀତି ଓ ସାହିତ୍ୟ ପ୍ରତି ବେଶ ଆକର୍ଷିତ ଥିଲେ ନନ୍ଦିନୀ। ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ହାସଲ କରିଥିଲେ। ୧୯୪୬ ମସିହାରେ ମହାବିଦ୍ୟାଳୟ କୋଠା ଉପରୁ ୟୁନିୟନ ଜ୍ୟାକ ପତାକା କାଢ଼ି ସେ ସାହାସିକତାର ପରିଚୟ ଦେଇଥିଲେ। ଏହାସହ ସେ ୧୯୫୧ ମସିହାରେ ଛାତ୍ର ଆନ୍ଦୋଳନର ନେତୃତ୍ଵ ନେଇ କାରାବରଣ କରିଥିଲେ।

ସେ ପ୍ରଥମେ ୧୯୬୨ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ପ୍ରଚାର ଓ ସୂଚନା ବିଭାଗର ଉପମନ୍ତ୍ରୀ ହୋଇଥିଲେ। ପରେ ୧୯୬୮ରେ ପୁଣି ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ପ୍ରଚାର ଓ ସୂଚନା ବିଭାଗର ରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ। ନନ୍ଦିନୀ ଶତପଥୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଘନିଷ୍ଠ ଥିଲେ।

ସେ ୧୯୭୨ରୁ ୭୩ ଓ୧୯୭୪ରୁ ୭୬ ପର୍ଯ୍ୟନ୍ତ ଦୁଇ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ଏହାପରେ ସେ କଂଗ୍ରେସରୁ ବାହାରି ଜନତା ଦଳରେ ଯୋଗ ଦେଇଥିଲେ। ୧୯୭୭ରୁ ୮୦ ପର୍ଯ୍ୟନ୍ତ ସେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଏହାପରେ ସେ ଉତ୍କଳ ପ୍ରଦେଶ କଂଗ୍ରେସ ଦଳରେ କିଛି ଦିନ କାର୍ଯ୍ୟ କରିଥିଲେ। ଏହାପରେ ସେ ପୁଣି କଂଗ୍ରେସରେ ଯୋଗ ଦେଇଥିଲେ। ଏହି ସମୟରେ ସେ ୧୯୮୦-୮୫, ୧୯୮୫-୯୦ ଓ ୧୯୯୦-୦୯୫ ପର୍ଯ୍ୟନ୍ତ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ସେ ୧୯୮୯ ଓ ୧୯୯୫ ମସିହାରେ ସେ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟ ଭାବେ କାର୍ଯ୍ୟ କରିଥିଲ।

The post ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ – ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ appeared first on OdishaLIVE.


Viewing all articles
Browse latest Browse all 11715

Trending Articles