Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଯଥା ବାସୁଦେବସ୍ୟ ମେଘନା

$
0
0

ଓଡ଼ିଶାରେ ପ୍ରଥମ, ବାସୁଦେବଙ୍କ ହାତଧରି ଇତିହାସ ରଚିଲେ କିନ୍ନର ମେଘନା

ଭୁବନେଶ୍ଵର, ୨୭୨୦୧୭ (ଓଡ଼ିଶାଲାଇଭ୍‍ ବ୍ୟୁରୋ): ସମାଜର ସାଧାରଣ ବର୍ଗର ଜଣେ ଲୋକ ଜଣେ କିନ୍ନରଙ୍କ ହାତ ଧରିବା ଏକ ବଡ଼ ଖବର ନିଶ୍ଚୟ। ଓଡ଼ିଶାର ବାସୁଦେବଙ୍କ ସହ କିନ୍ନର ମେଘନାଙ୍କ ବିବାହ ଆଜି ନ୍ୟୁଜ୍‍ ହେଡ୍‌ଲାଇନ୍‌ ପାଲଟିଛି। ସ୍ଥାନୀୟ ଗଣମାଧ୍ୟମଠାରୁ ଆରମ୍ଭକରି ଇଲେକ୍ଟ୍ରୋନିକ୍‍ ଓ ଅନ୍‌ଲାଇନ୍‌ ମିଡିଆ ସବୁଠି ମେଘନାଙ୍କ ମେହେନ୍ଦି, ଦିଅଁ ମଙ୍ଗୁଳାଠାରୁ ହାତଗଣ୍ଠି ପର୍ଯ୍ୟନ୍ତ ଫଟୋ ଓ ରିପୋର୍ଟରେ ଭରିଯାଇଛି। ଆଜିର ଡିଜିଟାଲ୍‍ ସମୟରେ ୱେବ୍‌ ପୋର୍ଟାଲ୍‌ରେ ପ୍ରସାରିତ ଏହି ଖବର ଅନ୍ତର୍ଜାତୀୟ ମିଡିଆ ମାଧ୍ୟମରେ ପାଠକମାନଙ୍କର ଧ୍ୟାନ ଆକର୍ଷଣ କରିଛି।

ମାନ୍ୟବର ସୁପ୍ରିମ୍‌କୋର୍ଟ କିନ୍ନରମାନଙ୍କୁ ତୃତୀୟ ଲିଙ୍ଗୀର ମାନ୍ୟତା ଦେବା ପରେ କିନ୍ନରମାନଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି। ଓଡ଼ିଶାରେ ପ୍ରଥମ କରି କିନ୍ନର ମେଘନା ଜଟଣୀର ବାସୁଦେବ ନାୟକଙ୍କ ସହ ପାରମ୍ପରିକ ରୀତିନୀତି ସହ ବିବାହ ବନ୍ଧନରେ ବାନ୍ଧି ହୋ‍ଇଛନ୍ତି। ଭୁବନେଶ୍ୱରସ୍ଥିତ ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ ହିନ୍ଦୁ ରୀତିନୀତି ଅନୁସାରେ ହାତଗଣ୍ଠି ପଡ଼ିଛି।

ଜାନୁୟାରୀ ୨୬ ତାରିଖ ଅପରାହ୍‍ଣରେ ବାସୁଦେବ ଓ ମେଘନାଙ୍କର ବିବାହ ନୟାପଲ୍ଲୀସ୍ଥିତ ଦୁର୍ଗାପୂଜା ମଣ୍ଡପରେ ସମ୍ପନ୍ନ ହୋ‍ଇଯାଇଛି। ବରିଷ୍ଠ ସାମ୍ବାଦିକ ବରଦା ପ୍ରସାଦ ଶତପଥୀ ଓ ତାଙ୍କର ସ୍ତ୍ରୀ ସୁପ୍ରଭା ଶତପଥୀ କନ୍ୟାର ପିତାମାତା ହିସାବରେ କନ୍ୟାଦାନ କରିଥିଲେ। ସେହିପରି କିନ୍ନର ମୀରା ପରିଡ଼ା ବରର  ମା’ ଏବଂ ଅଶୋକ ଚମ୍ପତି ବରର ବାପା ଭୂମିକା ତୁଲାଇଥିଲେ। ବଡ଼ ଆଡ଼ମ୍ବରରେ ବାଣ ରୋଷଣୀ ସହ ବାସୁଦେବ ବରଯାତ୍ରୀ ସହ ବିବାହ ମଣ୍ଡପରେ ପହଞ୍ଚିଥିଲେ। ତାଙ୍କ ବରଯାତ୍ରୀରେ ବହୁ ସମାଜସେବୀ, ରାଜନେତା, ସାମ୍ବାଦିକ ଓ କିନ୍ନରମାନେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ମେୟର୍‍ ଅନନ୍ତ ନାରାୟଣ ଜେନା, ଅଭିନେତ୍ରୀ ବିଦୁସ୍ମିତା, କାନ୍ତା ସିଂ, ସ୍ୱେଚ୍ଛାସେବୀ ଲିଙ୍କନ୍‍ ସୁବୁଦ୍ଧି, ପ୍ରଦୀପ ପ୍ରଧାନ, ନମ୍ରତା ଚଢା ପ୍ରମୁଖ ଉପସ୍ଥିତ ଥିଲେ।

