ଓଡ଼ିଶାଲାଇଭ୍ ବ୍ୟୁରୋ![]()
ସପିଂ ମଲରେ ପୋଷାକଠାରୁ ଆରମ୍ଭ କରି ଘର ସଜ୍ଜା ସାମଗ୍ରୀ ବିକ୍ରି ହେଉଥିବା ଆପଣ ଦେଖିଥିବେ। କିନ୍ତୁ କେବେ ପୁରୁଣା ସାମଗ୍ରୀକୁ ମଲରେ ବିକ୍ରି କରାଯାଉଥିବା ଦେଖିଛନ୍ତି କି? ସ୍ୱିଡେନରେ ଏମିତି ଏକ ମଲ୍ ରହିଛି ଯେଉଁଠି କେବଳ ପୂର୍ବରୁ ବ୍ୟବହୃତ ହୋଇଥିବା ଜିନିଷ ହିଁ ବିକ୍ରି ହୋଇଥାଏ। ୨୦୧୫ ମସିହାରୁ ଆରମ୍ଭ ହୋଇଥିବା ଏହି ମଲକୁ ‘ରେଟୁନା’ (ReTuna) ନାମରେ ନାମିତ କରାଯାଇଛି। ଏଭଳି ନିଆରା ବ୍ୟବସାୟ ପାଇଁ ଏହି ମଲ୍ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ହାସଲ କରିଛି।
ସ୍ୱିଡେନର ଷ୍ଟକହୋମ୍ ସହରର ପଶ୍ଚିମରେ ଥିବା ଏସ୍କିଲଷ୍ଟୁନାରେ ଏହି ମଲ୍ ଅବସ୍ଥିତ। ଏହା ମଧ୍ୟରେ ୧୩ଟି ଷ୍ଟୋର ରହିଛି। ୫,୦୦୦ ବର୍ଗ ମିଟର ଅଞ୍ଚଳ ପରିବ୍ୟାପ୍ତ ଏହି ମଲରେ ୫୦ରୁ ୬୫ ଜଣ କର୍ମଚାରୀ କାମ କରୁଛନ୍ତି। ପୋଷାକଠାରୁ ଆରମ୍ଭ କରି ବହି, ପିଲାଙ୍କ ଖେଳଣା, ଆସବାବପତ୍ର, ଫୁଲ ଆଦି ସବୁ ପ୍ରକାର ଜିନିଷ ଏଠାରେ ଉପଲବ୍ଧ ହେଉଛି। ଲୋକଙ୍କ ମଧ୍ୟରେ ସେକେଣ୍ଡ ହ୍ୟାଣ୍ଡ ସାମଗ୍ରୀର ମଧ୍ୟ ଚାହିଦା ବଢ଼ିଛି। ବର୍ଷକୁ ଅଢ଼େଇ ଲକ୍ଷରୁ ତିନି ଲକ୍ଷ ଲୋକ ବିଭିନ୍ନ ଜିନିଷ କିଣିବା ପାଇଁ ଏଠାକୁ ଆସୁଥିବା ମଲ୍ ମ୍ୟାନେଜର ଅନ୍ନା ବର୍ଗଷ୍ଟ୍ରୋମ କହିଛନ୍ତି।ରେଟୁନା ମଲର ବିଶେଷତ୍ୱ ହେଉଛି ଏଠାରେ ବିକ୍ରି ହେଉଥିବା ପ୍ରତ୍ୟେକ ଜିନିଷ ପୂର୍ବରୁ ବ୍ୟବହୃତ ହୋଇଥାଏ। ଏଥିସହ ପୁରୁଣା ସାମଗ୍ରୀକୁ ବ୍ୟବହାର କରି ନୂଆ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରାଯାଏ। ଏଥିପାଇଁ ମଲର ଅବସ୍ଥିତି ବେଶ୍ ସହାୟକ ହୋଇଥାଏ। କାରଣ ରେଟୁନା ପାଖରେ ଏକ ପୁନଃଚକ୍ରଣ କେନ୍ଦ୍ର ରହିଛି। ଏହି କେନ୍ଦ୍ରରେ କାମ କରୁଥିବା ଏକ ଟିମ୍ ଅବ୍ୟବହୃତ ସାମଗ୍ରୀଗୁଡ଼ିକୁ ବିଭିନ୍ନ କାଟେଗୋରୀରେ ବାଛି ରଖନ୍ତି। ରେଟୁନାର କର୍ମଚାରୀମାନେ ସେଗୁଡ଼ିକୁ ଆଣି ତାହାକୁ ନୂଆ ରୂପ ଦେଇ ଅଥବା ସେମିତି ବିକ୍ରି କରନ୍ତି। ଏଥିସହ ମଲରେ ଏକ ବର୍ଷିକିଆ ଡିଜାଇନିଂ କୋର୍ସ ସୁବିଧା ମଧ୍ୟ ରହିଛି। ଏହି କୋର୍ସରେ ପୁରୁଣା ଜିନିଷକୁ କିପରି ନୂଆ ରୂପ ଦିଆଯାଏ ସେ ସମ୍ପର୍କରେ ଶିକ୍ଷା ଦିଆଯାଏ।
