ଓଡ଼ିଶାଲାଇଭ୍ ବ୍ୟୁରୋ
କୋରୋନା ଭାଇରସ୍ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା ବେଳେ ଏହାର ଉତ୍ପତ୍ତି ସ୍ଥଳ ଚୀନ୍ ପ୍ରତି ବିଶ୍ୱ ତମାମ ଏକ ରକମ ଘୃଣା ଭାବ ସୃଷ୍ଟି ହୋଇଛି। ପଡ଼ୋଶୀ ଭିଏତନାମଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ଚୀନର ଲୋକଙ୍କୁ ଦୂରରେ ରଖାଯାଉଛି। କିଛି ଦେଶରେ ତ ଲୋକେ ଚୀନ ଲୋକଙ୍କୁ ଦେଖିବା ମାତ୍ରେ କଡ଼େଇ ଯାଉଥିବା ଲକ୍ଷ୍ୟ କରାଯାଉଛି। ସିଓଲରେ ଖାଦ୍ୟ ସାମଗ୍ରୀ ବିକୁଥିବା ହୋଟେଲରେ ଏହିଭଳି ବୋର୍ଡ଼ ଲଗାଇବା ଆଖିରେ ପଡ଼ିଛି ‘ଚୀନ ନାଗରିକଙ୍କ ପାଇଁ ପ୍ରବେଶ ନିଷେଧ।’
ଚୀନ ବିରୋଧୀ ମନୋଭାବ ଆଜି ଏତେ ପ୍ରବଳ ହୋଇଛି ଯେ ସେହି ଦେଶର ଯାତ୍ରୀଙ୍କ ପାଇଁ ଉଡାଣରେ କଟକଣା ଲାଗୁ କରାଯାଇଛି। ହୋଟେଲ ଓ ରେଷ୍ଟୁରାଣ୍ଟରୁ ଚୀନ୍ ଲୋକଙ୍କୁ ଅପମାନିତ ହୋଇ ଫେରିବାକୁ ପଡ଼ୁଛି। ଦକ୍ଷିଣ କୋରିଆ, ଜାପାନ, ହଂକଂ ଆଦି ଦେଶରେ ଚୀନୀମାନଙ୍କୁ ଦୂର କରାଯାଉଛି।କୋରୋନା ଯୋଗୁଁ ଚୀନର ଲୋକମାନେ ବାହାର ଦେଶରେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଥିବା କଥା ବିଭିନ୍ନ ରିପୋର୍ଟରୁ ଜଣାପଡିଛି। ଇଣ୍ଡୋନେସିଆରେ ଏକ ହୋଟେଲ ସମ୍ମୁଖରେ ଧାରଣା ଦେଇ ସ୍ଥାନୀୟ ଲୋକମାନେ ଚୀନୀମାନଙ୍କୁ ହୋଟେଲରୁ ତଡ଼ିବା ପାଇଁ ଦାବି କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଫ୍ରାନ୍ସ ଓ ଅଷ୍ଟ୍ରେଲିଆରେ ବି ଏହି ଘୃଣା ଭାବ ପ୍ରବଳ ହୋଇଛି।
ଇତି ମଧ୍ୟରେ କୋରୋନା ଭାଇରସ୍ ପ୍ରାୟ ଏକ ଦଜନ ଦେଶକୁ ବ୍ୟାପିଛି। ଏହି ରୋଗ ଯୋଗୁଁ ଏ ଯାଏଁ ୩୦୫ ଜଣ ମରିସାରିଲେଣି। ହଜାର ହଜାର ଲୋକ ବେମାର ପଡ଼ିଛନ୍ତି। ଅନେକ ଦେଶ ନିଜ ନିଜର ଲୋକଙ୍କୁ ଚୀନରୁ ଫେରାଇ ଆଣିବାକୁ ସ୍ୱତନ୍ତ୍ର ବିମାନ ପଠାଉଛନ୍ତି। କିଛି ଦେଶ ସହିତ ଚୀନର କୂଟନୈତିକ ଓ ଆର୍ଥିକ ସମ୍ପର୍କ ପୂର୍ବରୁ ବିଗିଡ଼ି ଥିବା ବେଳେ କରୋନା ଭାଇରସ ସେହି ସମ୍ପର୍କକୁ ଅଧିକ ଖରାପ କରିଛି।
The post କୋରୋନା ଭାଇରସ୍ ଯୋଗୁଁ ସମଗ୍ର ବିଶ୍ୱରେ ଚୀନ ଲୋକଙ୍କୁ ଘୃଣା appeared first on OdishaLIVE.