ଓଡ଼ିଶାଲାଇଭ୍ ବ୍ୟୁରୋ
ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ବିଧାନସଭାରେ ଯେଉଁ ବଜେଟ ଆଗତ କରିଥିଲେ ସେଥିରେ କୃଷି ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି। ୨୦୨୦-୨୧ ପାଇଁ ମୋଟ ୧୯ ହଜାର ୪୦୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ୨୦୧୩-୧୪ ବର୍ଷ ତୁଳନାରେ ଏହା ତିନି ଗୁଣ ଅଧିକ।
ଅର୍ଥ ମନ୍ତ୍ରୀ କହିଲେ ଯେ ଭାରତରେ ଓଡ଼ିଶା ହେଉଛି ଅଳ୍ପ କିଛି ରାଜ୍ୟମାନଙ୍କ ଭିତରୁ ଗୋଟିଏ ଯେଉଁଠି ୨୦୦୨-୦୩ ଓ ୨୦୧୨-୧୩ ମଧ୍ୟରେ ଚାଷୀଙ୍କ ଆୟ ଦୁଇ ଗୁଣ ବୃଦ୍ଧି ପାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରଙ୍କ ନୂଆ କୃଷି ନୀତି ‘ସମୃଦ୍ଧି’ରେ ଏଭଳି ଉତ୍ତମ ବ୍ୟବସ୍ଥା କରାଯାଇଛି। ଯାହାଫଳରେ କି ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଚାଷୀମାନଙ୍କର ଖୁବ୍ ସୁବିଧା ହେବ।
କାଳିଆ ଯୋଜନା କଥା ଉଲ୍ଲେଖ କରିବାକୁ ଯାଇ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ୪୩ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ୧୧୫ କୋଟି ଟଙ୍କାର ସହାୟତା ଯାଇଛି। ଆସନ୍ତା ବର୍ଷ ପାଇଁ ଏହିଯୋଜନା ବାବଦକୁ ୩ ହଜାର ୧୯୫ କୋଟି ଟଙ୍କା ବ୍ୟୟ ହେବ। ତାଛଡା ପାରମ୍ପରିକ କୃଷି ବିକାଶ ପାଇଁ ୪୦ କୋଟି ଟଙ୍କା ରଖାଯାଇଛି।
ସେହିଭଳି ଅନ୍ୟ କେତେକ କାର୍ଯ୍ୟକ୍ରମ ପାଇଁ ମଧ୍ୟ ବେଶ୍ ଅର୍ଥ ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ତ୍ୱରାନ୍ୱିତ ଜଳସେଚନ ଲାଭ କାର୍ଯ୍ୟକ୍ରମ, ପାର୍ବତୀ ଗିରି ମେଗା ଜଳସେଚନ ଯୋଜନା ଓ କୃଷି ଗବେଷଣା ଓ ଶିକ୍ଷା ପାଇଁ ମଧ୍ୟ ଅର୍ଥମନ୍ତ୍ରୀଙ୍କ ପକ୍ଷରୁ ବଜେଟରେ ଆବଶ୍ୟକୀୟ ବ୍ୟୟ ବରାଦ କରାଯାଇଛି।
ବିଳମ୍ବରେ ହେଲେ ମଧ୍ୟ ନବୀନ ପଟ୍ଟନାୟକ ସରକାର ରାଜ୍ୟର ମୁଖ୍ୟ ଜୀବିକା କୃଷି ପ୍ରତି ଧ୍ୟାନ ଦେଇଛନ୍ତି। ଏହା ଖୁସିର କଥା। ଆଶା କରାଯାଏ ଏହି ବଜେଟ ବ୍ୟୟ ଚାଷୀଙ୍କ ଆର୍ଥିକ ଓ ସାମାଜିକ ଅବସ୍ଥାକୁ ସୁଧାରିବାରେ ସହାୟକ ହେବ।
The post କୃଷି ପାଇଁ ସରକାରଙ୍କ ଦରଦ – ତିନି ଗୁଣ ଅଧିକ ଟଙ୍କା appeared first on OdishaLIVE.