Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କରୋନା ବେଳେ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ! ଉଦ୍ଧବ ଠାକ୍‌ରେ କେମିତି ବଞ୍ଚାଇବେ ମୁଖ୍ୟମନ୍ତ୍ରୀ ଚୌକି?

$
0
0

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମେ’ ୨୮ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଦେବାକୁ ପଡ଼ିବ ଅଗ୍ନିପରୀକ୍ଷା।

ସାରା ଦେଶ ଏବେ କରୋନା ଭାଇରସ୍‌ ସହିତ ଲଢ଼େଇ କରୁଛି। ଗାଁଠୁ ସହର ସବୁଠି କରୋନାକୁ ଚିନ୍ତା ବଢ଼ିଥିବା ବେଳେ ମହାରାଷ୍ଟ୍ରରେ କରୋନା ସଙ୍କଟଠାରୁ ରାଜନୈତିକ ସଙ୍କଟ ବଳିଯିବ ବୋଲି ଚର୍ଚ୍ଚା ହେଉଛି। କରୋନା ସଙ୍କଟ ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ତାଙ୍କ ପଦବୀ କେମିତି ବଞ୍ଚାଇ ରଖିବେ ତାହା ଏବେ ରାଜନୀତି କରିଡରରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରାଜନୈତିକ ଛକାପଞ୍ଝା ଭିତରେ ଉଦ୍ଧବ ଠାକ୍‌ରେ ୨୦୧୯ ନଭେମ୍ବର ୨୮ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। କଂଗ୍ରେସ ଏବଂ ଏନ୍‌ସିପିର ସମର୍ଥନ ବଳରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ଉଦ୍ଧବ ଏବେ ମହାରାଷ୍ଟ୍ର ବିଧାନସଭା କିମ୍ବା ବିଧାନ ପରିଷଦର ସଦସ୍ୟ ନାହାନ୍ତି। ସମ୍ବିଧାନର ୧୬୪(୪) ଧାରା ଅନୁସାରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ଦିନରୁ ୬ ମାସ ଭିତରେ ଉଦ୍ଧବଙ୍କୁ ବିଧାନସଭା କିମ୍ବା ବିଧାନ ପରିଷଦର ସଦସ୍ୟ ଭାବେ ନିର୍ବାଚିତ ହେବା କଥା। ହେଲେ କରୋନା ସଙ୍କଟ ବେଳେ ଉଦ୍ଧବ କେମିତି ନିର୍ବାଚିତ ହେବେ ଏବଂ ନିଜ ପଦବୀକୁ କେମିତି ବଞ୍ଚାଇବେ ତାହା ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ମୁଖ୍ୟମନ୍ତ୍ରୀ ପଦକୁ ସୁରକ୍ଷିତ ରଖିବା ପାଇଁ ଉଦ୍ଧବ ଠାକ୍‌ରେଙ୍କୁ ମେ’ ୨୮ ପୂର୍ବରୁ କୌଣସି ଗୋଟିଏ ସଦନର ସଦସ୍ୟ ଭାବେ ନିର୍ବାଚିତ ହେବାର ନିୟମ ରହିଛି। ହେଲେ କରୋନା ବେଳେ ଏହା କେମିତି ସମ୍ଭବ ହେବ ତାକୁ ନେଇ ସଙ୍କଟ ଦେଖାଦେଇଛି।

ଉଦ୍ଧବ ଠାକ୍‌ରେଙ୍କୁ ବିଧାନସଭାର ସଦସ୍ୟ ହେବା ପାଇଁ ତାଙ୍କ ଦଳର କୌଣସି ଜଣେ ବିଧାୟକ ଇସ୍ତଫା ଦେବେ ଏବଂ ଏହି ଆସନରୁ ଉଦ୍ଧବ ନିର୍ବାଚନ ଲଢ଼ିଥାନ୍ତେ। ଏହି ଉପନିର୍ବାଚନ ପାଇଁ ନିର୍ବାଚନ କମିସନ ୪୫ ଦିନ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରିବାର ନିୟମ ରହିଛି। ସେହିପରି ବିଧାନ ପରିଷଦର ସଦସ୍ୟ ହେବା ପାଇଁ ନିର୍ବାଚନ କମିସନ ୧୫ ଦିନ ଆଗରୁ ଅଧିସୂଚନା ଜାରି କରିବାର ନିୟମ ରହିଛି। ହେଲେ କରୋନା ପାଇଁ କୌଣସି ଉପନିର୍ବାଚନ ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ ଭାବେ କହିସାରିଛନ୍ତି।

