Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଟାଟା କମ୍ପାନିରେ ଚାକିରି ଠକେଇ ମାମଲା –ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଟାଟା କମ୍ପାନିରେ ଚାକିରି କରାଇଦେବା କହି କୋଟି କୋଟି ଟଙ୍କା ଠକେଇ କରିଛନ୍ତି ଆକାଶ ପାଠକ। ଖୋଦ୍ ଆକାଶଙ୍କ ବ୍ୟକ୍ତିଗତ ସଚିବ ଡେଭିଡ ପିଟର୍‌ କ୍ରାଇମବ୍ରାଞ୍ଚକୁ ଏପରି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଏହାପରେ ଆକାଶଙ୍କ ପାଇଁ ଅଡୁଆ ଆହୁରି ବଢ଼ିଯାଇଛି। ଏବେ ଆକାଶଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେବ। ତାଙ୍କ ଠକେଇ କାରବାରର ଗୁମର ଖୋଜିବ କ୍ରାଇମବ୍ରାଞ୍ଚ।  ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ସାଇବର ଥାନା ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା। ଗୁରୁବାର କୋର୍ଟ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି। ଶୁକ୍ରବାରଠାରୁ ଆକାଶଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇ ଜେରା କରିବ।ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସ୍କାନରକୁ ଆସିଛନ୍ତି ପାଠକ ବାପ-ପୁଅଙ୍କ ସମେତ ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଆର୍ଥିକ ଠକେଇ ଅଭିଯୋଗରେ ପାଠକ ବାପ-ପୁଅଙ୍କ ବିରୋଧରେ ଇଡିରେ ୩ଟି ମାମଲା ରୁଜୁ ହୋଇଛି। ଏନେଇ ବ୍ୟାଙ୍କରୁ ଅଧିକ ତଥ୍ୟ ମଗାଯାଇଛି। ତେଣୁ ଇଡି ମଧ୍ୟ ସେମାନଙ୍କୁ ଜେରା କରିବାର ଯୋଜନା କରୁଥିବାର ସୂଚନା ମିଳିଛି। ଏଥିସହ ତାଙ୍କ ସହ ଯେଉଁ ବ୍ୟକ୍ତିମାନଙ୍କର ଲିଙ୍କ ରହିଛି ସେମାନଙ୍କୁ ବି ପଚରାଉଚରା କରାଯିବ। ବେଆଇନ ଆର୍ଥିକ କାରବାରର ପ୍ରମାଣ ମିଳିଲେ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ କୋର୍ଟଙ୍କୁ ଲେଖାଯିବ ବୋଲି ଇଡି ପକ୍ଷରୁ କୁହାଯାଇଛି।ଡେଭିଡ ଖୋଲିଥିଲେ ଆକାଶଙ୍କ ଠକାମି ଫର୍ଦ୍ଧ

ଆଇଏଫ୍‌ଏସ୍ ଅଭୟ ପାଠକଙ୍କ ପୁଅ ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ପରିଚାଳନା ନିର୍ଦ୍ଦେଶକ କହୁଥିଲେ। ଟାଟାରେ ଚାକିରି କରାଇଦେବା କହି ବିଭିନ୍ନ ରାଜ୍ୟରୁ ପିଲାମାନଙ୍କ ପରୀକ୍ଷା କରାଇ ଅନଲାଇନରେ ଟ୍ରେନିଂ ମଧ୍ୟ ଦେଇସାରିଥିଲେ। ଚାକିରି ପାଇଁ ପ୍ରତି ପିଲାଠୁ ୫ରୁ ୬ ଲକ୍ଷ ଟଙ୍କା ଆଦାୟ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ପରୀକ୍ଷା କରାଇ ମୋଟ୍ ୬୦ ପିଲାଙ୍କୁ ନିଯୁକ୍ତି ପତ୍ର ବି ଦିଆସରିଥିଲା। କିଛିଦିନ ପରେ ଦ୍ଵିତୀୟ ପର୍ଯ୍ୟାୟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥାନ୍ତା। କିନ୍ତୁ ଏହା ପୂର୍ବରୁ କ୍ରାଇମବ୍ରାଞ୍ଚ ହାତରେ ଧରା ପଡ଼ିଗଲେ ଆକାଶ।

