Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଆସିଲା ଭୋଟ ବାହୁଡ଼ା ମତ – ପଶ୍ଚିମବଙ୍ଗରେ ପୁଣି ଦିଦି! ତାମିଲନାଡୁ, ପୁଡ଼ୁଚେରୀରେ ବଦଳିବ ସରକାର

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସରିଛି ଭୋଟ। ମେ’୨ରେ ହେବ ଭୋଟ ଗଣତି।  ଏହା ପୂର୍ବରୁ ଆସିଛି ଏକ୍‌ଜିଟ୍ ପୋଲ୍ ଫଳାଫଳ।

ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ଲାଗି ମତଦାନ ଶେଷ ହୋଇଛି। ମେ’ ୨ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ତା’ ପୂର୍ବରୁ ଗୁରୁବାର ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ ପୋଲ୍‌ ଫଳାଫଳ ପ୍ରକାଶ ପାଇଛି। ଏକଜିଟ ପୋଲ୍‌ ତଥ୍ୟ ଆଧାରରେ ଏହି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସରକାର ଗଠନ ନେଇ ପୂର୍ବାନୁମାନ କରାଯାଇଛି।

ପଶ୍ଚିମବଙ୍ଗରେ ପୁଣି ମମତା!

ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ରହିବ ବୋଲି କେତେକ ସଂସ୍ଥା ଅନୁମାନ କରିଥିଲା ବେଳେ ଆଉ କେତେକ ସଂସ୍ଥା ଏଠାରେ ବିଜେପି ଓ ଟିଏମସି ଭିତରେ କଡ୍ଡା ଟକ୍କର ହେବ ବୋଲି ଅନୁମାନ କରିଛନ୍ତି। ତେବେ କେତେକ ସଂସ୍ଥାର ତଥ୍ୟ ଅନୁଯାୟୀ ପଶ୍ଚିମବଙ୍ଗରେ ୨୯୪ ଆସନରୁ ୧୪୯ ଆସନରେ ଟିଏମସିର ବିଜୟ ହୋଇପାରେ। ବିଜେପି ୧୧୬ ଆସନ ଦଖଲ କରିପାରେ। ଯଦି ଏହି ଅନୁମାନ ସତ ହୁଏ ତେବେ ପଶ୍ଚିମବଙ୍ଗରେ ହ୍ୟାଟ୍ରିକ କରିବେ ମମତା ବାନାର୍ଜୀ।

ତାମିଲନାଡୁରେ ଡିଏମକେ-କଂଗ୍ରେସ ମେଣ୍ଟ ସରକାର

ଏକଜିଟ ପୋଲ ମୁତାବକ ତାମିଲନାଡୁରେ ୨୩୪ ବିଧାନସଭା ଆସନରୁ କଂଗ୍ରେସ ଡିଏମ୍‌କେ ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିବ। ଏହି ମେଣ୍ଟକୁ ୪୬.୭ ପ୍ରତିଶତ ଭୋଟ ମିଳିବା ନେଇ ଆକଳନ କରାଯାଇଥିଲା ବେଳେ ଏଆଇଏଡିଏମ୍‌କେ-ବିଜେପି ମେଣ୍ଟକୁ ୩୫ ପ୍ରତିଶତ ଭୋଟ ମିଳିବା ନେଇ ଆକଳନ କରାଯାଇଛି। ଡିଏମ୍‌କେ ମେଣ୍ଟ ୧୬୦ରୁ ୧୭୨ ଆସନ ଦାଖଲ କରିପାରେ। ବିଜେପି-ଏଆଇଏଡିଏମ୍‌କେରୁ ୫୮ରୁ ୭୧ ଆସନ ମିଳିବା ଅନୁମାନ କରାଯାଉଛି।

ଆସାମରେ ବିଜେପି

ଆସାମର ମୋଟ ୧୨୬ ଆସନରୁ କେତେକ ସଂସ୍ଥାଙ୍କ ଅନୁମାନ ଯେ ଆସାମରେ ବିଜେପିକୁ ୭୫ରୁ ୮୫ ଆସନ, କଂଗ୍ରେସକୁ ୪୦ରୁ ୫୦ ଆସନ ଏବଂ ଅନ୍ୟାନ୍ୟକୁ ୧ରୁ ୪ ଆସନ ମିଳିପାରେ। ତେଣୁ ଏଠାରେ ବିଜେପି ପୁଣି ସରକାର ଗଢ଼ିବ ବୋଲି ଆକଳନ କରାଯାଇଛି।

କେରଳରେ କ୍ଷମତାକୁ ଫେରିବ ବାମମେଣ୍ଟ!

କେରଳରେ ୧୪୦ ଆସନରୁ ସିପିଏମ୍‌ ନେତୃତ୍ୱାଧୀନ ଏଲଡିଏଫ୍‌କୁ ୧୦୪ରୁ ୧୨୦ ଆସନ ଏବଂ କଂଗ୍ରେସ ନେତୃତ୍ୱାଧୀନ ୟୁଏଡିଏଫ୍‌କୁ ୨୦ରୁ ୩୬ ଆସନ ମିଳିବା ଅନୁମାନ କରାଯାଉଛି। ଏଠାରେ ବିଜେପକୁ ୦-୨ ଆସନ ମିଳିପାରେ ବୋଲି କୁହାଯାଉଛି। ତେଣୁ ଏଠାରେ ପୁଣିଥରେ ବାମମେଣ୍ଟ କ୍ଷମତାକୁ ଫେରିବ।

ପୁଡୁଚେରୀରେ ଏନଡିଏ!

ପୁଡୁଚେରୀରେ ମୋଟ ୩୩ ଆସନରୁ ବିଜେପି ନେତୃତ୍ୱାଧୀନ ଏନଡିଏ ୧୯ରୁ ୨୩ ଆସନ ପାଇ ସରକାର ଗଢ଼ିବ ବୋଲି ଆକଳନ କରାଯାଇଛି। କଂଗ୍ରେସ ନେତୃତ୍ୱାଧୀନ ୟୁପିଏକୁ ୬ରୁ ୧୦ ଆସନ ମିଳିପାରେ। ତେଣୁ ଏଠାରେ ୟୁପିଏକୁ ହରାଇ ଏନଡିଏ ସରକାର ଗଠନ କରିବାର ସମ୍ଭାବନା ରହିଛି।

The post ଆସିଲା ଭୋଟ ବାହୁଡ଼ା ମତ – ପଶ୍ଚିମବଙ୍ଗରେ ପୁଣି ଦିଦି! ତାମିଲନାଡୁ, ପୁଡ଼ୁଚେରୀରେ ବଦଳିବ ସରକାର appeared first on OdishaLIVE.


Viewing all articles
Browse latest Browse all 11715

Trending Articles