Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କେତେବେଳେ ଲାଗୁ ହୁଏ ରାଷ୍ଟ୍ରପତି ଶାସନ, କ’ଣ ପଡ଼େ ପ୍ରଭାବ?

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଛି ଦିନ ପରେ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହୋଇଥାଆନ୍ତା। ହେଲେ ନିର୍ବାଚନ ପୂର୍ବରୁ ପୁଡୁଚେରୀରେ କ୍ଷମତାସୀନ କଂଗ୍ରେସ ସରକାର ଭୁଶୁଡ଼ି ପଡ଼ିଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ କହିବା ମୁତାବକ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ଵାମୀ ନିଜ ପଦରୁ ଇସ୍ତଫା ଦେବା ପରେ ଅନ୍ୟ କୌଣସି ପାର୍ଟି ଏଠାରେ ସରକାର ଗଠନ ପାଇଁ ଦାବି କରିନାହାନ୍ତି। ଫଳରେ ଏହି କେନ୍ଦ୍ରଶାସିତ ପ୍ରଦେଶର ଉପରାଜ୍ୟପାଳଙ୍କ ସୁପାରିଶ ପରେ କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ପାଇଁ ରାଷ୍ଟ୍ରପତିଙ୍କୁ ପ୍ରସ୍ତାବ ପଠାଇଛନ୍ତି। ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଲେ ଏଠାରେ ରାଷ୍ଟ୍ରପତି ଶାସନ ଜାରି ହେବ। ତେବେ ଆପଣ ଜାଣିଛନ୍ତି କି, ରାଷ୍ଟ୍ରପତି ଶାସନ କେବେ ଓ କାହିଁକି ଲାଗିଥାଏ, ଏନେଇ ଆମ ସମ୍ବିଧାନରେ କ’ଣ ଉଲ୍ଲେଖ ରହିଛି?

କେତେବେଳେ ଲାଗୁ ହୁଏ ରାଷ୍ଟ୍ରପତି ଶାସନ?

ଭାରତୀୟ ସମ୍ବିଧାନର ଧାରା ୩୫୬ରେ ରାଷ୍ଟ୍ରପତି ଶାସନର ବ୍ୟବସ୍ଥା ରହିଛି। ଯଦି କୌଣସି ରାଜ୍ୟରେ ସରକାର ସମ୍ବିଧାନର ନିୟମ ଅନୁଯାୟୀ କାର୍ଯ୍ୟ କରିବାରେ ଅସମର୍ଥ ହୁଅନ୍ତି, ତେବେ ରାଷ୍ଟ୍ରପତି ଚାହିଁଲେ ଉକ୍ତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିପାରିବେ।

ରାଜ୍ୟରେ ଯଦି କୌଣସି ଦଙ୍ଗା କିମ୍ବା ଅଶାନ୍ତି ସୃଷ୍ଟି ହୁଏ ଏବଂ ସରକାର ଏହାକୁ ସମ୍ଭାଳିବାରେ ଅସମର୍ଥ ହୁଅନ୍ତି ତାହେଲେ ମଧ୍ୟ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇପାରିବ। ଏନେଇ ସମ୍ବିଧାନରେ ଉଲ୍ଲେଖ ରହିଛି।

ସଂସଦରେ ଦୁଇ ସଦନରେ ରାଷ୍ଟ୍ରପତି ଶାସନକୁ ଅନୁମୋଦନ ମିଳିଲେ ଆଗାମୀ ୬ ମାସ ଯାଏଁ ଉକ୍ତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବ। ୬ ମାସ ପରେ ରାଜ୍ୟରେ କୌଣସି ସୁଧାର ନଆସିଲେ ରାଷ୍ଟ୍ରପତି ଶାସନ ସମୟ ସୀମାକୁ ବଢ଼ାଯାଇପାରିବ। ଏହିପରି ଭାବେ ୩ ବର୍ଷ ଯାଏଁ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରିବା ନେଇ ଭାରତୀୟ ସମ୍ବିଧାନରେ ଉଲ୍ଲେଖ ରହିଛି।