ଗଞ୍ଜାମ ଜିଲ୍ଲାର ଭି ସର୍ବେଶ୍ଵର ଆକାଶଙ୍କୁ ପିଲା ଯୋଗାଉଥିଲେ। ସର୍ବେଶ୍ଵରଙ୍କ ପାଖରେ ଓଡ଼ିଶାର ପ୍ରାୟ ସବୁ କଲେଜ ଛାତ୍ରଛାତ୍ରୀଙ୍କ ତାଲିକା ଥିଲା। ଯେଉଁମାନେ କ୍ୟାମ୍ପସ ନିଯୁକ୍ତିରୁ ବାଦ୍ ପଡ଼ିଥାନ୍ତି ସେମାନଙ୍କ ତାଲିକା ଆକାଶଙ୍କୁ ଦିଅନ୍ତି ସର୍ବେଶ୍ଵର। ସେହି ତାଲିକା ଅନୁସାରେ ଇଣ୍ଟରଭିୟୁ ହୁଏ। ପିଲାଙ୍କ ଠାରୁ ମୋଟା ଅଙ୍କର ଟଙ୍କା ବି ଆଦାୟ କରାଯିଏ। ଏହିପରି ଭାବେ ଆକାଶଙ୍କ ଜାଲ୍ ଚାକିରିର ଚେର ଓଡ଼ିଶା ବ୍ୟତୀତ ଅନ୍ୟ ରାଜ୍ୟଗୁଡ଼ିକରେ ବି ଲମ୍ଵିଥିଲା।

ଆକାଶଙ୍କ ମାମଲାରେ କ୍ରାଇମବ୍ରାଞ୍ଚ ଯେତେବେଳେ ପୁନେରୁ ତାଙ୍କ ବ୍ୟକ୍ତିଗତ ସହାୟକ ଡେଭିଡ ପିଟର୍‌ଙ୍କୁ ଆଣି ଜେରା କରିଥିଲା ତାଙ୍କଠାରୁ ଏବାବଦରେ ଠୋସ୍ ପ୍ରମାଣ ମିଳିଥିଲା। ଆକାଶ ଯେ ଟାଟାର କର୍ମାଚାରୀ ନୁହଁନ୍ତି ଏବାବଦରେ ପିଟର୍‌ଙ୍କୁ ମଧ୍ୟ କିଛି ଜଣାନଥିଲା। ଆକାଶ କେବେ ପିଟରଙ୍କୁ ଟାଟା ମୁଖ୍ୟ କାର୍ଯ୍ୟାଳୟକୁ ନେଇନାହାନ୍ତି। ଯାହା ବୈଠକ ହୁଏ ସବୁ ଅନଲାଇନ। କ୍ରାଇମବ୍ରାଞ୍ଚ ଆଗରେ ଏପରି ବୟାନ ଦେଇଥିଲେ ପିଟର୍। ଏହାପରେ ଆକାଶଙ୍କ ଜାଲ୍‌ ଚାକିରିର ଗୁମର ଖୋଜିବାକୁ କ୍ରାଇମବ୍ରାଞ୍ଚ ଅଣ୍ଟା ଭିଡ଼ିଛି। ତେଣୁ ଆଗାମୀ ୫ ଦିନ ଆକାଶଙ୍କୁ ରିମାଣ୍ଡରେ ନେଇ ତାଙ୍କଠାରୁ ସମସ୍ତ ସତ ଉଗାଳିବାକୁ କ୍ରାଇମବ୍ରାଞ୍ଚ ଚେଷ୍ଟା କରିବ ବୋଲି ସୂଚନା ମିଳିଛି।

The post ଟାଟା କମ୍ପାନିରେ ଚାକିରି ଠକେଇ ମାମଲା – ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ appeared first on OdishaLIVE.


Viewing all articles
Browse latest Browse all 11715

Trending Articles