Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଡିସେମ୍ବର ୧ରୁ କୋଣାର୍କ ଉତ୍ସବ – ଇଣ୍ଡୋନେସିଆର ଲୋକନୃତ୍ୟରେ ଦୁଲୁକିବ ମଞ୍ଚ

$
0
0

ଓଡ଼ିଶାଲାଇଭ୍  ବ୍ୟୁରୋ

  • କୋଣାର୍କ ମୁକ୍ତାକାଶ ମଞ୍ଚରେ ୫ ଦିନ ଧରି ଚାଲିବ ଏହି ଉତ୍ସବ
  • ପରିବେଷଣ ହେବ ଓଡ଼ିଶୀ, ଭାରତନାଟ୍ୟମ୍, କଥକ, କୁଚିପୁଡ଼ି ଓ ମୋହିନୀଆଟନ
  • ଦର୍ଶକଙ୍କୁ ଆକର୍ଷିତ କରିବ ଅନ୍ତର୍ଜାତୀୟ ବାଲୁକାକଳା ମହୋତ୍ସବ

ଦିନ କେଇଟା ପରେ ପୁଣି ଜମିବ ବିଶ୍ୱପ୍ରସିଦ୍ଧ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଡିସେମ୍ବର ୧ ତାରିଖରୁ କୋଣାର୍କ ଫେଷ୍ଟିଭାଲ୍ ଆୟୋଜିତ ହେବ। ୧୯୮୬ ମସିହାରୁ ଲଗାତାର ଭାବେ ଆୟୋଜିତ ହୋଇ ଆସୁଥିବା କୋଣାର୍କ ଫେଷ୍ଟିଭାଲ୍ ହେଉଛି ଏପରି ଏକ ମୁକ୍ତାକାଶ ମଞ୍ଚ, ଯାହା ଓଡ଼ିଶାର କଳା, ନୃତ୍ୟ ଓ ସଂଗୀତକୁ ବିଶ୍ୱ ଦରବାରରେ ପରିଚିତ କରାଇପାରିଛି। ସୂର୍ଯ୍ୟ ମନ୍ଦିର କୋଳରେ ମୁକ୍ତାକାଶ ତଳେ ଶୀତୁଆ ରାତିରେ କୋଣାର୍କ ରଙ୍ଗମଞ୍ଚରେ ପାରମ୍ପରିକ ନୃତ୍ୟର ସ୍ପର୍ଶ ପାଇବା ପାଇଁ ଦର୍ଶକ ଓ ପର୍ଯ୍ୟଟକ, ଉତ୍ସାହର ସହ ଅପେକ୍ଷା କରିଥା’ନ୍ତି।

ଲଗାତାର ୩୨ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଏହି ଫେଷ୍ଟିଭାଲ୍‌ରେ ଚଳିତବର୍ଷ ରାଜ୍ୟ, ରାଜ୍ୟ ବାହାର ତଥା ବିଦେଶରୁ ବହୁ ଜଣାଶୁଣା ଓଡ଼ିଶୀ, କଥକ, କୁଚିପୁଡ଼ି, ମୋହିନୀଆଟମ୍, ଭାରତନାଟ୍ୟମ୍ ଏବଂ ଲୋକନୃତ୍ୟର ବିଭିନ୍ନ ଶୈଳି ପରିବେଷଣ କରି ଉପସ୍ଥିତ ଦର୍ଶକ ଓ ପର୍ଯ୍ୟଟକମାନଙ୍କ ମନମୋହିବେ।

କୋଣାର୍କ ଫେଷ୍ଟିଭାଲ୍ ୨୦୧୯ର ସଫଳ ଆୟୋଜନ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ମୁକ୍ତାକାଶ ପେଣ୍ଡାଲକୁ ସୁନ୍ଦର ଭାବେ ସଜା ଯାଉଥିବା ବେଳେ ଦର୍ଶକ ଯେପରି ଭଲରେ ନୃତ୍ୟକୁ ଉପଭୋଗ କରି ପାରିବେ ସେ ନେଇ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଉଛି।

କୋଣାର୍କ ଉତ୍ସବର ପ୍ରଥମ ସଂଧ୍ୟାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ ଭୁବନେଶ୍ୱରର ସର୍ଜନ ଅନୁଷ୍ଠାନର କଳାକାରମାନେ। ସେହି ସଂଧ୍ୟାରେ ଦ୍ୱିତୀୟ ପ୍ରସ୍ତୁତିରେ କଥକ ନୃତ୍ୟ ପରିବେଷଣ କରିବାକୁ ପୁଣେରୁ ଆସୁଛନ୍ତି ଗୁରୁ ଶାମା ଭଟ୍ଟେ ଏବଂ ଗ୍ରୁପର ନୃତ୍ୟଶିଳ୍ପୀମାନେ।

ଦ୍ୱିତୀୟ ସଂଧ୍ୟାରେ ଇଣ୍ଡୋନେସିଆର ୱିଦ୍ୟ ବୁଦାୟ ଗ୍ରୁପ୍‌ ଲୋକନୃତ୍ୟ ପରିବେଷଣ କରିବେ। ଏହି ସଂଧ୍ୟାର ପର ପ୍ରସ୍ତୁତିରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ କୋଲକାତାର ଆଲୋକ କାନୁନ୍‌ଗୋ ଏବଂ ଗ୍ରୁପ୍‌।

