ଓଡ଼ିଶାଲାଇଭ୍ ବ୍ୟୁରୋ
- ୱେବିନାରରେ ଛାତ୍ରଛାତ୍ରୀଙ୍କ ସହ କଥା ହେଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ
- ୨୬ ଜୁଲାଇ ୨୦୨୦ରେ ଅନୁଷ୍ଠିତ ହେବ ନିଟ
- ୧୮ରୁ ୨୩ ଜୁଲାଇ ଯାଏଁ ଆୟୋଜିତ ହେବ ଜେଇଇ ମେନ୍
- ୟୁଜିସି ନେଟ୍ ୨୦୨୦ ଏବଂ ଜେଇଇ (ଆଡଭାନ୍ସ) ତାରିଖ ଘୋଷଣା ଖୁବଶୀଘ୍ର
- ଦୁଇ ଦିନ ମଧ୍ୟରେ ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା ହେବ
କୋଭିଡ୍-୧୯ ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଚଳିତବର୍ଷ ଏନଆଇଟି, ଆଇଆଇଟି ଓ ଟ୍ରିପଲ ଆଇଟିରେ କୌଣସି ଶୁଳ୍କ ବୃଦ୍ଧି କରାଯିବ ନାହିଁ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି।
କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଆଜି ଏକ ୱେବିନାର ଜରିଆରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଏକ ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ସ୍କୁଲ ପରୀକ୍ଷା, ପ୍ରବେଶିକା ପରୀକ୍ଷା, ଶିକ୍ଷା ବର୍ଷ, ଅନଲାଇନ ଶିକ୍ଷା, ଶୁଳ୍କ, ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ, ଅନ୍ତର୍ଜାତୀୟ ଛାତ୍ରଛାତ୍ରୀ, ବୃତ୍ତି ଆଦି ପ୍ରସଙ୍ଗରେ ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ କେନ୍ଦ୍ରମନ୍ତ୍ରୀ।
ଏହି ଆଲୋଚନା ସମୟରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରବେଶିକା ପରୀକ୍ଷା ତାରିଖ ଘୋଷଣା କରିଥିଲେ। ନିଟ ପରୀକ୍ଷା ୨୬ ଜୁଲାଇ ୨୦୨୦ରେ ଅନୁଷ୍ଠିତ ହେବ। ସେହିପରି ଜେଇଇ ମେନ ପରୀକ୍ଷା ୧୮ରୁ ୨୩ ଜୁଲାଇ ଯାଏଁ ଚାଲିବ। ଜେଇଇ (ଆଡଭାନ୍ସ) ପରୀକ୍ଷା ଅଗଷ୍ଟରେ ଅନୁଷ୍ଠିତ ହୋଇପାରେ। ୟୁଜିସି ନେଟ ୨୦୨୦ ଏବଂ ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ଖୁବଶୀଘ୍ର ଘୋଷଣା କରାଯିବ।
ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ୱେବସାଇଟ୍ https://nta.ac.in/LecturesContent ଲିଙ୍କରେ ଯାଇ ଛାତ୍ରଛାତ୍ରୀମାନେ ଫିଜିକ୍ସ, କେମେଷ୍ଟ୍ରି, ମ୍ୟାଥମେଟିକ୍ସ ଓ ବାୟୋଲୋଜି ଅଧ୍ୟୟନ କରିପାରିବେ। ସେ ଆହୁରି କହିଥିଲେ ଯେ ପ୍ରବେଶିକା ପରୀକ୍ଷା ପାଇଁ ମନ୍ତ୍ରାଳୟ ପକ୍ଷରୁ ସ୍ୱୟଂପ୍ରଭା ଡିଟିଏଚ ଚାନେଲ ସମେତ, ସ୍ୱୟଂପ୍ରଭାର ଆଇଆଇଟି ପାଲ, ଦୀକ୍ଷା, ଇପାଠଶାଳା, ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ, ସ୍ୱୟଂ, ଇ-ପିଜି ପାଠଶାଳା, ଶୋଧଗଙ୍ଗା, ଇ-ଶୋଧସିନ୍ଧୁ, ଇ-ଯନ୍ତ୍ର, ସ୍ପୋକନ ଟ୍ୟୁଟୋରିଆଲ ଓ ଭର୍ଚୁଆଲ ଲାବ ଭଳି ପ୍ଲାଟଫର୍ମର ସୁବିଧା ପ୍ରଦାନ କରାଯାଉଛି।
ଗ୍ରାମାଞ୍ଚଳରେ ନେଟୱର୍କ ନଥିବା ସ୍ଥାନରେ ଛାତ୍ରଛାତ୍ରୀମାନେ ଟାଟା ସ୍କାଏ, ଏୟାରଟେଲ, ଡିଡି ଡିଟିଏଚ, ଡିସ୍ ଟିଭି ଓ ଜିଓ ଟିଭି ଆପରେ ସ୍ୱୟଂପ୍ରଭା ଚାନଲ ପ୍ରସାରଣ କରିବା ଲାଗି ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହିତ ଆଲୋଚନା କରାଯାଇଛି। ସ୍ୱୟଂପ୍ରଭା ଗ୍ରୁପ ଜରିଆରେ ୩୨ଟି ଡିଟିଏଚ ଚାନେଲ ମାଧ୍ୟମରେ ବିଭିନ୍ନ ବିଷୟରେ ଉନ୍ନତ ମାନର ଶିକ୍ଷାଦାନ ବିଷୟବସ୍ତୁ ପ୍ରସାରଣ କରାଯାଉଛି।
ସେହିପରି ନବୋଦୟ ବିଦ୍ୟାଳୟଗୁଡ଼ିକର ପ୍ରବାସୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ନିଜ ରାଜ୍ୟ ଏବଂ ଘରକୁ ପଠାଇବାର ବ୍ୟବସ୍ଥା ହୋଇଛି। ୧୭୩ଟି ବିଦ୍ୟାଳୟ ମଧ୍ୟରୁ ୬୨ଟି ବିଦ୍ୟାଳୟ ଏହି ପ୍ରକ୍ରିୟା ଆରମ୍ଭ କରିସାରିଲେଣି।
କୋଭିଡ-୧୯ ମହାମାରୀ କାରଣରୁ ପାଠପଢ଼ା ବାଧାପ୍ରାପ୍ତ ହେବା ସଂକ୍ରାନ୍ତରେ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ ଯେ ଇ-ଲର୍ଣ୍ଣିଂ ଏବଂ ଉଭୟ ସ୍କୁଲ ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଡିଜିଟାଲ ପ୍ଲାଟଫର୍ମକୁ ପ୍ରୋତ୍ସାହିତ କରିବା ଦିଗରେ ମନ୍ତ୍ରାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି।
ମନ୍ତ୍ରୀ କହିଥିଲେ, ‘‘୨୦୨୦-୨୧ ଶିକ୍ଷାବର୍ଷ ଲାଗି ସ୍ନାତକ ଓ ସ୍ନାତୋକୋତ୍ତର ପାଠ୍ୟକ୍ରମର ନାମଲେଖା ଅଗଷ୍ଟ ୩୧ ମଧ୍ୟରେ ଶେଷ ହେବ। ଦରକାର ହେଲେ ସେପ୍ଟେମ୍ବର ୩୦, ୨୦୨୦ ପର୍ଯ୍ୟନ୍ତ ନାମଲେଖା ଯାଇପାରିବ। ୨୦୨୦-୨୧ ଶିକ୍ଷାବର୍ଷର ପାଠପଢ଼ା ପୁରୁଣା ଛାତ୍ରଛାତ୍ରୀଙ୍କ ପାଇଁ ଅଗଷ୍ଟ ପହିଲାଠାରୁ ଏବଂ ନୂଆ ଛାତ୍ରଛାତ୍ରୀଙ୍କ ପାଇଁ ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବ।
The post ଆଇଆଇଟି, ଟ୍ରିପଲ ଆଇଟି ଓ ଏନଆଇଟିରେ କୌଣସି ଶୁଳ୍କ ବୃଦ୍ଧି ହେବ ନାହିଁ appeared first on OdishaLIVE.