ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଅନେକ ଲୋକପ୍ରିୟ ସଙ୍ଗୀତ ଭେଟି ଦେଇଛନ୍ତି ଜେ ଆଦେନୀ । ତାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
‘ନିଦ ଭରା ରାତି ମଧୁ ଝରା ଜହ୍ନ, ଫିକା ଫିକା ଏଇ ଜୋଛନା..’ ଏଭଳି ଅନେକ ଓଡ଼ିଆ ସଙ୍ଗୀତ ତାଙ୍କୁ ଦେଇଥିଲା ପରିଚୟ। ସେ ହେଉଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ୍ ଆଦେନୀ। ଜନ୍ମରୁ ସେ କଳାକୁ ବହୁତ ଭଲପାଉଥିଲେ। ତେଣୁ ସେ ଗାଁ ନାଟକରୁ ଆରମ୍ଭ କରି ସ୍କୁଲ ଓ କଲେଜ ଡ୍ରାମାରେ ଅଂଶ ଗ୍ରହଣ କରୁଥିଲେ। ନିଜର ଅଭିନୟ ମାଧ୍ୟମରେ ସେ ସୃଷ୍ଟି କରିଥିଲେ ଏକ ସ୍ୱତନ୍ତ୍ର ପରିଚୟ।
୧୯୩୬ ଜୁନ୍ ୨୩ରେ ଆଦେନୀଙ୍କ ଜନ୍ମ ଗଞ୍ଜାମ ଜିଲ୍ଲା ଭଞ୍ଜନଗରଠାରେ ହୋଇଥିଲା। ପେସାରେ ସେ ଜଣେ ଇଞ୍ଜିନିୟର ଥିଲେ। କିନ୍ତୁ ପିଲାବେଳୁ କଳା ପ୍ରତି ଥିବା ଭଲପାଇବା ତାଙ୍କୁ ବୃତ୍ତିରେ ବାନ୍ଧି ରଖି ପାରିନଥିଲା। ଶେଷରେ ସେ କଳାକୁ ଆପଣାଇ ନିଜର ଚାକିରି ଛାଡ଼ି ଜନ୍ମଭୂମି ଓଡ଼ିଶାକୁ ଫେରି ଆସିଥିଲେ।
ଓଲିଉଡରେ ଆଦେନୀ
ଇଞ୍ଜିନିୟରିଂ ଚାକିରି ଛାଡ଼ି ବ୍ରହ୍ମପୁରରେ ଏକ ଥିଏଟର ଖୋଲିଥିଲେ। କିନ୍ତୁ ଏଥିରେ ବିଫଳ ହୋଇ ସିନେମା ତିଆରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କୌଣସି କାରଣରୁ ଅଧା କାମରେ ବନ୍ଦ ହୋଇଯାଇଥିଲା ସିନେମା। ୧୯୭୭ରେ ‘ଅନୁତାପ’ ନାମରେ ଏକ ଓଡ଼ିଆ ଚଳଚ୍ଚିତ୍ର ପ୍ରସ୍ତୁତ କଲେ। ଏହି ଚଳଚ୍ଚିତ୍ରରେ ଥିବା ୪ ସଙ୍ଗୀତ ତାଙ୍କୁ ବେଶ ସଫଳତା ଦେଇଥିଲା। ସେ ସମୟରେ ଅଧିକ ଲୋକପ୍ରିୟ ହାସଲ କରିଥିଲା ତାଙ୍କ ସିନେମା ‘ଅନୁତାପ’। ଏହି ଚଳଚ୍ଚିତ୍ରରେ ଥିବା ‘ନିଦ ଭରା ରାତି’ ସଙ୍ଗୀତକୁ ଏବେବି ଲୋକ ମନ ରଖିଛନ୍ତି।
ଏହାପରେ ସେ ‘ହୀରା ମୋତି ମାଣିକ’, ‘ବାସନ୍ତୀ ଅପା’ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ତାଙ୍କ ଲୋକପ୍ରିୟ ସଙ୍ଗୀତ ମଧ୍ୟରେ ‘ନୂପୁର କାହିଁକି ମୁଁ ବାନ୍ଧିଲି’, ‘ମୁଁ ତୁମକୁ ଭଲ ପାଏ ଲୁଚି ଲୁଚିକା’, ‘ରୁଷିଛି ଅଭିମାନିନୀ’, ‘ଗଙ୍ଗା ହେ କୁହ, ‘ସବୁରି କଳଙ୍କ ଦେଲେ ଯେବେ ତୁମେ ଧୋଇ’ ଇତ୍ୟାଦିକୁ ଏବେବି ଲୋକମାନଙ୍କ ମୁହଁରେ ଶୁଶିବାକୁ ମିଳୁଛି।
ବଲିଉଡରେ ଆଦେନୀ
ଜେ ଆଦେନୀ ଓଲିଉଡ୍ ସହ ବଲିଉଡରେ ମଧ୍ୟ କାମ କରିଛନ୍ତି। ୧୯୯୨ରେ ‘ହମ୍ନେ ପ୍ୟାର କିୟା’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ। ପରେ ୧୯୯୪ରେ ‘ପ୍ରେମ ଉପହାର’ ଓ ‘ପ୍ରେମ କୁମାର’ର ନିର୍ଦ୍ଦେଶନା ଦେଇ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ଜୀବନ କାଳରେ ସେ ଅନେକ ସଟ୍ ଫିଲ୍ମ ଓ ସଙ୍ଗୀତ ନିର୍ମାଣ କରିଛନ୍ତି।
ମାର୍ଚ୍ଚ ୨୯ରେ ହୃଦ୍ଘାତରେ ଜେ ଆଦେନୀ ବିୟୋଗ ଘଟିଛି। କିଛି ଦିନ ହେବ ସେ ଅସୁସ୍ଥ ଥିଲେ। କଟକ ସ୍ଥିତ ବକ୍ସିବଜାର ପେନ୍ସନ ଲେନଠାରେ ଥିବା ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ତାଙ୍କ ବିୟୋଗରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେ ଆଦେନୀଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି।
The post ‘ନିଦ ଭରା ରାତି ମଧୁ ଝରା ଜହ୍ନ…’ରୁ ଆରମ୍ଭ ହୋଇଥିଲା ଆଦେନୀଙ୍କ ସଫଳତାର ଯାତ୍ରା appeared first on OdishaLIVE.