Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଅସହ୍ୟ ହେଲାଣି ଖରା –ପାଣିପାଗ ବିଭାଗର ପୂର୍ବାନୁମାନ ଆଗକୁ ବି ନିସ୍ତାର ନାହିଁ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ତାତିଲାଣି ସାରା ଓଡ଼ିଶା। ଆଗକୁ ତାପାମାତ୍ରା ଆହୁରି ବଢ଼ିବା ନେଇ ପାଣିପାଗ ବିଭାଗର ଆଶଙ୍କା।  

ସକାଳ ୧୦ ପରେ ଘରୁ ବାହାରିବାକୁ ଭୟ ଲାଗିଲାଣି। ବାହାରକୁ ପାଦ କାଢୁ କାଢୁ ଟାଇଁ ଟାଇଁ ଖରାରେ ଦେହହାତ ସିଝି ଯାଉଛି। ଲାଗୁଛି ସତେ ଯେମିତି ଆକାଶରୁ ନିଆଁ ପିଣ୍ଡୁଳା ଖସୁଛି। ଏପ୍ରିଲ ମାସ ଆରମ୍ଭ ନ ହେଉଣୁ ରାଜ୍ୟରେ ଏଭଳି ଗ୍ରୀଷ୍ମ ପରିସ୍ଥିତି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଲାଣି। ଆଗକୁ ଯେ ସ୍ଥିତି କେତେ ଭୟାନକ ହେବ ଏଥିରୁ ଅନୁମାନ କରାଯାଇପାରେ।ଖରା ପାଇଁ ଅନେକ ସହରର ରାସ୍ତାଘାଟ ଏବେ ଖାଁ ଖାଁ ହୋଇପଡ଼ିଛି। ଏହାରି ମଧ୍ୟରେ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ଆସନ୍ତା ଦୁଇଦିନ ରାଜ୍ୟରେ ତାପମାତ୍ରା ହୁ ହୁ ହୋଇ ବଢ଼ିବ। ଆଭ୍ୟନ୍ତରୀଣରୁ ଉପକୂଳ ଓଡ଼ିଶା, କୌଣସି ଅଞ୍ଚଳକୁ ଗରମରୁ ନିସ୍ତାର ମିଳିବ ନାହିଁ। ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓଡ଼ିଶାବାସୀଙ୍କୁ ଛଟପଟ୍ କରିଦେବ।

ଏଥିପାଇଁ ମଙ୍ଗଳବାର ରାଜ୍ୟର ୨୦ଟି ଜିଲ୍ଲା ପାଇଁ ୟେଲୋଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୟେଲୋଓ୍ଵାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ଵଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ଵର।

ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଏହିସବୁ ଜିଲ୍ଲାଗୁଡ଼ିକରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଏଥିପାଇଁ ଲୋକମାନେ ଅଧିକ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।ମଙ୍ଗଳବାର ରାଜ୍ୟରେ ଏ ଋତୁର ସବୁଠାରୁ ଅଧିକ ଖରା ଅନୁଭୂତ ହୋଇଛି। ଦେଶର ସବୁଠୁ ଉତପ୍ତ ସହର ଭାବେ ମଙ୍ଗଳବାର ମୟୂରଭଞ୍ଜର ବାରିପଦା ସହରରୁ ସର୍ବାଧିକ ୪୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ତାଳଚେର, ବୌଦ୍ଧ, ଝାରସୁଗୁଡ଼ା, ବଲାଙ୍ଗିର, ଟିଟିଲାଗଡ଼, ଅନୁଗୁଳ, ସୋନପୁର, ନୟାଗଡ, ବାଲେଶ୍ୱର, ହୀରାକୁଦ, ସମ୍ବଲପୁର, ଭବାନୀପାଟଣା, ମାଲକାନଗିରି, ସୁନ୍ଦରଗଡ଼ ଓ କଟକ ଆଦି ଜିଲ୍ଲରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।

ପାଣିପାଗ ବିଭାଗର ସୂଚନା ଅନୁସାରେ ବାଲେଶ୍ଵର ଏବଂ କଟକରେ ଗତକାଲିର ତାତି ୧୦ ବର୍ଷର ରେକର୍ଡ ଭାଙ୍ଗିଛି। ୨୦୧୧ରୁ ୨୦୨୦ ମଧ୍ୟରେ ମାର୍ଚ୍ଚ ୩୦ବେଳକୁ ଉଭୟ ଜିଲ୍ଲାରେ ତାପମାତ୍ରା ଯଥାକ୍ରମେ ୩୯.୨ ଡିଗ୍ରୀ ଏବଂ ୪୦.୧ ଡିଗ୍ରୀ ରହିଥାଏ। କିନ୍ତୁ ୨୦୨୧, ମାର୍ଚ୍ଚ ୩୦ରେ ଏହା ୪୧.୪ ଡିଗ୍ରୀ ଏବଂ ୪୦.୫ ଡିଗ୍ରୀରେ ପହଞ୍ଚିଛି।

The post ଅସହ୍ୟ ହେଲାଣି ଖରା – ପାଣିପାଗ ବିଭାଗର ପୂର୍ବାନୁମାନ ଆଗକୁ ବି ନିସ୍ତାର ନାହିଁ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images