Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ମାଟ୍ରିକ ପରୀକ୍ଷା –ପ୍ରଥମ ଦିନ କପି କରି ଧରାପଡ଼ିଲେ ୧୧୪ ପରୀକ୍ଷାର୍ଥୀ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପରୀକ୍ଷା ଦେଲେ ୫ ଲକ୍ଷ ୪୭ ହଜାର ୭୬୧ ପରୀକ୍ଷାର୍ଥୀ
  • ଆରମ୍ଭରୁ ବିଭ୍ରାଟ
  • ମାତୃଭାଷା ପ୍ରଶ୍ନପତ୍ର ଲିକ୍‌କୁ ଫାଙ୍କିଦେଲେ ବୋର୍ଡ କର୍ତ୍ତୃପକ୍ଷ
  • ପରୀକ୍ଷା ପରେ ଲିକ୍‌ ହୋଇଥିବା ସଫେଇ
  • ଜଣେ ନକଲି ପରୀକ୍ଷାର୍ଥୀ ଅଟକ

କଟକ: ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଭାଷା ଓଡ଼ିଆ ପରୀକ୍ଷାରେ ୫ ଲକ୍ଷ ୪୭ ହଜାର ୭୬୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ମାତୃଭାଷା ପରୀକ୍ଷାରେ କପି କରୁଥିବା ବେଳେ ସ୍କ୍ୱାଡ୍ ହାତରେ ଧରା ପଡ଼ି ୬୯ ଜଣ ଛାତ୍ରଛାତ୍ରୀ ମାଲ୍ ପ୍ରାକ୍ଟିସ୍(ଏମ୍‌ପି)ରେ ବୁକ୍ ହୋଇଛନ୍ତି।

ସେହିପରି ମଧ୍ୟମାରେ ୩ ହଜାର ୩୩୭ ଜଣ ଛାତ୍ରଛାତ୍ରୀ ସଂସ୍କୃତ ବ୍ୟାକରଣ ପରୀକ୍ଷା ଦେଇଥିବା ବେଳେ କପି କରି ଜଣେ ଛାତ୍ର ଏମ୍‌ପିରେ ବୁକ୍ ହୋଇଛନ୍ତି। ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟରେ ୯ ହଜାର ୭୭୧ ଜଣ ଇଂରାଜୀ ପରୀକ୍ଷା ଦେଇଥିବା ବେଳେ କପି କରି ୪୪ ଜଣ ଛାତ୍ରଛାତ୍ରୀ ଏମ୍‌ପିରେ ବୁକ୍ ହୋଇଛନ୍ତି।

ମାଟ୍ରିକ୍, ମଧ୍ୟମା ଓ ଏସ୍ଓଏସ୍‌ପି ପରୀକ୍ଷାରେ ମୋଟ ୧୧୪ ଜଣ ଛାତ୍ରଛାତ୍ରୀ ଏମ୍‌ପିରେ ବୁକ୍ ହୋଇ ପରୀକ୍ଷାରୁ ବାଦ୍‌ ପଡ଼ିଛନ୍ତି। ବାଲେଶ୍ୱର ଜିଲ୍ଲା ରାଧାନାଥ ହାଇସ୍କୁଲର ଜଣେ ଛାତ୍ର କପି କରୁଥିବା ବେଳେ ସ୍କ୍ୱାଡ୍ ହାତରେ ଧରାପଡ଼ିଥିଲେ। ଅଧିକ ଚେକିଂ ହେବାରୁ ସେ ଜଣେ ନକଲି ପରୀକ୍ଷାର୍ଥୀ ବୋଲି ଜଣାପଡ଼ିଥିଲା। ତାକୁ ଏମ୍‌ପିରେ ବୁକ୍ କରି ପରୀକ୍ଷାକୁ ବାଦ ଦିଆଯାଇଥିଲା ବୋଲି ସୂଚନା ମିଳିଛି।

ବୁଧବାର ସକାଳ ୯ଟାରେ ଛାତ୍ରଛାତ୍ରୀମାନେ କେନ୍ଦ୍ର ଭିତରକୁ ପ୍ରବେଶ କରିବା ପରେ ୯ଟା ୪୫ରେ ଉଭୟ ଅବଜେକ୍ଟିଭ ଓ ସବ୍‌ଜେକ୍ଟିଭ୍ ପ୍ରଶ୍ନ କମ୍ ଉତ୍ତର ବୁକ୍‌ଲେଟ୍‌ ଦିଆଯାଇଥିଲା। ଠିକ୍ ୧୦ଟାରେ ଅବ୍‌ଜେକ୍ଟିଭ ପରୀକ୍ଷା ଆରମ୍ଭ ହୋଇ ୧୧ଟାରେ ଶେଷ ହୋଇଥିଲା। ଏହାପରେ ସବ୍‌ଜେକ୍ଟିଭ୍ ପରୀକ୍ଷା ଆରମ୍ଭ ହୋଇଥିଲା। କିନ୍ତୁ ସାଢେ଼ ୧୧ଟା ବେଳକୁ କଳାହାଣ୍ଡି ଧର୍ମଗଡ଼ର ଏକ ଅଞ୍ଚଳରୁ ପ୍ରଶ୍ନପତ୍ର ଲିକ୍ ହୋଇ ଫୋନକୁ ଫୋନ ଘୂରିବୁଲିଥିଲା। ଏହାପରେ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରୁ ପୁଣି ପ୍ରଶ୍ନପତ୍ର ଲିକ୍ ହୋଇ ଭାଇରାଲ ହୋଇଥିଲା। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ବୋର୍ଡ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ହେଲେ ବୋର୍ଡ କର୍ତ୍ତୃପକ୍ଷ ଏହାକୁ ଅସ୍ୱୀକାର କରିଥିଲେ। ପରୀକ୍ଷା ସରିବା ପରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସଫେଇ ଦେଇଥିଲେ।

ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ପାଇଁ ତୁହାକୁ ତୁହା ବୈଠକ ହୋଇଥିଲା।  ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲକୁ ରୋକିବା ପାଇଁ ମୁଖ୍ୟ ଶାସନ ସଚିବଠାରୁ କେନ୍ଦ୍ର ଅଧୀକ୍ଷକଙ୍କ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା।

ପ୍ରଶ୍ନପତ୍ର ସୁରକ୍ଷା ପାଇଁ ଖାତାରେ ସିକ୍ୟୁରିଟି କୋଡ୍ ଓ ପ୍ରଶ୍ନରେ ଡିଜିଟାଲ ଲକ ବ୍ୟବସ୍ଥା କରାଯାଇଥିଲା । ଏଥିରେ ମଧ୍ୟ ସନ୍ତୁଷ୍ଟ ନହୋଇ କେନ୍ଦ୍ରମାନଙ୍କରେ ସିସିଟିଭି ଖଞ୍ଜା ଯାଇଥିଲା । ଏସବୁ ସତ୍ତ୍ଵେ ଆଜି ଓଡ଼ିଆ ସବ୍‌ଜେକ୍ଟିଭ ପ୍ରଶ୍ନ ଲିକ୍ ହୋଇ ଭାଇରାଲ ହୋଇଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବ୍ୟବସ୍ଥା ବେକାର ସାବ୍ୟସ୍ତ ହୋଇଛି। ଯାହାଫଳରେ ଗତବର୍ଷ ଭଳି ଏବର୍ଷ ମଧ୍ୟ ଓଡ଼ିଆ ପ୍ରଶ୍ନ ଲିକ୍ ହୋଇ ଭାଇରାଲ ହୋଇ ବୋର୍ଡ କର୍ତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛି। ଗତବର୍ଷ ଭଳି ଚଳିତ ବର୍ଷ ଭାଇରାଲକୁ ଅସ୍ୱୀକାର କରିବା ସହ ଫାଙ୍କି ଦେଇଛନ୍ତି।

ପରୀକ୍ଷା ସରିବା ପରେ ପ୍ରଶ୍ନପତ୍ର ଲିକ୍ ହୋଇଛି ବୋଲି କହିବା ସହ ଛାତ୍ରଛାତ୍ରୀମାନେ କରିଥିବା ନେଇ ସଫେଇ ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ତେବେ ଏଠି ପ୍ରଶ୍ନ ଉଠୁଛି ଛାତ୍ରଛାତ୍ରୀମାନେ କେମିତି ଫୋନ ଭିତରୁକୁ ନେଲେ? ସେମାନେ ପ୍ରଶ୍ନପତ୍ର କେମିତି ବାହାରକୁ ଆଣିଲେ? ଏସବୁ ପ୍ରଶ୍ନ ଏବେ ଉଠୁଥିବା ବେଳେ ବୋର୍ଡ କର୍ତ୍ତୃପକ୍ଷ ଚିରାଚରିତ ଭାବେ ଭାବେ ପ୍ରତିକ୍ରିୟା ଦେଉଉଛନ୍ତି। ବୋର୍ଡ କର୍ତ୍ତୃପକ୍ଷଙ୍କ ଏଭଳି ଦାୟିତ୍ୱହୀନତାକୁ ନେଇ ଏବେ ପ୍ରଶ୍ନ ଉଠୁଥିବା ବେଳେ ଆସନ୍ତା ୨୨ ତାରିଖରେ ହେବାକୁ ଥିବା ଇଂରାଜୀ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇପାରେ ଆଶଙ୍କା କରାଯାଉଛି।

ପରୀକ୍ଷା କେନ୍ଦ୍ରମାନଙ୍କର ଅସୁବିଧାକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଏହାର ନମ୍ବର ୦୬୭୧-୨୪୧୨୦୫୯/୨୪୧୨୦୬୦ରେ ଯୋଗାଯୋଗ କରିବାକୁ କୁହାଯାଇଛି।

The post ମାଟ୍ରିକ ପରୀକ୍ଷା – ପ୍ରଥମ ଦିନ କପି କରି ଧରାପଡ଼ିଲେ ୧୧୪ ପରୀକ୍ଷାର୍ଥୀ appeared first on OdishaLIVE.


Viewing all articles
Browse latest Browse all 11715