ଉତ୍ସବର ତୃତୀୟସଂଧ୍ୟାରେ ଅନୁଗୁଳର ନୃତ୍ୟନିଳୟ ଅନୁଷ୍ଠାନର ସ୍ୱପ୍ନାରାଣୀ ସିହ୍ନା ଓ ଗ୍ରୁପ୍ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ସେହିପରି ତୃତୀୟ ସଂଧ୍ୟାର ପରବର୍ତ୍ତୀ କାର୍ଯ୍ୟକ୍ରମ ହେବ ମହିନିଆଟାମ୍ ନୃତ୍ୟ। ଏହାକୁ ଦିଲ୍ଲୀର ଜୟପ୍ରଭା ମେନନ୍ ଓ ଗ୍ରୁପ ପରିବେଷଣ କରିବେ।

ଚତୃର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟରେ ଦର୍ଶକଙ୍କ ମନ ମୋହିବେ ଦିଲ୍ଲୀର ରାଜା ଏବଂ ରାଧା ରେଡି ଗ୍ରୁପ୍। ସେହି ସଂଧ୍ୟାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ ଭୁବନେଶ୍ୱରର ତ୍ରିଧାରା ଅନୁଷ୍ଠାନର ଗଜେନ୍ଦ୍ର ପଣ୍ଡା ଏଣ୍ଡ୍ ଗ୍ରୁପ୍।

କୋଣାର୍କ ଫେଷ୍ଟିଭାଲର ଶେଷ ସଂଧ୍ୟାରେ ଭାରତନାଟ୍ୟମ୍ ନୃତ୍ୟ ପରିବେଷଣ କରିବେ ବୈଭବ ଆରେକର୍ ଏଣ୍ଡ ଗ୍ରୁପ୍। ଶେଷ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିକେସିଏମ ଓଆର୍‌ସି ପକ୍ଷରୁ ପରିବେଷିତ ହେବ ଓଡିଶୀ ନୃତ୍ୟ।

କୋଣାର୍କ ଫେଷ୍ଟିଭାଲର ଆଉ ଏକ ବିଶେଷ ଦିଗ ହେଲା କୋଣାର୍କର ପ୍ରାଚୀନ କୀର୍ତ୍ତିରାଜି, ଝାଉଁବଣ ଏବଂ ସମୁଦ୍ର। ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। କୋଣାର୍କ ଫେଷ୍ଟିଭାଲରେ ନୃତ୍ୟ କରିବାକୁ ଆସୁଥିବା ନୃତ୍ୟଶିଳ୍ପୀମାନେ ବହୁତ ଖୁସି ଅନୁଭବ କରନ୍ତି। ସେମାନେ କୋଣାର୍କରେ ନିଜର ପ୍ରତିଭା ପ୍ରଦର୍ଶନ ପରେ ସେମାନେ ଆତ୍ମସନ୍ତୋଷ ପାଇଥା’ନ୍ତି। ଗତ ଚାରି ବର୍ଷ ହେବ କୋଣାର୍କ ସ୍ୟାଣ୍ଡ୍ ଆର୍ଟ ଫେଷ୍ଟିଭାଲ ଆରମ୍ଭ ହୋଇଛି। ଯାହାଫଳରେ ଅଧିକ ଭିଡ଼ ପରିଲିକ୍ଷିତ ହେବା ସହ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି।

କୋଣାର୍କ ଫେଷ୍ଟିଭାଲ୍ ଅବସରରେ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଏବର୍ଷ ମଧ୍ୟ ଆୟୋଜିତ ହେବ ଅନ୍ତର୍ଜାତୀୟ ସ୍ୟାଣ୍ଡ୍ ଆର୍ଟ ଫେଷ୍ଟିଭାଲ୍। ଡିସେମ୍ବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ସ୍ୟାଣ୍ଡ୍ ଆର୍ଟ ଫେଷ୍ଟିଭାଲ୍‌ରେ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ ସୁନ୍ଦର ସୁନ୍ଦର ବାଲୁକା କଳାକୃତି ପ୍ରଦର୍ଶିତ ହେବ।

ଏହାସହ ଚଳିତବର୍ଷ ଚନ୍ଦ୍ରଭାଗା ସମୁଦ୍ରକୂଳରେ ପ୍ରଥମଥର ଲାଗି ଆରମ୍ଭ ହେବ ଇକୋ ରିଟ୍ରିଟ୍‌। ପର୍ଯ୍ୟଟନ ବିଭାଗ ପକ୍ଷରୁ ଡିସେମ୍ବର ମଧ୍ୟ ଭାଗରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଇକୋ ରିଟ୍ରିଟ୍‌ର  ଆୟୋଜନ କରାଯାଉଛି।

The post ଡିସେମ୍ବର ୧ରୁ କୋଣାର୍କ ଉତ୍ସବ – ଇଣ୍ଡୋନେସିଆର ଲୋକନୃତ୍ୟରେ ଦୁଲୁକିବ ମଞ୍ଚ appeared first on OdishaLIVE.


Viewing all articles
Browse latest Browse all 11715

Trending Articles