Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ସୁନ୍ଦରଗଡ଼କୁ ନୂଆ ପରିଚୟ ଦେବ ୨୦୨୩ ହକି ପୁରୁଷ ବିଶ୍ୱକପ୍

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୩ରେ ହକିର ଗଡ଼ ସୁନ୍ଦରଗଡ଼ରେ ଆୟୋଜନ ହେବ ହକି ପୁରୁଷ ବିଶ୍ୱକପ୍‌। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୩ ତାରିଖରେ ସୁନ୍ଦରଗଡ଼ ଗସ୍ତ ଅବସରରେ ଘୋଷଣା କରିଛନ୍ତି। ରାଉରକେଲା ଷ୍ଟାଡିୟମରେ ଏହି ହକି ବିଶ୍ୱକପ୍‌ ଆୟୋଜନ କରାଯିବ। ୨୦୨୩ ହକି ପୁରୁଷ ବିଶ୍ୱକପ୍‌ ଖଣି ପ୍ରଭାବିତ ଅଞ୍ଚଳ ସୁନ୍ଦରଗଡ଼କୁ ଏକ ନୂଆ ପରିଚୟ ଦେବ।

୨୦୧୮ରେ ପ୍ରଥମ ଥର ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହୋଇଥିଲା ହକି ପୁରୁଷ ବିଶ୍ୱକପ୍‌। ଓଡ଼ିଶା ଏହି ବିଶ୍ୱକପ୍‌କୁ ସଫଳତାର ସହ ଆୟୋଜନ କରି ସାରା ବିଶ୍ୱକୁ ଚମକେଇ ଦେଇଥିଲା। ରଙ୍ଗାରଙ୍ଗ ପରିବେଶ ଭିତରେ ଆୟୋଜିତ ହୋଇଥିବା ବିଶ୍ୱକପ୍‌ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାକୁ ନୂଆ ଉଚ୍ଚତାକୁ ନେଇଥିଲା।

Odisha CM Naveen Patnaik with Olly the mascot

୨୦୧୮ ହକି ବିଶ୍ୱକପ୍‌ର ଉଦ୍‌ଯାପନୀ ଉତ୍ସବରେ ୨୦୨୩ ବିଶ୍ୱକପ୍‌ ସମ୍ପର୍କରେ ଘୋଷଣା କରାଯାଇଥିଲା। ଓଡ଼ିଶା ପୁଣିଥରେ ଏହି ବିଶ୍ୱକପ୍‌ ଆୟୋଜନ କରିବ ବୋଲି ହକି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଥିଲା। ୨୦୨୩ ହକି ବିଶ୍ୱକପ୍‌ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଷ୍ଟାଡିୟମରେ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଏବେ ସବୁଠି ଖୁସିର ଲହରୀ ଖେଳି ଯାଇଛି। ହକିର ଗଡ଼ ସୁନ୍ଦରଗଡ଼ରେ ଏଭଳି ବିଶ୍ୱକପ୍‌ ଆୟୋଜନ ହେଲେ ସାରା ବିଶ୍ୱର ନଜର ସୁନ୍ଦରଗଡ଼ ଉପରେ ରହିବ ବୋଲି କୁହାଯାଉଛି।

ଓଡ଼ିଶାରେ ହକି କହିଲେ ସୁନ୍ଦରଗଡ଼କୁ ବୁଝାଏ। ଏହି ମାଟିରୁ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଲାର୍ଜରୁସ୍‌ ବାର୍ଲା, ପ୍ରବୋଧ ତିର୍କୀ, ଇଗନେସ୍‌ ତିର୍କୀ, ସୁଭଦ୍ରା ପ୍ରଧାନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା ଲାଭ କରି ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି। ଏବେ ଭାରତୀୟ ପୁରୁଷ ଏବଂ ମହିଳା ହକି ଟିମ୍‌ରେ ଦୀପଗ୍ରେସ୍‌ ଏକ୍କା, ସୁନିତା ଲାକ୍ରା, ନିଳିମା ମିଞ୍ଜ, ଅମିତ ଲାକ୍ରା, ଦୀପସାନ ତିର୍କୀ ସେମାନଙ୍କ ପ୍ରତିଭା ଦେଖାଇ ଆସୁଛନ୍ତି। ଏବେ ବି ସୁନ୍ଦରଗଡ଼ ଜିଲ୍ଲାର ଗାଁ ଗହଳିରେ ହକି ଖେଳ ଚାଲିଛି। ହାତରେ ହକି ଷ୍ଟିକ ଧରି ପିଲାମାନେ ହକି ଅଭ୍ୟାସ କରୁଛନ୍ତି। ଏପରିସ୍ଥଳେ ୨୦୨୩ ହକି ପୁରୁଷ ବିଶ୍ୱକପ୍‌ ରାଉରକେଲା ଷ୍ଟାଡିୟମରେ ଆୟୋଜନ କରିବା ସୁନ୍ଦରଗଡ଼ବାସୀଙ୍କ ପାଇଁ ନିହାତି ଖୁସିର ଖବର।

୨୦୧୮ ବିଶ୍ୱକପ୍‌କୁ ରାଜ ସରକାର ବଡ଼ ଧୁମଧାମରେ ଆୟୋଜନ କରିଥିଲେ। ଉଦଘାଟନୀ ଉତ୍ସବରେ ବଲିଉଡ୍‌ ତାରକା ଶାହରୁଖ ଖାନ୍‌, ମାଧୁରୀ ଦୀକ୍ଷିତ, ଏ ଆର୍‌ ରେହମାନ ଯୋଗ ଦେଇଥିଲେ।

୨୦୧୮ ହକି ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଖେଳାଳିମାନଙ୍କ ପାଇଁ ନୂଆ ଜର୍ସି ଉନ୍ମୋଚନ ହୋଇଥିଲା। ଏହି ନୂଆ ଜର୍ସିରେ ଓଡ଼ିଶାର ଲୋଗୋ ରହିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହାର ଉଦଘାଟନ କରି ଓଡ଼ିଶା ହକି ଖେଳକୁ ପ୍ରୋତ୍ସାହନ ଦେଉଥିବା ବାର୍ତ୍ତା ଦେଇଥିଲେ।

୨୦୧୮ ହକି ବିଶ୍ୱକପ୍‌କୁ ସଫଳ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ। ‘ମାଇଁ ହାର୍ଟବିଟ୍ସ ଫର୍‌ ହକି’ କ୍ୟାମ୍ପେନ ଆରମ୍ଭ ହୋଇଥିଲା। ଗାଁ ଗାଁରେ ହକି ବିଶ୍ୱକପ୍‌ର ପ୍ରଚାର ପ୍ରସାର କରାଯାଇଥିଲା।

୨୦୨୩ରେ ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ଏଭଳି ବିଶ୍ୱକପ୍‌ ଆୟୋଜନ ହେଉଥିବାରୁ ଏହାକୁ ସଫଳତାର ସହ ଆୟୋଜନ କରିବା ପାଇଁ ରାଜ୍ୟ ସରକାର ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

The post ସୁନ୍ଦରଗଡ଼କୁ ନୂଆ ପରିଚୟ ଦେବ ୨୦୨୩ ହକି ପୁରୁଷ ବିଶ୍ୱକପ୍ appeared first on OdishaLIVE.


Viewing all articles
Browse latest Browse all 11715