ଓଡ଼ିଶାଲାଇଭ୍ ବ୍ୟୁରୋ
ଅନଲକ୍ ୫ ନେଇ ଆଜି କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଏଥିରେ ସରକାର ସିନେମା ହଲ୍, ଥିଏଟର ଆଦି ଖୋଲିବାକୁ ଅନୁମତି ଦେଇଛନ୍ତି। ହେଲେ ଦେଶରେ ସ୍କୁଲ୍ ଓ କଲେଜ ଖୋଲିବା ନିଷ୍ପତ୍ତି କିନ୍ତୁ ରାଜ୍ୟ ସରକାରଙ୍କ ଉପରେ ଛାଡ଼ି ଦେଇଛନ୍ତି କେନ୍ଦ୍ର ସରକାର।
ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନରେ କୁହାଯାଇଛି ଯେ, ରାଜ୍ୟ ସରକାର ଚାହିଁଲେ ଅକ୍ଟୋବର ୧୫ ପରେ ନିଜ ରାଜ୍ୟରେ ସ୍କୁଲ୍ ଓ କଲେଜ୍ ଖୋଲିପାରିବେ। ଶିକ୍ଷାନୁଷ୍ଠାନ ସହ ଆଲୋଚନା କରି ରାଜ୍ୟ ସରକାର ଏନେଇ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି।
ସ୍କୁଲ୍ ଓ କଲେଜ୍ ଖୋଲିଲେ ରାଜ୍ୟ ସରକାର ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ପ୍ରସ୍ତୁତ କରିବେ। ଏହି ଗାଇଡଲାଇନକୁ ମାନି ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ସ୍କୁଲ୍ ଆସିବେ। ତେବେ ଅନଲାଇନ୍ ଜରିଆରେ କିନ୍ତୁ ପୂର୍ବଭଳି ପାଠପଢ଼ା ଜାରି ରହିବ। କୌଣସି ଛାତ୍ରଛାତ୍ରୀଙ୍କୁ ବର୍ତ୍ତମାନ ସ୍କୁଲ୍ ଆସିବାକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ନିଜ ଗାଇଡଲାଇନରେ କହିଛନ୍ତି।
ଅନ୍ୟପଟେ ସ୍କୁଲ୍ ଆସିବାକୁ ହେଲେ ପିଲାମାନଙ୍କୁ ସେମାନଙ୍କର ଲିଖିତ ଅନୁମତି ଆଣିବାକୁ ପଡ଼ିବ। ଏହାପରେ ଯାଇ ତାଙ୍କୁ ସ୍କୁଲରେ ପ୍ରବେଶ କରିବାକୁ ଅନୁମତି ମିଳିବ। ପିତାମାତାଙ୍କ ଅନୁମତି ବିନା ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ମନା ବୋଲି କେନ୍ଦ୍ର ସରକାର କହିଛନ୍ତି।
The post ଅକ୍ଟୋବର ୧୫ ପରେ ଖୋଲିପାରିବ ସ୍କୁଲ୍, କଲେଜ – ରାଜ୍ୟ ହାତରେ ନିଷ୍ପତ୍ତି appeared first on OdishaLIVE.