Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କରୋନା ଟିକା ନେବା ପାଇଁ କେମିତି କରିବେ ରେଜିଷ୍ଟ୍ରେସନ୍?

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରି ୧୬ରୁ ସାରା ଦେଶରେ ଆରମ୍ଭ ହେଉଛି ଟିକାକରଣ।

ସାରା ଦେଶରେ କାଲିଠୁ ଆରମ୍ଭ ହେବାକୁ ଯାଉଛି କରୋନା ଟିକାକରଣ କାର୍ଯ୍ୟକ୍ରମ। ଯେଉଁଥିରେ କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଭାରତୀୟଙ୍କୁ କୋଭିଡ୍ ଟିକା ପ୍ରଦାନ କରିବେ। ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ପରେ ବୟସ୍କ ବ୍ୟକ୍ତିମାନଙ୍କୁ ଟିକା ପ୍ରଦାନ କରାଯିବ ବୋଲି ପୂର୍ବରୁ ସୂଚନା ଦିଆଯାଇସାରିଛି।

ତେବେ ଟିକା ନେବା ପାଇଁ ଜଣେ ବ୍ୟକ୍ତିଙ୍କୁ କ’ଣ କରିବାକୁ ପଡ଼ିବ? କେନ୍ଦ୍ର ସରକାରଙ୍କ ତରଫରୁ ଜାରି ହୋଇଥିବା ‘କୋ-ୱିନ୍’ ଆପ୍ କ’ଣ ଓ ଏହା କିପରି କାମ କରେ ତାକୁ ନେଇ ଏବେ ବି ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି।କେମିତି ନେବେ ଟିକା?

କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ମୋଟ ୩୦ କୋଟି ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ଭାରତୀୟଙ୍କୁ କୋଭିଡ୍ ଟିକା ପ୍ରଦାନ କରିବେ। ଟିକା ପାଇବାକୁ ଥିବା ବ୍ୟକ୍ତି ପ୍ରଥମେ ‘କୋ-ୱିନ୍’ ମୋବାଇଲ୍ ଆପରେ ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ। ଏହି ଆପରେ ରେଜିଷ୍ଟ୍ରେସନ୍ କରିନଥିଲେ ଜଣେ ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯିବ ନାହିଁ ବୋଲି କୁହାଯାଇଛି। ତେବେ ଏଯାବତ ଏହି ଆପ୍ ଲଞ୍ଚ୍ ହୋଇନାହିଁ। ଜାନୁଆରି ୧୬ରେ ଏହା ଲଞ୍ଚ ହେବା ପରେ ଲୋକମାନେ ଏହାକୁ ପ୍ଲେ-ଷ୍ଟୋରରୁ ଡାଉନଲୋଡ୍ କରିପାରିବେ।

କୋ-ୱିନ୍ ଆପ୍ କ?

ଭାରତ ସରକାରଙ୍କ ତରଫରୁ କୁହାଯାଇଛି ଯେ, ଏହି ଆପରେ ଟିକାକରଣର ପୂରା ବିବରଣୀ ରହିବ। କେଉଁ ରାଜ୍ୟରେ କେତେ ଲୋକ ଟିକା ନେଲେ ତାହାର ସମ୍ପୂର୍ଣ୍ଣ ସୂଚନା ଏଥିରେ ଉପଲବ୍ଧ ହେବ। ତା’ସହିତ ଏହି ଆପରେ ଲୋକମାନେ ରେଜିଷ୍ଟ୍ରେସନ କରିବା ପରେ ହିଁ ସେମାନଙ୍କୁ କୋଭିଡ୍ ଟିକା ପ୍ରଦାନ କରାଯିବ ବୋଲି କୁହାଯାଇଛି।

କେମିତି କରିବେ ଡାଉନଲୋଡ୍?

ବର୍ତ୍ତମାନ ସୁଦ୍ଧା କୋ-ୱିନ୍ ଆପ୍ ପ୍ଲେ-ଷ୍ଟୋରରେ ଉପଲବ୍ଧ ହୋଇନାହିଁ। ଜାନୁଆରି ୧୬ରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଆପକୁ ଲଞ୍ଚ୍ କରିପାରନ୍ତି ବୋଲି ସୂଚନା ମିଳୁଛି। ଏହି ଆପ୍ ଲଞ୍ଚ ହେବା ପରେ ଏହା ପ୍ଲେ-ଷ୍ଟୋରରେ ଉପଲବ୍ଧ ହେବ। ସାଧାରଣ ଲୋକମାନେ ଏହାକୁ ଅତି ସହଜରେ ଡାଉନଲୋଡ୍ କରିପାରିବେ। ତେବେ ଏହି ଆପ୍ ନାଁ’ରେ ଅନେକ ଫେକ୍ ଆପ୍ ମିଳୁଥିବାରୁ ଲୋକମାନଙ୍କୁ ସତର୍କ ରହିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।କେଉଁ କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ?

କୋ-ୱିନ୍ ଆପ ଡାଉନଲୋଡ୍ କରିବା ପରେ ଜଣେ ବ୍ୟକ୍ତି ନିଜର ପରିଚୟ ପତ୍ର ଦେଇ ଏଥିରେ ରେଜିଷ୍ଟ୍ରେସନ୍ କରିପାରିବେ। ଆଧାର କାର୍ଡ, ଡାଇଭିଙ୍ଗ୍ ଲାଇସେନ୍ସ, ପାନ କାର୍ଡ, ମନରେଗା କାର୍ଡ, ପାସପୋର୍ଟ, ପେନସନ୍ ପ୍ରମାଣ ପତ୍ର ଭଳି ପରିଚୟ ପତ୍ର ଏଥିପାଇଁ ଆବଶ୍ୟକ ହେବ। ଟିକାକରଣ ପାଇଁ ଏହି ରେଜିଷ୍ଟ୍ରେସନକୁ ବାଧ୍ୟତାମୂଳକ କରାଯାଇଛି।ପାର୍ଶ୍ୱ ପ୍ରତିକ୍ରିୟା ଦେଖାଗଲେ କଣ ହେବ?

ଯଦି ସାଧାରଣ ଲୋକଟିଏ କୋଭିଡ୍ ଟିକା ନେବାପରେ ତା ଦେହରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦିଏ ତେବେ କ’ଣ କରାଯିବ ସେନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ।

ଟିକାକରଣ ସମୟରେ ପାର୍ଶ୍ୱ ପ୍ରତିକ୍ରିୟାକୁ ଆଖି ଆଗରେ ରଖି ସ୍ୱତନ୍ତ୍ର ଏଇଏଫ୍‌ଆଇ (Adverse event following immunization) କିଟ୍‌ ରଖାଯିବ। ଏଥିରେ ଆବଶ୍ୟକୀୟ ମେଡିସନ୍‌ ଓ ଇଞ୍ଜେକ୍ସନ ରହିବ। ଏହାକୁ ପରିଚାଳନା କରିବା ଲାଗି ତାଲିମ ପ୍ରାପ୍ତ ଏଏନଏମ୍‌ ଉପସ୍ଥିତ ରହିବେ। ଯଦି ମାମଲା ଅଧିକ ଗୁରୁତର ହେଲା ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଏଇଏଫ୍‌ଆଇ ସେଣ୍ଟରକୁ ସ୍ଥାନାନ୍ତରଣ କରାଯିବ। ସେଠାରେ ବ୍ୟକ୍ତିଙ୍କ ଚିକିତ୍ସା କରାଯିବ ବୋଲି ଯୋଜନା ପ୍ରସ୍ତୁତ ହୋଇଛି ବୋଲି କୁହାଯାଇଛି।

ସମସ୍ତେ ଟିକା ନେବାକୁ ବାଧ୍ୟ କି?

ଭାରତରେ କୋଭିଡ୍ ଟିକାକରଣକୁ ବାଧ୍ୟତାମୂଳକ କରାଯାଇନାହିଁ। ସ୍ୱାସ୍ଥ୍ୟକର୍ମୀ କିମ୍ବା କୋଭିଡ୍ ଯୋଦ୍ଧାମାନେ ନିଜ ଇଚ୍ଛାରେ ଏହି ଟିକା ନେଇପାରିବେ। କୌଣସି ବ୍ୟକ୍ତିଙ୍କୁ ବି ବାଧ୍ୟ କରି ଏହି ଟିକା ଦିଆଯିବ ନାହିଁ ବୋଲି ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇସାରିଛନ୍ତି।

The post କରୋନା ଟିକା ନେବା ପାଇଁ କେମିତି କରିବେ ରେଜିଷ୍ଟ୍ରେସନ୍? appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images