coronaମହାରାଷ୍ଟ୍ର ବିଧାନ ପରିଷଦର ୯ ସଦସ୍ୟଙ୍କ କାର୍ଯ୍ୟକାଳ ଏପ୍ରିଲ ୨୪ରେ ଶେଷ ହେଉଛି। ଏହି ୯ ଆସନରେ ଏପ୍ରିଲ ୨୪ ପୂର୍ବରୁ ନିର୍ବାଚନ ହେବାର ଥିଲା। ଏହି ଉପନିର୍ବାଚନରେ ଉଦ୍ଧବ ପରୀକ୍ଷା ଦେଇଥାନ୍ତେ। କିନ୍ତୁ କରୋନା ପାଇଁ ଉପନିର୍ବାଚନକୁ ନିର୍ବାଚନ କମିସନ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରିଛନ୍ତି। ଫଳରେ ଉଦ୍ଧବଙ୍କ ପାଇଁ ଚାଲେଞ୍ଜ ବଢ଼ିଥିବା କୁହାଯାଉଛି।

ମୁଖ୍ୟମନ୍ତ୍ରୀ ପଦ ବଞ୍ଚାଇବା ପାଇଁ ଉଦ୍ଧବଙ୍କ ହାତରେ ଏବେ ଦୁଇଟି ବିକଳ୍ପ ରହିଥିବା କୁହାଯାଉଛି।

ପ୍ରଥମ ବିକଳ୍ପ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋସୟାରୀଙ୍କ ହାତରେ ବିଧାନ ପରିଷଦର ଦୁଇଟି ଆସନ ରହିଛି। ତାଙ୍କ ଦ୍ୱାରା ମନୋନୀତ ସଦସ୍ୟ ହିଁ ଏହି ଦୁଇଟି ଆସନ ପାଇପାରିବେ। ଏଣୁ ମହାରାଷ୍ଟ୍ରରେ ଦେଖାଦେବାକୁ ଥିବା ରାଜନୈତିକ ସଙ୍କଟ ବେଳେ ରାଜ୍ୟପାଳ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି। ରାଜ୍ୟପାଳ ଯଦି ଚାହିଁବେ ତାହାଲେ ଉଦ୍ଧବ ଠାକ୍‌ରେ ବିଧାନ ପରିଷଦକୁ ମନୋନୀତ ହୋଇପାରିବେ।

ଦ୍ୱିତୀୟ ବିକଳ୍ପ: ରାଜ୍ୟପାଳ ଯଦି ଉଦ୍ଧବଙ୍କୁ ବିଧାନପରିଷଦକୁ ମନୋନୀତି ନକରନ୍ତି ତାହାଲେ ଆଉ ଏକ ବିକଳ୍ପ ରହିଛି। ୬ ମାସର ଅବଧି ପୂର୍ବରୁ ଉଦ୍ଧବ ଠାକ୍‌ରେ ଚାହିଁଲେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଏବଂ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରିବେ। ଫଳରେ ତାଙ୍କୁ କୌଣସି ସଦନକୁ ନିର୍ବାଚିତ ହେବା ପାଇଁ ଆଉ ୬ ମାସ ସମୟ ମିଳିଯାଇପାରେ।

ଗତ ପାଞ୍ଚ ମାସ ତଳେ ମହାରାଷ୍ଟ୍ର ରାଜନୀତିରେ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା। ବିଜେପି-ଶିସେବନା ମେଣ୍ଟ ଅଧିକ ସିଟ୍‌ ହାତେଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଗଣିତ ଛିଣ୍ଡିନଥିଲା। ଶିବସେନା ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡ଼ି ବସିବାରୁ ବିଜେପି ଏଥିରେ ରାଜି ହୋଇ ନଥିଲା। ଫଳରେ ବିଜେପ-ଶିବସେନା ସମ୍ପର୍କ ତୁଟି ଯାଇଥିଲା। ଶେଷରେ ଶିବସେନା ସରକାର ଗଠନ କରିବା ପାଇଁ ପାରମ୍ପରିକ ବିରୋଧୀ ଏନ୍‌ସିପି ଏବଂ କଂଗ୍ରେସର ସହଯୋଗ ଲୋଡ଼ିଥିଲା। ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ଏନସିପି ଓ କଂଗ୍ରେସ ଶିବସନାକୁ ସମର୍ଥନ ଦେଇଥିଲେ। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ।

The post କରୋନା ବେଳେ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ! ଉଦ୍ଧବ ଠାକ୍‌ରେ କେମିତି ବଞ୍ଚାଇବେ ମୁଖ୍ୟମନ୍ତ୍ରୀ ଚୌକି? appeared first on OdishaLIVE.


Viewing all articles
Browse latest Browse all 11715

Trending Articles