ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡେମୀ ଓ ଆର୍ଟ ଭିଜନର ମିଳିତ ଉଦ୍ୟମରେ ଆୟୋଜିତ ୧୬ତମ ଧଉଳି-କଳିଙ୍ଗ ମହୋତ୍ସବର ମଙ୍ଗଳବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଐତିହାସିକ ଧଉଳି ପାହାଡ଼ର ପାଦଦେଶ ଓଡ଼ିଶୀ ଓ ସମରକଳା ନୃତ୍ୟ ସଙ୍ଗୀତରେ ଚଳଚଞ୍ଚଳ ହୋଇ ଉଠିଥିଲା।
ମଙ୍ଗଳବାର ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ଓଡ଼ିଶା ଡ୍ୟାନ୍ସ ଏକାଡେମୀର ଶିଳ୍ପୀମାନଙ୍କ ଦ୍ୱାରା ଶାନ୍ତି ମନ୍ତ୍ର। ନୃତ୍ୟ ମାଧ୍ୟମରେ ଶାସ୍ତ୍ରକୁ ଭେଦ କରି ନୃତ୍ୟରେ ସ୍ଥିରତା ବଜାୟ ରଖିବାର ମାଧ୍ୟମ ଥିଲା ଏହି ଶାନ୍ତି ମନ୍ତ୍ର। ଏହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଅରୁଣା ମହାନ୍ତି।
ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ଓଡ଼ିଶୀ ଭିଜନ ଓ କଲିକତାର ମୁଭମେଣ୍ଡ ସେଣ୍ଟରର ଶର୍ମିଲା ବିଶ୍ୱାସ ଓ ସାଥୀଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ। ତାଙ୍କର ପ୍ରଥମ ପ୍ରସ୍ତୁତିଟି ଥିଲା ଆବାହନୀ – ଅନ୍ତଃ ଚେତନାର ଜାଗରଣକୁ ନେଇ ଏହା ପରିକଳ୍ପିତ ହେଉଥିଲା। ପରେ ପରେ ପରିବେଷିତ ହୋଇଥିଲା କଳାଶ୍ରୀ। ନୃତ୍ୟର ଆଦ୍ୟ ସାଧନା ଚଉକକୁ ନେଇ ଏହା ପରିବେଷିତ ହୋଇଥିଲା। ଶେଷ ପ୍ରସ୍ତୁତିଟି ଥିଲା ମାୟା ମାନବ। ବିଚିତ୍ର ରାମାୟଣ ଆଧାରିତ ମାୟା ମିରିଗ ଓ ଶ୍ରୀରାମଙ୍କ ଶର ସନ୍ଧାନକୁ ନେଇ ପ୍ରସ୍ତୁତ ଥିଲା ଅଭିନୟ ମାୟା ମାନବ। ନୃତ୍ୟ ସଂରଚନା କରିଥିଲେ ଗୁରୁ ଶର୍ମିଲା ବିଶ୍ୱାସ।
ଦ୍ୱିତୀୟ ସନ୍ଧ୍ୟାର ଶେଷ ପ୍ରସ୍ତୁତି ଥିଲା ବେଙ୍ଗାଳୁରୁରୁ ଆସିଥିବା ରଞ୍ଜନ ମୁଲାର୍ଟ ଓ ସାଥୀଙ୍କ ଦ୍ୱାରା ସମରକଳା ନୃତ୍ୟ ‘କଲାରିପାଇଟୁ’। ଏଥିରେ ଶିଳ୍ପୀମାନେ ବିଭିନ୍ନ ଶାରିରୀକ, ଅଙ୍ଗଭଙ୍ଗୀକୁ ନେଇ ସମରକଳା ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ।
ଦ୍ୱିତୀୟ ସନ୍ଧ୍ୟାରେ ଦକ୍ଷତା ଉନ୍ନୟନ ପ୍ରାଧିକାରୀ ଅଧ୍ୟକ୍ଷ ସୁବ୍ରତ ବାଗଚୀ, ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗଚୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପୂର୍ବତନ ଏୟାର ମାର୍ଶଲ ଅଜିତ ଶଙ୍କର ରାଓ ଭୋନସଲେ ଏବଂ ଓଡ଼ିଶା ଡ୍ୟାନ୍ସ ଏକାଡେ଼ମୀର ସଚିବ ଗୁରୁ ଅରୁଣା ମହାନ୍ତି। ଡକ୍ଟର ମୃତ୍ୟୁଞ୍ଜୟ ରଥ ଏବଂ ଇତିଶ୍ରୀ ଦେବୀ କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ।
The post ଧଉଳି-କଳିଙ୍ଗ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା – ଓଡ଼ିଶୀ ଓ ସମରକଳା ନୃତ୍ୟରେ ଦର୍ଶକ ବିଭୋର appeared first on OdishaLIVE.