Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11631

ଓଡ଼ିଶୀ ନୃତ୍ୟର ମହାସଂଗମ ଐକତାନ ସହିତ ସମରକଳା ନୃତ୍ୟରେ ୧୩ ତମ ଧଉଳି କଳିଙ୍ଗ ମହୋତ୍ସବ ଆରମ୍ଭ

$
0
0

ଭୁବନେଶ୍ୱର, ୦୬୦୨୨୦୧୭ (ଓଡ଼ିଶାଲାଇଭ୍‍ ବ୍ୟୁରୋ): ଐତିହାସିକ ଧଉଳି ପାଦଦେଶରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଦ୍ୱାରା ଆୟୋଜିତ ୧୩ତମ ଧଉଳି କଳିଙ୍ଗ ମହୋତ୍ସବର ଆଜି ଥିଲା ଉଦ୍‌ଘାଟନୀ ସନ୍ଧ୍ୟା । ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ଯେଉଁ ସ୍ଥାନରୁ ସମ୍ରାଟ ଅଶୋକ ଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ ସେହି ସ୍ଥାନରୁ ଆଜି ଝଙ୍କୃତ ହେଉଥିଲା ଓଡ଼ିଶୀ ନୃତ୍ୟ ସହିତ ସମରକଳା ନୃତ୍ୟର ଅପୂର୍ବ ଛନ୍ଦ ଓ ମୁର୍ଚ୍ଛନା ।

ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତି ଥିଲା ଓଡ଼ିଶୀ ନୃତ୍ୟର ମହାସଂଗମ ଐକତାନ, ଯାହା ସାତଟି ଗୁରୁ, ସାତଟି ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ସଂଖ୍ୟାର ଏକ ଦାର୍ଶନିକ ରୂପକୁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ । ସଖ୍ୟାର ଆରମ୍ଭ ଶୂନ୍ୟ ମାନେ ସୃଷ୍ଟିର ଆରମ୍ଭ ବ୍ରହ୍ମା, ଦ୍ୱିତୀୟ ମାନେ ଜୀବ ଓ ପରମ, ତୃତୀୟ ମାନେ ମହାକାଳୀ, ଉଗ୍ରତାରା ଓ ଧୂମାବତୀ, ଚତୁର୍ଥ ଅର୍ଥାତ ଚାରି ଯୁଗ, ପଞ୍ଚମ ଅର୍ଥାତ ପଞ୍ଚଇନ୍ଦ୍ରିୟ, ସପ୍ତମ ଅର୍ଥାତ ସପ୍ତରଙ୍ଗ, ଅଷ୍ଟମରେ ଶିବଙ୍କ ଅଷ୍ଟମୁଦ୍ରା, ନବମରେ ନବଗ୍ରହ ଏବଂ ଦଶମରେ ଦଶାବତାର । ଉକ୍ତ ପ୍ରସ୍ତୁତିର ନୃତ୍ୟ ସଂରଚନା କରିଥିଲେ ଗୁରୁ ଅରୁଣା ମହାନ୍ତି ଓ ଗୁରୁ ରତିକାନ୍ତ ମହାପାତ୍ର । ଏହାକୁ ପରିକଳ୍ପନା କରିଥିଲେ ଗୁରୁ ଅରୁଣା ମହାନ୍ତି ଏବଂ ରଚନା କରିଥିଲେ କେଦାର ମିଶ୍ର । ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନ ଯଥା ସୃଜନ, ଆର୍ଟଭିଜନ, ନୂପୁର, ଗୁଞ୍ଜନ ଡ଼୍ୟାନ୍ସ ଏକାଡ଼େମୀ, ସୁରଭି, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଏବଂ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ଶିଳ୍ପୀମାନଙ୍କ ଦ୍ୱାରା ଅତି ଚମତ୍କାର ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

ପ୍ରଥମ ସଂଧ୍ୟାର ଶେଷ ପରିବେଷଣ ଥିଲା ବମ୍ବେରୁ ଆସିଥିବା ବେଲରାଜ ସୋନୀ ଓ ସାଥୀଙ୍କ ଦ୍ୱାରା ସମର କଳା ନୃତ୍ୟ କଲାରିପାଇଟୁ । ଯେଉଁଥିରେ ସେମାନେ ବିଭିନ୍ନ ଶାରିରୀକ, ଅଙ୍ଗଭଙ୍ଗୀକୁ ନେଇ ସମରକଳା ନୃତ୍ୟ ପରିବେଷଣକରି ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ ।

ପ୍ରତିବର୍ଷ ପରି ଏ ବର୍ଷ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଦ୍ୱାରା ପ୍ରଦତ୍ତ ’ବୁଦ୍ଧ ସମ୍ମାନ’ ବିଶିଷ୍ଟ ଅଭିନେତା, ମଞ୍ଚକଳାକାର, ଚିତ୍ରକର ଶ୍ରୀଯୁକ୍ତ ଅସିମ ବଶୁଙ୍କୁ ଏବଂ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧିଲାଭ କରିଥିବା ପାଞ୍ଚଜଣ ଯଥା ଡ଼. ସୁନୀଲ କୋଠାରୀ, ଶ୍ରୀମତୀ ଲୀଲା ଭେଙ୍କଟରମଣ, ଶ୍ରୀଯୁକ୍ତ ଶରତ କୁମାର ସାହୁ, ଡ଼. ସିତକଣ୍ଠ ଦାସ ଏବଂ ଡ଼. ପୂର୍ଣ୍ଣ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା ।

ସନ୍ଧ୍ୟାର ଅତିଥିମାନେ ଥିଲେ ପୂର୍ବତନ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଭାପତି ଡ଼. ଲଲିତ ମାନସିଂହ ଏବଂ ସତ୍ୟାନନ୍ଦ ମିଶ୍ର, ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଆରତୀ ଆହୁଜା, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀଯୁକ୍ତ ନିତିନ ଭାନୁଦାସ ଜୱଲେ, ଆର୍ଟଭିଜନ୍‌ର ନିର୍ଦ୍ଦେଶକ ଶ୍ରୀମତୀ ଇଲିୟାନା ଚିତାରିଷ୍ଟ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଚିବ ଶ୍ରୀମତୀ ଅରୁଣା ମହାନ୍ତି । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅନୁଜା ତାରିଣୀ ମିଶ୍ର ଓ ଇଂ ଶ୍ରୀନିବାସ ଘଟୁଆରୀ ।


Viewing all articles
Browse latest Browse all 11631

Trending Articles