Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣକୁ ୩ ବର୍ଷ – ଉପହାର ନାଁରେ ମିଳିଥିଲା ମୃତ୍ୟୁର ବୋମା

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ହେଲା ୩ ବର୍ଷ।

ଆଖିରେ ଆଖିଏ ସ୍ୱପ୍ନ ଏବଂ ମନରେ ନୂଆ ଆଶା ନେଇ ପାଟଣାଗଡ଼ର ରବୀନ୍ଦ୍ର ସାହୁଙ୍କ ପୁଅ ସୌମ୍ୟଶେଖରଙ୍କ ହାତ ଧରିଥିଲେ ରିମା। ସୌମ୍ୟଶେଖର ବେଙ୍ଗାଳୁରରେ ଥିଲେ ସଫ୍ଟ ୱେୟାର ଇଞ୍ଜିନୟର। ଦେଖିବାକୁ ବି ସୁନ୍ଦର ଏବଂ ଶାନ୍ତ ସ୍ୱଭାବର। ସୌମ୍ୟଶେଖରଙ୍କ ହାତ ଧରି ସୁନାର ସଂସାର ଗଢ଼ିବା ପାଇଁ ରିମା ଦେଖିଥିଲେ ସ୍ୱପ୍ନ। ହେଲେ ସେ ସ୍ୱପ୍ନ ବେଶିଦିନ ରହିଲା ନାହିଁ। ସୌମ୍ୟଶେଖର ଏବଂ ରିମା ପରସ୍ପରକୁ ଭଲଭାବେ ଚିହ୍ନିବା ଆଗରୁ ସବୁକିଛି ଉଜୁଡ଼ି ଯାଇଥିଲା। ବାହାଘରର ମାତ୍ର ଚାରି ଦିନ ପରେ ତାଙ୍କ ସୁନାର ସଂସାର ଚୁନା ହୋଇଯାଇଥିଲା। ଏହି ଘଟଣାକୁ ଫେବ୍ରୁଆରି ୨୩ ତାରିଖରେ ୩ ବର୍ଷ ହୋଇଛି। ହେଲେ ଆଜିବି ରିମାଙ୍କୁ ଆଖିରୁ ଲୁହ ଶୁଖିନି। ଏବେ ବି ସୌମ୍ୟଙ୍କୁ ଝୁରି ହେଉଛନ୍ତି ରିମା।

‘‘ସ୍ୱୌମ୍ୟ ବହୁତ ସ୍ନେହି ଥିଲେ। ସେ ମୋର ବହୁତ କେୟାର କରୁଥିଲେ। ସଂଖର ସଂସାର ପାଇଁ ଆମେ ଦୁହେଁ ବହୁତ ସ୍ୱପ୍ନ ଦେଖିଥିଲୁ। କିନ୍ତୁ ସ୍ୱପ୍ନ ପୂରା ହେବା ଆଗରୁ ସେ ଚାଲିଗଲେ। ଏବେ ମୁଁ ସ୍ୱପ୍ନ ଦେଖିବା ଛାଡ଼ି ଦେଇଛି’’, ସୌମ୍ୟଙ୍କୁ ଝୁରି ଏଭଳି କହିଛନ୍ତି ରିମା।

କେମିତି ଘଟିଥିଲା ସେହି ଛାତିଥରା ବିସ୍ଫୋରଣ?

ସୌମ୍ୟ ଓ ରିମାଙ୍କ ରିସେପ୍ସନ ପାର୍ଟି ଦିନ ତାଙ୍କୁ ଏକ ଗିଫ୍ଟ ପ୍ୟାକେଟ ମିଳିଥିଲା। ଗିଫ୍ଟ ପ୍ୟାକେଟ ଖୋଲୁ ଖୋଲୁ ବମ୍‌ ବିସ୍ଫୋରଣ ହୋଇଥିଲା। ଏଥିରେ  ସୌମ୍ୟଶେଖର ପ୍ରାଣ ହରାଇଥିବା ବେଳେ ରିମା ଗୁରୁତର ହୋଇଯାଇଥିଲେ। ତାଙ୍କ ଶରୀର ଅଧା ଅଂଶ ପୋଡ଼ି ଯାଇଥିଲା। ସେ ସଂଜ୍ଞାହୀନ ହୋଇଯାଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ବୁର୍ଲାରୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଗୋଟିଏ ପଟେ ରିମା ବଡ଼ ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ୱାର୍ଡର ବେଡରେ ଛଟପଟ ହେଉଥିବା ବେଳେ ଆର ପଟେ ସୌମ୍ୟଶେଖରଙ୍କ ଜୁଇ ଜଳିଥିଲା। ହେଲେ ଏସବୁ ବିଷୟରେ ରିମା କିଛି ଜାଣି ନଥିଲେ।

 ସ୍ୱାମୀର ମୃତ୍ୟୁ ଖବର ପାଇ ଝିଅ କାଳେ ଭାଙ୍ଗି ପଡ଼ିବ ସେଥିପାଇଁ ପରିବାର ବର୍ଗ ବି ତାଙ୍କୁ କଥା ଲୁଚାଇଥିଲେ। ହେଲେ ସତ କେବେ ଲୁଚି ରହେନା ଭଳି ରିମା ବିଳମ୍ବରେ ହେଲେ ବି ସବୁ କଥା ଜାଣିପାରିଥିଲେ। ସ୍ୱାମୀଙ୍କ ମୃତ୍ୟୁର ୨୦ ଦିନ ପରେ ରିମା ଯେତେବେଳେ ମେଡିକାଲରେ ସକାଳ ଜଳଖିଆ ଖାଉଥିଲେ ସେତେବେଳେ ତାଙ୍କ ନଜର ପୁରୁଣା ଖବରକାଗଜ ଉପରେ ପଡ଼ିଥିଲା। ଏହି ଖବର ପଢ଼ି ରିମା ଅସ୍ଥିର ହୋଇଯାଇଥିଲେ। ନିଜ ସ୍ୱାମୀଙ୍କ ମୃତ୍ୟୁ କଥା ଖବରକାଗଜରୁ ପଢ଼ି ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ପରିବାର ଲୋକ ବୁଝାଇଥିଲେ।

କଟକ ବଡ଼ ମେଡିକାଲରୁ ସୁସ୍ଥ ହୋଇ ରିମା ଏବେ ସୋନପୁରରେ ତାଙ୍କ ବାପାଙ୍କ ଘରେ ଅଛନ୍ତି। ଝିଅର ମନକୁ ହାଲୁକା କରିବା ପାଇଁ ବାପା-ମା’ ପ୍ରୟାସ କରୁଥିଲେ ବି କୋହ ସମ୍ବରଣ କରିପାରୁ ନାହାନ୍ତି ରିମା। ତାଙ୍କ ଆଖିରେ ସେହି ଫେବ୍ରୁଆରି ୨୩ ତାରିଖର ଘଟଣା ନାଚି ଉଠୁଛି। ଏହି ଘଟଣାର ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହଟ୍ଟା କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଏବେ ଜେଲରେ ଅଛି।

The post ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣକୁ ୩ ବର୍ଷ – ଉପହାର ନାଁରେ ମିଳିଥିଲା ମୃତ୍ୟୁର ବୋମା appeared first on OdishaLIVE.


Viewing all articles
Browse latest Browse all 11715

Trending Articles