Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବରଗଡ଼ରେ ଜୋର୍‌ ଧରିଲା ସିଟି ହସ୍ପିଟାଲ ଦାବି: ପୋଲିସ-ଜନତା ଖଣ୍ଡଯୁଦ୍ଧ, ଢେଲା ମାଡ଼

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଗଡ଼ରେ ଅଖ, ଚକ ବନ୍ଦ। ଦୋକାନ ବଜାର ବି ବନ୍ଦ। ସିଟି ହସ୍ପିଟାଲ ଦାବିରେ ତେଜିଲା ଆନ୍ଦୋଳନ।

ବରଗଡ଼ରେ ଭୟଙ୍କର ରୂପ ନେଲା ସିଟି ହସ୍ପିଟାଲ ଦାବି। ଏହି ଦାବିକୁ ନେଇ ଜିଲ୍ଲା ମେଡିକାଲ ସାମ୍ନାରେ ଚାଲିଥିବା ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। ପୋଲିସ ଓ ଜନତାଙ୍କ ଭିତରେ ଖଣ୍ଡ ଯୁଦ୍ଧ ଲାଗିଥିବା ବେଳେ ଢେଲାମାଡ଼ ହୋଇଥିବା ଅଭିଯୋଗ ହୋଇଛି।

ଆନ୍ଦୋଳନରୁ କୌଣସି ସମାଧାନର ରାସ୍ତା ନବାହାରିବାରୁ ଆସନ୍ତା କାଲି ପୁଣି ବରଗଡ଼ ବନ୍ଦ ଡାକରା ଦିଆଯାଇଛି।

ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଭଟ୍‌ଲି ବ୍ଲକର ଟୁକୁରାଲକୁ ସ୍ଥାନାନ୍ତର ହେବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। ଏହାକୁ ନେଇ ତେଜିଛି ଆନ୍ଦୋଳନ। ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଜାଗାରେ ଏକ ସିଟି ହସ୍ପିଟାଲ ନିର୍ମାଣ କରିବାକୁ ବରଗଡ଼ବାସୀ ଦାବି କରିଛନ୍ତି। ଏହାକୁ ନେଇ ଗତ ଦୁଇ ଦିନ ହେଲା ଆନ୍ଦୋଳନ ଚାଲିଥିଲା। ହେଲେ ସୋମବାର ଦିନ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଥିଲା।

ବରଗଡ଼ ଜିଲ୍ଲା ହସ୍ପିଟାଲ ସାମ୍ନାକୁ ଛୁଟି ଆସିଥିଲେ ଶହ ଶହ ସାଧାରଣ ଲୋକ। ବରଗଡ଼ ସହରରେ ଚକା ଜାମ୍‌ କରିଦେଇଥିଲେ ଆନ୍ଦୋଳନକାରୀ। ଦୋକାନ ବଜାର ବନ୍ଦ କରି ଆନ୍ଦୋଳନରେ ସାମିଲ ହୋଇଥିଲେ ବିଭିନ୍ନ ବର୍ଗର ଲୋକ। ଯଦି ଜିଲ୍ଲା ମେଡିକାଲ ସ୍ଥାନାନ୍ତର କରୁଛ ତାହାଲେ ଆମକୁ ସିଟି ହସ୍ପିଟାଲ ଦିଅ ବୋଲି କହିଥିଲେ ଆନ୍ଦୋଳନକାରୀ।

‘‘ବରଗଡ଼ ସହରରେ ପ୍ରାୟ ୨ ଲକ୍ଷ ଲୋକ ରହୁଛନ୍ତି। ସେମାନଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସିଟି ହସ୍ପିଟାଲ ନିର୍ମାଣ କରାଯାଉ। ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ’’, କହିଛନ୍ତି ଆନ୍ଦୋଳନକାରୀ।

ସିଟି ହସ୍ପିଟାଲ ସମ୍ମୁଖରେ ଲୋକେ ଆନ୍ଦୋଳନ କରୁଥିବା ବେଳେ ପୋଲିସ ପ୍ରଶାସନ ସଜାଗ ରହିଥିଲା। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଉଦ୍ୟମ କରିଥିଲା। ହେଲେ ଆନ୍ଦୋଳନକାରୀମାନେ ପୋଲିସ ଉପରକୁ ଢେଲା ମାଡ଼ କରିଥିଲେ। ଏହାର ପ୍ରତିବାଦରେ ପୋଲିସ ମଧ୍ୟ ଢେଲା ମାଡ଼ କରିଥିବା ଅଭିଯୋଗ ହୋଇଛି। ପୋଲିସ-ଜନତାଙ୍କ ଭିତରେ ଚାଲିଥିବା ଖଣ୍ଡଯୁଦ୍ଧରେ ବରଗଡ଼ ରାଜରାସ୍ତା ରଣକ୍ଷେତ୍ର ପାଲଟି ଯାଇଥିଲା।

ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପାଇଁ ବିଧାୟକ ଦେବେଶ ଆଚାର୍ଯ୍ୟ ଆସି ପହଞ୍ଚିଥିଲେ। ହେଲେ ବିଧାୟକଙ୍କ କଥା ବି ଶୁଣି ନଥିଲେ ଆନ୍ଦୋଳନକାରୀ।

‘‘ମୁଁ ଲୋକମାନଙ୍କ ସହ ଅଛି। ଲୋକମାନେ ବି ମୋ’ ସହିତ ଅଛନ୍ତି। ମୁଁ ସବୁବେଳେ ମୋ’ ଅଞ୍ଚଳ କଥା ବିଧାନସଭାରେ ଉଠାଇ ଆସିଛି। ଆଗାମୀ ଦିନରେ ବି ସମସ୍ୟା ଉଠାଇବି’’, କହିଛନ୍ତି ବିଧାୟକ ଦେବେଶ ଆଚାର୍ଯ୍ୟ।

ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ କହିଛନ୍ତି, ‘‘ରାଜ୍ୟ ସରକାର ଏହି ହସ୍ପିଟାଲକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଭାବେ ଘୋଷଣା କରିଛନ୍ତି। ହେଲେ ଏଥିରେ ଲୋକମାନେ ସନ୍ତୁଷ୍ଟ ନାହାନ୍ତି। ଲୋକମାନେ ଯାହା ଚାହୁଁଛନ୍ତି ଆମେ ସେ ସମ୍ପର୍କରେ ସରକାରଙ୍କୁ ଜଣାଇ ଦେଇଛୁ। ଏଥିପାଇଁ ସମୟ ଦରକାର। ଲୋକମାନଙ୍କର ସହଯୋଗ ବି ଦରକାର।’’

ଏଠାରେ ପ୍ରଶ୍ନ ଉଠୁଛି ବରଗଡ଼ରୁ କାହିଁକି ଜିଲ୍ଲା ହସ୍ପିଟାଲ ସ୍ଥାନାନ୍ତର କରାଯାଉଛି? ବରଗଡ଼ବାସୀ କେଉଁଠି ଚିକିତ୍ସା ସୁବିଧା ପଇବେ? ଏଥିପାଇଁ ମଧ୍ୟ ରାଜ୍ୟ ସରକାର ବିକଳ୍ପ ପଦକ୍ଷେପ ଗ୍ରହଣ କରିବା ଦରକାର।

The post ବରଗଡ଼ରେ ଜୋର୍‌ ଧରିଲା ସିଟି ହସ୍ପିଟାଲ ଦାବି: ପୋଲିସ-ଜନତା ଖଣ୍ଡଯୁଦ୍ଧ, ଢେଲା ମାଡ଼ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images