ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆ କୃଷି ଆଇନକୁ ବିରୋଧ କରି ଆଜି ଭାରତ ବନ୍ଦ।
କେନ୍ଦ୍ର ସରକାରଙ୍କ ତିନୋଟି ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବି କରିଛନ୍ତି ଦେଶର କୃଷକ ସଂଗଠନ। କିନ୍ତୁ ସରକାର ଏହାକୁ ମାନିବାକୁ ନାରାଜ। ଫଳସ୍ଵରୂପ ମଙ୍ଗଳବାର ଭାରତ ବନ୍ଦ ଡାକରା ଦେଇଛନ୍ତି ଦେଶର ୫୦୦ରୁ ଅଧିକ କୃଷକ ସଂଗଠନ। ଲୋକସଭାରେ ଏହି ବିଲ୍ ପାସ୍ ହେବା ପରଠାରୁ କୃଷକମାନେ ଏହାକୁ ବିରୋଧ କରି ଆସୁଛନ୍ତି। ତେବେ କ’ଣ ରହିଛି ଏହି କୃଷି ଆଇନରେ? ଚାଷୀମାନଙ୍କର ଦାବି କ’ଣ? କାହିଁକି ତେଜୁଛି ଏହି କୃଷି ଆନ୍ଦୋଳନ?କୃଷି ଆଇନ – ୨୦୨୦
ଗତ ସେପ୍ଟେମ୍ଵର ମାସରେ ସଂସଦରେ କୃଷି ସମ୍ଵନ୍ଧୀୟ ତିନୋଟି ବିଲ୍ ପାରିତ ହୋଇଛି। ଯାହାକୁ ନେଇ ବିରୋଧୀମାନେ ଗୃହରେ ବେଶ୍ ହଟ୍ଟଗୋଳ ବି କରିଥିଲେ। ତୀବ୍ର ବିରୋଧ ସତ୍ତ୍ଵେ ବାଚନିକ ଭୋଟରେ ଏହି ବିଲ୍କୁ ପାରିତ କରାଯାଇଥିଲା। ରାଷ୍ଟ୍ରପତି ଏହା ଉପରେ ମୋହର ଲଗାଇ ଏହାକୁ ଆଇନରେ ପରିଣତ କରିଥିଲେ।ନୂଆକରି ହୋଇଥିବା ଏହି ତିନୋଟି ଆଇନ ହେଉଛି; କୃଷି ଉତ୍ପାଦ ବ୍ୟାପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଏବଂ ସୁବିଧା) ବିଲ୍, କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା) ଦର ଆଶ୍ୱସ୍ତି ଓ କୃଷି ସେବା ବୁଝାମଣା ବିଲ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ବିଲ୍। ଯେଉଁଥିରେ କୁହାଯାଇଛି କି ଏଣିକି ଚାଷୀ ଓ ବ୍ୟବସାୟୀଙ୍କୁ ମଣ୍ଡି ସହିତ ଅନ୍ୟତ୍ର ଶସ୍ୟ କିଣାବିକା କରିବାର ସ୍ଵାଧୀନତା ରହିଛି। ଅନ୍ଲାଇନ୍ ବିକ୍ରି ହେବ। ଲାଭଜନକ ମୂଲ୍ୟ ମିଳିବ।
ସେହିପରି ଅତ୍ୟାବଶକ ସାମଗ୍ରୀରୁ ଡାଲି, ଆଳୁ, ପିଆଜ ଆଦିକୁ ବାଦ୍ ଦିଆଯାଇଛି। ଚାଷୀର ଉତ୍ପାଦନକୁ ଜାତୀୟ ଫ୍ରେମକୁ ଅଣାଯିବ। ଯେଉଁଠି ଉତ୍ପାଦନକୁ ନେଇ ବିଭିନ୍ନ ଚୁକ୍ତି ହେବ। ଏହା ହେଲେ ବଜାରରେ ପ୍ରତିଯୋଗିତା ବଢ଼ିବ। ଏହାର ଫାଇଦା ସିଧାସଳଖ ଚାଷୀମାନେ ପାଇପାରିବେ। ତେବେ ପୂର୍ବଭଳି ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଅପରିବର୍ତ୍ତିତ ରହିବ ବୋଲି ଏହି ବିଲ୍ରେ କୁହାଯାଇଛି।କାହିଁକି ଚାଷୀମାନେ ଏହାକୁ ବିରୋଧ କରୁଛନ୍ତି?
