ଓଡ଼ିଶାଲାଇଭ୍ ବ୍ୟୁରୋ
“ଅପରାଧୀ ଆମକୁ ଚାରିପଟୁ ଆକ୍ରମଣ କରୁଛନ୍ତି, ଗୁଳି ଚାଲିଛି। ଜଲଦି ଫୋର୍ସ ପଠାନ୍ତୁ।” ଏହା ଥିଲା କାନପୁର ହିଂସାରେ ସହିଦ ହୋଇଥିବା ଏସ୍.ଓ ମହେଶ ଯାଦବଙ୍କ ଶେଷ ଫୋନ କଲ୍। କିନ୍ତୁ ଏହି ଫୋନ କଲ ବଞ୍ଚାଇପାରିଛି ଅନେକ ପୋଲିସକର୍ମଚାରୀଙ୍କ ଜୀବନ। ଗତ ଗୁରବାର କାନପୁରରେ ପୋଲିସ୍-ଅପରାଧୀ ମଧ୍ୟରେ ହୋଇଥିବା ହିଂସାକାଣ୍ଡରେ ସହିଦ ହୋଇଥିଲେ ଆଠ ଜଣ ଯବାନ। ଏଥିରେ ସାମିଲ୍ ଅଛନ୍ତି ଥାନା ଏସ୍.ଓ ମହେଶ ଯାଦବ।
ଗୁରୁବାର ମୋଷ୍ଟଓ୍ଵାଣ୍ଟେଡ ଅପରାଧୀ ବିକାଶ ଦୁବେକୁ ଗିରଫ କରିବା ପାଇଁ ଚୌବେପୁର ଥାନା ପୋଲିସ ବିକରୁ ଗାଁରେ ପହଞ୍ଚିଥିଲା। କିନ୍ତୁ ସେଠାରେ ବିକାଶ ଓ ତା’ର ସହଯୋଗୀମାନେ ପୋଲିସ ଉପରେ ପାଲଟା ଗୁଳିମାଡ଼ କରିଥିଲେ। ଏହି ପରିସ୍ଥିତିକୁ ଦେଖି ମହେଶ ଗୁଳିମାଡ଼ ମଧ୍ୟରେ ହିଁ ଥାନାର ଏ.ଏସ୍.ଆଇଙ୍କୁ ଫୋନ କରି ଏ ବିଷୟରେ ଜଣାଇଦେଇଥିଲେ। ଏହା ସହ ବଞ୍ଚିବା ସମ୍ଭବ ନୁହେଁ, ତେଣୁ ଯଥାଶୀଘ୍ର ଫୋର୍ସ ପଠାଇବା ପାଇଁ ମଧ୍ୟ କହିଥିଲେ। ତାଙ୍କ ଫୋନ କଲେ ପାଇବା ମାତ୍ରେ ବହୁ ସଂଖ୍ୟକ ପୋଲିସ୍ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଯବାନଙ୍କ ଜୀବନ ରକ୍ଷା କରିଥିଲେ।
ଅପରାଧୀ ବିକାଶ ଦୁବେକୁ ଧରିବା ପାଇଁ ସବୁଠାରୁ ଆଗରେ ରହିଥିଲେ ମହେଶ। କିନ୍ତୁ ସେଠାରେ ବିକାଶ ଏବଂ ତାଙ୍କର ସହଯୋଗୀମାନେ ମହେଶ ଉପରକୁ ଅନବରତ ଗୁଳିଚାଳନା କରିଥିଲେ। ସେଠାରେ ଟଳି ପଡ଼ିଥିଲେ ମହେଶ। ମହେଶ ଚୌବେପୁରର ଏସ୍.ଓ ଭାବେ କାମ କରୁଥିଲେ। ନିଜ ଜୀବନକୁ ବାଜି ଲଗାଇ ଅନେକଙ୍କ ଜୀବନ ବଞ୍ଚାଇ ଅମର ହୋଇଯାଇଛନ୍ତି ବୀର ଯବାନ ମହେଶ ଯାଦବ।
The post କାନପୁର ଏନକାଉଣ୍ଟର: ସହିଦ ଏସ୍.ଓ ମହେଶ ଯାଦବଙ୍କ ଶେଷ ଫୋନକଲ୍ ବଞ୍ଚାଇଥିଲା ଅନେକ ପୋଲିସକର୍ମୀଙ୍କ ଜୀବନ appeared first on OdishaLIVE.