ସଂଖ୍ୟାଗରିଷ୍ଠତା ନପାଇ ସରକାର ଗଢ଼ିବାରେ ଅସମର୍ଥ ହେଲେ

ଯେତେବେଳେ ରାଜ୍ୟରେ ଗୋଟିଏ ଦଳ କିମ୍ବା ଦଳୀୟ ମେଣ୍ଟ ପାଖରେ ସଂଖ୍ୟା ଗରିଷ୍ଠତା ନଥାଏ ଏବଂ ରାଜ୍ୟରେ ସରକାର ଗଠନ ସମ୍ଭବ ହୋଇନଥାଏ, ସେହି ପରିସ୍ଥିତିରେ ଉକ୍ତ ରାଜ୍ୟରେ ୬ ମାସ ଯାଏଁ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥାଏ। ଏହି ସମୟରେ ରାଜ୍ୟପାଳ ବିଧାନସଭାକୁ ୬ ମାସ ଯାଏଁ ମୁଲତବି ବା ସସ୍‌ପେଣ୍ଡ କରିଥାନ୍ତି। ଏହି ୬ ମାସ ମଧ୍ୟରେ ସରକାର ଗଠନ ନେଇ ସମ୍ଭାବନା ସୃଷ୍ଟି ନହେଲେ ରାଜ୍ୟରେ ପୁଣିଥରେ ନିର୍ବାଚନ ପାଇଁ ବିଗୁଲ ବାଜିବ।

କାହିଁକି କୁହାଯାଏ ରାଷ୍ଟ୍ରପତି ଶାସନ?

ରାଷ୍ଟ୍ରପତି ଶାସନରେ ରାଜ୍ୟର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଏକ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ସିଧା ଦେଶର ରାଷ୍ଟ୍ରପତିଙ୍କ ହାତକୁ ଚାଲିଯାଇଥାଏ। ତେଣୁ ଏହାକୁ ରାଷ୍ଟ୍ରପତି ଶାସନ କୁହାଯାଏ। ହେଲେ ପ୍ରଶାସନିକ ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟର ସମସ୍ତ ଶାସନଭାର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥାଏ। ରାଷ୍ଟ୍ରପତିଙ୍କ ପ୍ରତିନିଧି ସ୍ୱରୂପ ରାଜ୍ୟପାଳ ଉକ୍ତ ରାଜ୍ୟର ଶାସନଭାର ସମ୍ଭାଳିଥାନ୍ତି।

କେତେ ସମୟ ପାଇଁ ରହେ ରାଷ୍ଟ୍ରପତି ଶାସନ?

ସମ୍ବିଧାନର ଧାରା ୩୫୬ ଅନୁଯାୟୀ ରାଷ୍ଟ୍ରପତିଙ୍କ ଶାସନ ସମୟ ୬ ମାସ ହୋଇପାରେ। ରାଷ୍ଟ୍ରପତିଙ୍କ ଶାସନ ହଟାଇବାକୁ ସଂସଦର ଅନୁମୋଦନ ଆବଶ୍ୟକ ନାହିଁ। ରାଷ୍ଟ୍ରପତି ଶାସନର ସମୟକୁ ଅଧିକ ବୃଦ୍ଧି କରିବା ପାଇଁ ବଡ଼ କାରଣ ଆବଶ୍ୟକ।

କ’ଣ ପଡ଼େ ପ୍ରଭାବ?

ଯେତେବେଳେ କେଉଁଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୁଏ, ସେତେବେଳ ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼େ ନାହିଁ। କିନ୍ତୁ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ରାଜ୍ୟରେ ନୂତନ ନୀତି ଏବଂ ନୂତନ ଆଇନ ପ୍ରଣୟନ କରାଯାଇପାରେ ନାହିଁ।

The post କେତେବେଳେ ଲାଗୁ ହୁଏ ରାଷ୍ଟ୍ରପତି ଶାସନ, କ’ଣ ପଡ଼େ ପ୍ରଭାବ? appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images