ନୂଆ କୃଷି ଆଇନ ଫଳରେ ଦେଶର କୃଷକମାନଙ୍କର କୌଣସି ଅସ୍ତିତ୍ଵ ରହିବ ନାହିଁ ବୋଲି ଚାଷୀମାନେ ମତ ଦେଉଛନ୍ତି। ନୂଆ ଆଇନ ଅନୁଯାୟୀ ଉତ୍ପାଦିତ ଫସଲ ମଣ୍ଡି ସହିତ ଅନ୍ୟତ୍ର ବିକ୍ରି କରିବାର ବ୍ୟବସ୍ଥା ରହିଛି। ଫଳରେ ଆଗକୁ ଧୀରେ ଧୀରେ ମଣ୍ଡି ବ୍ୟବସ୍ଥା ବନ୍ଦ ହୋଇଯିବ ବୋଲି ଚାଷୀମାନେ ଆଶଙ୍କା କରୁଛନ୍ତି। ଏମ୍ଏସ୍ପିକୁ ପୂର୍ବପରି ଅପରିବର୍ତ୍ତିତ ରଖାଯିବ ବୋଲି ସରକାର ଯୁକ୍ତି ବାଢୁଥିଲେ ସୁଦ୍ଧା ଏହି ବ୍ୟବସ୍ଥାରେ ବି ଖୁବ ଶୀଘ୍ର ତାଲା ଲାଗିଯିବ ବୋଲି ଚାଷୀମାନେ ମତ ଦେଇଛନ୍ତି।ଅନ୍ୟପଟେ ମଣ୍ଡି ସହିତ ଅନ୍ୟ ଆଡ଼େ ଶସ୍ୟ କିଣାବିକାର ବ୍ୟବସ୍ଥା ହେଲେ ମଣ୍ଡି ଦୁର୍ବଳ ହେବା ସହ କୃଷି କ୍ଷେତ୍ରରେ ପୁଞ୍ଜିପତି ଓ କର୍ପୋରେଟ ହାଉସଗୁଡ଼ିକର ପ୍ରବେଶ କରିବାର ଆଶଙ୍କା କରିଛନ୍ତି ଚାଷୀ। ଫଳସ୍ଵରୂପ ବଡ଼ବଡ଼ ବ୍ୟବସାୟୀ ଓ କର୍ପୋରେଟ ହାଉସଗୁଡ଼ିକ ଲାଭ ପାଇବା ଲାଗି ଏମ୍ଏସ୍ପିଠାରୁ କମ ମୂଲ୍ୟରେ ଶସ୍ୟ କିଣିବାର ଆଶଙ୍କା ରହିଛି। ଏଥିରେ ସରକାରଙ୍କର କୌଣସି ଅଧିକାର ରହିବ ନାହିଁ ବୋଲି ମଧ୍ୟ ସେମାନେ ଆଶଙ୍କା କରିଛନ୍ତି।
ଏଥି ସହ ମଣ୍ଡିରେ ଟିକସ ବ୍ୟବସ୍ଥା ଥିବାବେଳେ ବାହାରେ କୃଷି ଉତ୍ପାଦ କ୍ରୟବିକ୍ରୟରେ ଟିକସ ନାହିଁ। ତେଣୁ ସ୍ଵାଭାବିକ ଭାବରେ ଅନେକ ମଣ୍ଡି ବାହାରେ ନିଜ ଉତ୍ପାଦ ବିକ୍ରି କରିବେ, ଏହା ମଣ୍ଡି ସଂସ୍କୃତିକୁ ନଷ୍ଟ କରିଦେବ। ତେଣୁ ଚାଷୀମାନେ ଟିକସ ବ୍ୟବସ୍ଥା ସଂଶୋଧନ କରିବାକୁ ଦାବି କରିଛନ୍ତି। ସେହିପରି ଅତ୍ୟାବଶକ ସାମଗ୍ରୀରୁ ଯେଉଁ ଉତ୍ପାଦକୁ ବାଦ୍ ଦିଆଯାଇଛି ପରବର୍ତ୍ତୀ ସମୟରେ କେବଳ କୃଷକ ଯେ ନୁହେଁ ଖୋଦ୍ ସରକାର ମଧ୍ୟ ଏହିସବୁ ସାମଗ୍ରୀର ମୂଲ୍ୟ ଏବଂ ମହଜୁଦକରଣ ଉପରେ ନିୟନ୍ତ୍ରଣ ରଖିପାରିବେ ନାହିଁ।
୫ଥର ଆଲୋଚନା ବିଫଳ
ନୂଆ କୃଷି ଆଇନ ବିରୋଧରେ ଚାଷୀଙ୍କ ଏପରି ଆନ୍ଦୋଳନ ଦେଖି କେନ୍ଦ୍ର ସରକାରଙ୍କ ଚାଷୀମାନଙ୍କ ସହ ଆଲୋଚନା କରିବାକୁ ବାରମ୍ଵାର ବୈଠକ ଡାକିଥିଲେ। ଦୁଇ ସପ୍ତାହରୁ ଉର୍ଦ୍ଧ୍ଵ ସମୟରୁ ହେଉଥିବା ଏହି ଆନ୍ଦୋଳନ ମଧ୍ୟରେ କୃଷି ନେତାଙ୍କ ସହ ୫ଥର ଆଲୋଚନା କରିସାରିଲେଣି ସରକାର। କିନ୍ତୁ ଏଯାଏଁ ବି ସମସ୍ୟାର କୌଣସି ନିଷ୍କର୍ସ ବାହାରି ପାରୁ ନାହିଁ।ଆଇନରେ କେତେକ ସଂଶୋଧନ କରିବାକୁ ସରକାର ରାଜି ହୋଇଥିବା ବେଳେ ସଂପୂର୍ଣ୍ଣ ଆଇନକୁ ହିଁ ରଦ୍ଦ କରିବାକୁ ନିଜ ଜିଦ୍ରେ ଅଡ଼ି ବସିଛନ୍ତି ଚାଷୀମାନେ। ସରକାରଙ୍କ ସହ ଯେତେ ଆଲୋଚନା ହୋଇଛି ସବୁ ବିଫଳ ହୋଇଛି। ଫଳ ସ୍ଵରୂପ ଆଜି ଦେଶବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି କୃକ ସଂଗଠନମାନେ। କିନ୍ତୁ ଆଲୋଚନା ମାଧ୍ୟମରେ ହିଁ ଏହି ସମସ୍ୟାର ସମାଧାନ ପାଇଁ ଡିସେମ୍ଵର ୯ରେ ପୁଣି ଷଷ୍ଠଥର ପାଇଁ ଆଲୋଚନା ହେବା ନେଇ ତାରିଖ ଧାର୍ଯ୍ୟ ହୋଇଛି।
The post ନୂଆ କୃଷି ଆଇନକୁ କାହିଁକି ବିରୋଧ କରୁଛନ୍ତି ଚାଷୀ? appeared first on OdishaLIVE.