Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଥମୁନି କଂଗ୍ରେସ କନ୍ଦଳ – ପ୍ରଭାରୀଙ୍କ ସାମ୍ନାରେ ପିଟାପିଟି

$
0
0

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପୁରୀ ପରେ ଭଦ୍ରକରେ କଂଗ୍ରେସ ବୈଠକ ଚାଲିଥିବା ବେଳେ ଗଣ୍ଡଗୋଳ, ଠେଲାପେଲା।

କଂଗ୍ରେସରେ କନ୍ଦଳ ଥମୁନି। ଏହା ଆମେ କହୁନୁ, ଗତ କିଛିଦିନର ଘଟଣା ପ୍ରମାଣ ଦେଉଛି। ରାଜ୍ୟ ସ୍ତରରେ ପିସିସି ସଭାପତି ହଟାଇବା ପାଇଁ କନ୍ଦଳ ଚାଲିଥିବା ବେଳେ ତୃଣମୂଳ ସ୍ତରରେ ବି କନ୍ଦଳ କିଛି କମ୍‌ ନାହିଁ। ନିକଟରେ ପୁରୀରେ କଂଗ୍ରେସ ବୈଠକରେ କର୍ମୀ ପିଟାପିଟି ହୋଇଥିବା ବେଳେ ଆଜି ଭଦ୍ରକରେ ଅନୁରୂପ ଘଟଣା ଦେଖିବାକୁ ମିଳିଛି।

ପ୍ରଭାରୀ ଜିତେନ୍ଦ୍ର ସିଂହ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝିଙ୍କ ଉପସ୍ଥିତିରେ କଂଗ୍ରେସର ଦୁଇ ଗୋଷ୍ଠୀ ପିଟାପିଟି ହୋଇଥିଲେ। ପରିସ୍ଥିତି ଏମିତି ହେଲା ଯେ, ଶେଷରେ ପୋଲିସ ବୈଠକସ୍ଥଳରେ ପହଞ୍ଚିଥିଲା। ଟାଉନ ଥାନାରେ ମଧ୍ୟ ଏନେଇ ଏତଲା ହୋଇଛି।

ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିକୁ ସୁଦୃଢ଼ କରିବା ପାଇଁ ଆଜି ଚାଲିଥିଲା କାର୍ଯ୍ୟକାରିଣୀ ବୈଠକ। ଏହି ବୈଠକରେ କଂଗ୍ରେସର ପ୍ରମୁଖ ନେତା ସାମିଲ ହୋଇଥିଲେ। ଏହାସହ ବିଭିନ୍ନ ପଦ ପଦବୀରେ ନେତାମାନଙ୍କୁ ଥଇଥାନ କରିବାର ବ୍ୟବସ୍ଥା ଥିଲା। ବୈଠକରେ ଭଦ୍ରକ ଜିଲ୍ଲାର ବହୁ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ।

ବୈଠକ ଆରମ୍ଭ ପୂର୍ବରୁ କଂଗ୍ରେସ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ପିସିସି ସଭାପତି, ପ୍ରଭାରୀ ଏବଂ ଅନ୍ୟ ନେତାମାନେ ଆସିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ବୈଠକ ଚାଲିଥିଲା। ହେଲେ ବୈଠକ ଚାଲିଥିବା ବେଳେ ହିଁ ପୁଣି ପରିସ୍ଥିତି ଅଣାୟତ୍ତ ହୋଇଯାଇଥିଲା। ପୁଣି ଥରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହି ମାମଲା ଥାନାକୁ ଯାଇଥିଲା।

‘‘କଂଗ୍ରେସରେ କୌଣସି କନ୍ଦଳ ନାହିଁ। ଅନ୍ୟ ଦଳର ଲୋକମାନେ କଂଗ୍ରେସରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ରାଜ୍ୟରେ ବିଜେଡି ଓ ବିଜେପି ଭିତରେ ଅଘୋଷିତ ମେଣ୍ଟ ଚାଲିଛି। ସଂସଦରେ ବିଜେଡି ସାଂସଦମାନେ ବିଭିନ୍ନ ବିଲ୍‌କୁ ସମର୍ଥନ ଦେଉଛନ୍ତି। କଂଗ୍ରେସ ହିଁ ମୁଖ୍ୟ ବିରୋଧୀ ଦଳର ଭୂମିକା ନିଭାଉଛି’’, କହିଛନ୍ତି ପ୍ରଭାରୀ ଜିତେନ୍ଦ୍ର ସିଂହ।

ଗତ ଦୁଇ ଦିନ ତଳେ ପୁରୀରେ ଚାଲିଥିବା କଂଗ୍ରେସ ବୈଠକରେ ମଧ୍ୟ ତୁମୁଳକାଣ୍ଡ ଦେଖିବାକୁ ମିଳିଥିଲା। ଦୁଇ ଗୋଷ୍ଠୀଙ୍କ ଭିତରେ ପିଟାପିଟି ହେବାରୁ ୩ ଜଣ କର୍ମୀ ଲହୁଲୁହାଣ ହୋଇଥିଲେ। ଏହି ଅଭାବନୀୟ ଘଟଣା ପିସିସି ସଭାପତି ଏବଂ ପ୍ରଭାରୀଙ୍କ ଉପସ୍ଥିତିରେ ହୋଇଥିଲା।

ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ରାଜ୍ୟରେ ଶୋଚନୀୟ ଭାବେ ପରାଜିତ ହେବା ପରେ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ଜୋରଦାର ଉଦ୍ୟମ କରାଯାଉଛି। ବିଭିନ୍ନ ଜିଲ୍ଲା ଗସ୍ତ କରି କମିଟି ଗଠନ କରାଯାଉଛି। ହେଲେ ଜିଲ୍ଲାରେ କଂଗ୍ରେସ କନ୍ଦଳରୁ ଉଠି ପାରୁନି।

The post ଥମୁନି କଂଗ୍ରେସ କନ୍ଦଳ – ପ୍ରଭାରୀଙ୍କ ସାମ୍ନାରେ ପିଟାପିଟି appeared first on OdishaLIVE.


Viewing all articles
Browse latest Browse all 11715

Trending Articles