ଓଡ଼ିଶାଲାଇଭ୍ ବ୍ୟୁରୋ![]()
କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଶୁକ୍ରବାର ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ଦେଶର ବିଭିନ୍ନ ରାଜ୍ୟରେ କଂଗ୍ରେସ କର୍ମୀମାନେ ରାଜ୍ୟପାଳଙ୍କ ବାସଭବନକୁ ଘେରିବା ସହିତ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ଦିଲ୍ଲୀରେ ରାଜଭବନକୁ ଘେରାଉ କରିଛନ୍ତି।
ଶୁକ୍ରବାର ରାହୁଲ କଂଗ୍ରେସ କର୍ମୀଙ୍କ ଏକ ବିଶାଳ ରାଲି ସହିତ ରାଜଭବନ ଅଭିମୁଖେ ବାହାରିଥିଲେ। ନାରାବାଜିରେ ଚାରିଆଡ଼େ କେବଳ କୃଷକଙ୍କୁ ନ୍ୟାୟ ଦାବି କରାଯାଇଥିଲା। ରାଜଭବନକୁ ଘେରିବା ପରେ ରାହୁଲ ଓ ପ୍ରିୟଙ୍କା ଜନ୍ତର ମନ୍ତର ଯାଇଥିବା ସୂଚନା ମିଳିଛି।ଏପଟେ ଓଡ଼ିଶାରେ ମଧ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକ ଓ କର୍ମୀମାନେ ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥଇଲେ। କୃଷି ଆଇନକୁ କଳା ଆଇନ୍ ବୋଲି କହି ଏହାକୁ ତୁରନ୍ତ ଫେରସ୍ତ ନେବାକୁ ଦାବି କରାଯାଇଛି। ଚାଷୀଙ୍କ ପାଇଁ କଂଗ୍ରେସ ସବୁବେଳେ ଛିଡ଼ା ହୋଇଛି ଏବଂ ଆଗକୁ ଛିଡ଼ା ହେବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରୁଥିବାବେଳେ ପୋଲିସ ସହ ସେମାନଙ୍କ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ହାତାହାତିରେ ପୋଲିସ ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି କଂଗ୍ରେସ ଆଜି ‘କୃଷକ ଅଧିକାର ଦିବସ’ ପାଳନ କରୁଛି। ଏଥିରେ ପ୍ରତ୍ୟେକ ରାଜ୍ୟର ରାଜ୍ୟପାଳଙ୍କ ବାସଭବନକୁ କଂଗ୍ରେସ କର୍ମୀମାନେ ଘେରିବା ସହିତ କୃଷି ଆଇନକୁ ଫେରସ୍ତ ନେବାକୁ ଦାବି କରାଯାଇଛି।
The post କଂଗ୍ରେସର କୃଷକ ଅଧିକାର ଦିବସ – ଦିଲ୍ଲୀରେ ରାଜଭବନ ଘେରିଲେ ରାହୁଲ, ପ୍ରିୟଙ୍କା appeared first on OdishaLIVE.