ସହରରେ ବର୍ଜ୍ୟ ପରିମାଣ କମ୍ କରିବା ଲକ୍ଷ୍ୟ ନେଇ ୨୦୧୫ରେ ଏହି ମଲ୍ ସ୍ଥାପିତ ହୋଇଥିଲା। ସ୍ଥାନୀୟ ମ୍ୟୁନିସିପାଲିଟି ଓ ପୁନଃଚକ୍ରଣ କେନ୍ଦ୍ର ମିଳିତ ଭାବେ ଏହାକୁ ଆରମ୍ଭ କରିଥିଲେ। ବିଭିନ୍ନ ଅବ୍ୟବହୃତ ଓ ବର୍ଜ୍ୟ ସାମଗ୍ରୀକୁ ଏଠାରେ ପୁନଃବ୍ୟବହାରକ୍ଷମ କରିବା ପରେ ବିକ୍ରି କରାଯାଉଛି। ଫଳରେ ସହରରେ ଅନେକାଂଶରେ ବର୍ଜ୍ୟବସ୍ତୁର ସୁପରିଚାଳନା ହୋଇପାରୁଛି। ପରିବେଶ ପ୍ରଦୂଷଣ ରୋକିବାରେ ଏହା ସହାୟକ ହୋଇପାରିଛି। ତେଣୁ ରେଟୁନା ନିଜର ଏହି ନିଆରା ବ୍ୟବସାୟ ପାଇଁ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଖାଲି ସେତିକି ନୁହେଁ, ୨୦୨୦ରେ ଗିନିଜ ବୁକ୍ ଅଫ୍ ଓ୍ୱର୍ଲ୍ଡ ରେକର୍ଡ୍ସ ପକ୍ଷରୁ ରେଟୁନାକୁ ‘ଦି ଓ୍ୱର୍ଲ୍ଡସ୍ ଫାଷ୍ଟ ସପିଂ ମଲ୍ ଡେଜିଗନେଟେଡ୍ ଫର୍ ରିପେୟାର୍ଡ, ରିସାଇକେଲ୍ଡ ଆଣ୍ଡ ରିଷ୍ଟୋର୍ଡ ଆଇଟମ୍ସ’ ନାମରେ ନାମିତ କରାଯାଇଛି।
୨୦୪୫ ମସିହା ସୁଦ୍ଧା ସ୍ୱିଡେନ ପରିବେଶ ସୁରକ୍ଷା ଦିଗରେ ବିଶ୍ୱର ନେତୃତ୍ୱ ନେବାକୁ ଲକ୍ଷ୍ୟ ରଖିଛି। ଏହି କ୍ରମରେ ଏସ୍କିଲଷ୍ଟୁନା କାର୍ବନ ଡାଇଅକସାଇଡ୍ ମାତ୍ରାକୁ ଯଥାସମ୍ଭବ କମ୍ କରିବା ସହ ଜୀବାଶ୍ମ ଇନ୍ଧନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେବା ପାଇଁ ଆଶା ରଖିଛି। ଏଭଳି ସ୍ଥିତିରେ ରେଟୁନା ପରିବେଶ ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ରେଟୁନା ଭଳି ହେବା ପାଇଁ ଏବେ ସମସ୍ତେ ଚାହୁଁଛନ୍ତି ବୋଲି ବର୍ଗଷ୍ଟ୍ରୋମ କହିଛନ୍ତି।
The post ସ୍ୱିଡେନର ରେଟୁନା ମଲ୍ – ଯେଉଁଠି ବିକ୍ରି ହୁଏ କେବଳ ସେକେଣ୍ଡ ହ୍ୟାଣ୍ଡ ଜିନିଷ appeared first on OdishaLIVE.