Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଓଡ଼ିଶାରେ ଆଉ ନୂଆ ଡିଗ୍ରୀ କଲେଜ ଖୋଲିବନି

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଆଉ କୌଣସି ନୂଆ ଡିଗ୍ରୀ କଲେଜ ଖୋଲିବ ନାହିଁ। ବିଧାନସଭାର ଷ୍ଟାଣ୍ଡିଂ କମିଟି ଏହିଭଳି ସୁପାରିସ କରିଛି। ଉଚ୍ଚଶିକ୍ଷା ବିଭାଗର ଷ୍ଟାଣ୍ଡିଙ୍ଗ କମିଟି ନୂଆ ଡିଗ୍ରୀ କଲେଜ ଖୋଲିବା ପାଇଁ ଅନୁମତି ନଦେବାକୁ ସରକାରଙ୍କୁ ସୁପାରିସ କରିଛି।

ବିଧାନସଭା ଷ୍ଟାଣ୍ଡିଂ କମିଟିର ଏହି ସୁପାରିସ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗର ଏକ ହାଇ ପାୱାର କମିଟି ମଧ୍ୟ ଠିକ୍ ଏହି କଥା ସୁପାରିସ କରିଥିଲା। ରାଜ୍ୟରେ ଛତୁ ଫୁଟିବା ଭଳି ଡ଼ିଗ୍ରୀ କଲେଜ ଓ ବୃତ୍ତିଗତ କଲେଜ ଯେଉଁଭଳି ଖୋଲୁଛି ତାହାରି ଉପରେ ରୋକ ଲଗାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଉଭୟ କମିଟିର ସୁପାରିସ କ୍ରମେ,ଉଚ୍ଚ ଶିକ୍ଷା ବିଭାଗ ଚଳିତ ଶିକ୍ଷା ବର୍ଷ(୨୦୨୦ -୨୧)ଠାରୁ ଆଉ କୌଣସି ନୂଆ କଲେଜ ପାଇଁ ଅନୁମତି ଦେବ ନାହିଁ।ବିଜେଡ଼ି ବିଧାୟକ ଭୁପିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ଷ୍ଟାଣ୍ଡିଂ କମିଟି କିନ୍ତୁ ଯେଉଁ ସବୁ ଅଞ୍ଚଳରେ ଆବଶ୍ୟକତା ଅପେକ୍ଷା କମ କଲେଜ ଅଛି  ସେହି ସବୁ ସ୍ଥାନରେ ନୂଆ କଲେଜ ଖୋଲା ଯାଇପାରିବ ବୋଲି କହିଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଛୁଆ ବ୍ଲକ ମାନଙ୍କରେ ନୂତନ କଲେଜ ଖୋଲିବା ପାଇଁ ପ୍ରସ୍ତାବ ଦେଇଥିଲେ।

ଷ୍ଟାଣ୍ଡିଂ କମିଟି ଆହୁରି ମଧ୍ୟ ସୁପାରିସ କରିଛି ଯେ ବର୍ତ୍ତମାନର ଡ଼ିଗ୍ରୀ କଲେଜରେ ସିଟ ସଂଖ୍ୟା ବଢ଼ାଯିବା ଦରକାର ଯାହା ଫଳରେ କି ଯେଉଁ ସବୁ ବ୍ଲକରେ ପ୍ଲସ-ଟୁ ପରେ ଅଧିକ ପଢ଼ିବା ପାଇଁ  ସୁବିଧା ନାହିଁ ସେଠି ପିଲାମାନେ ଉଚ୍ଚ ଶିକ୍ଷା ଲାଭ କରିପାରିବେ।

ବିଭିନ୍ନ କଲେଜରେ ଯେଉଁ ସବୁ ଅଧ୍ୟାପକ ଓ ଅଧ୍ୟକ୍ଷ ପଦ ଖାଲି ପଡ଼ିଛି ତାହାକୁ ତୁରନ୍ତ ପୁରଣ କରିବା ପାଇଁ ମଧ୍ୟ  କମିଟି କହିଛି। ଯେତେଶୀଘ୍ର ଏହି ସବୁ ପଦରେ ଅଧ୍ୟାପକ ନିଯୁକ୍ତି ହେବେ ତାହା ଦେଖିବା ଦରକାର ବୋଲି କମିଟି ମତ ପ୍ରକାଶ କରିଛି। ଅତିଥି ଅଧ୍ୟାପକମାନଙ୍କ ଦରମା ବୃଦ୍ଧି ପାଇଁ ମଧ୍ୟ କମିଟି ସରକାରଙ୍କୁ ସୁପାରିଶ କରିଛି। ତାଛଡ଼ା ପ୍ରାଧ୍ୟାପକ ପଦକୁ ଉନ୍ନତ ହେବାକୁ ହେଲେ ଅଧ୍ୟାପକମାନଙ୍କ ଅଭିଜ୍ଞତା ୨୩ ବର୍ଷକୁ କମାଇ ଦିଆଯିବା ଆବଶ୍ୟକ ବୋଲି କମିଟିର ସୁପାରିଶରେ ଉଲ୍ଲେଖ ରହିଛି। ଏବେ ରିଡ଼ର ହେବା ପାଇଁ ହେଲେ ୨୭ ବର୍ଷ ଅଭିଜ୍ଞତା ଦରକାର।

The post ଓଡ଼ିଶାରେ ଆଉ ନୂଆ ଡିଗ୍ରୀ କଲେଜ ଖୋଲିବନି appeared first on OdishaLIVE.


Viewing all articles
Browse latest Browse all 11715

Trending Articles