ଜଣେ ସାଧାରଣ ଲୋକକୁ ଜଣେ କିନ୍ନର ବାହାହେବା ଘଟଣା ଲୋକଙ୍କ ମନରେ ଅନେକ କୌତୂହଳ ସୃଷ୍ଟି କରିଥିଲା। ତେଣୁ ବିବାହ ସମୟରେ ବିବାହ ମଣ୍ଡପ ଓ ଆଖପାଖରେ ସାଧାରଣ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ବରଯାତ୍ରୀ ଆସିବା ସମୟରେ ଏବଂ ବିବାହ କାର୍ଯ୍ୟ ଚାଲିଥିବାବେଳେ ଶୁଭେଚ୍ଛୁମାନଙ୍କ ମୋବାଇଲ୍‌ କ୍ୟାମେରାରେ ଚାଲିଥିଲା ସେଲ୍‍ଫି ପାଇଁ ପ୍ରତିଯୋଗିତା। ସେହିପରି ଏହି ଖବରକୁ ପ୍ରିଣ୍ଟ୍‍ ଏବଂ ଇଲେକ୍ଟ୍ରୋନିକ୍‍ ମିଡିଆର ପ୍ରତିନିଧିମାନେ ବଡ଼ ଉତ୍ସୁକତାର ସହ ରେକର୍ଡ କରୁଥିଲେ।

ପାରମ୍ପରିକ ରୀତିରେ ବିବାହ ସମ୍ପନ୍ନ ହୋ‍ଇଥିବା ବେଳେ ବେଦି ଉପରେ ବରକନ୍ୟାଙ୍କର ହାତଗଣ୍ଠି, ସାତଫେରି, ସିନ୍ଦୂର ପିନ୍ଧା, ମଙ୍ଗଳସୂତ୍ର ପିନ୍ଧା ଆଦି ସମ୍ପନ୍ନ ହୋ‍ଇଥିଲା।

କିନ୍ନର ମେଘନାଙ୍କ ବାହାଘର ପାଇଁ ଦୁଇ ଦିନ ଧରି ଚାଲିଥିଲା ବିଭିନ୍ନ ସାମାଜିକ କାର୍ଯ୍ୟାନୁଷ୍ଠାନ। ୨୫ ତାରିଖ ସନ୍ଧ୍ୟାରେ ମଙ୍ଗଳକୃତ୍ୟ ଓ ମେହେନ୍ଦି ରସମ୍‌ ହୋ‌ଇଥିବା ବେଳେ ୨୬ ତାରିଖ ଦିନ ସକାଳେ ଦିଅଁ ମଙ୍ଗୁଳା ଓ ବାଡ଼ୁଅ ପାଣି ଗାଧୁଆ ହୋ‌ଇଥିଲା। ସେହିପରି ବାସୁଦେବଙ୍କ ଘରକୁ ମେଘନାଙ୍କ ପକ୍ଷରୁ ବରଧରା ପାର୍ଟି ଯାଇଥିଲେ।

ବାହାଘର ପରେ ପରେ ବାସୁଦେବ ଓ ମେଘନା ଗଣମାଧ୍ୟମ ନିକଟରେ ସେମାନଙ୍କ ଖୁସି ବ୍ୟକ୍ତ କରିଥିଲେ। ସେମାନେ କିନ୍ନର ସଂଘକୁ ମଧ୍ୟ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ।

ଓଡ଼ିଶା କିନ୍ନର ଆସୋସିଏସନ୍‌ର ସଭାପତି ମୀରା ପରିଡ଼ା କହିଛନ୍ତି ଯେ ମେଘନା ବହୁତ ଭଲ ଏବଂ କିନ୍ନରମାନେ ମଧ୍ୟ ବୈବାହିକ ଜୀବନଯାପନ କରିପାରିବେ। ଆଜିର ଦିନରେ କିନ୍ନରମାନେ କୌଣସି ଗୁଣରେ କମ୍‍ ନୁହନ୍ତି। କିନ୍ନରମାନଙ୍କର ସମାଜରେ ବଞ୍ଚିବାର ସମାନ ଅଧିକାର ରହିଛି। ସମୟ ଏବଂ ପରିସ୍ଥିତି ସହିତ ସମସ୍ତ ନିୟମ କାନୁନ୍‌ ପରିବର୍ତ୍ତିତ ହୋ‌ଇଥାଏ। ସେହିପରି ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମେଘନା ମଧ୍ୟ ବିବାହ କରିବା ପାଇଁ ହକ୍‌ଦାର। ଆଗାମୀ ଦିନରେ ଯଦି ଅନ୍ୟ କୌଣସି କିନ୍ନର ବିବାହ କରିବାକୁ ଚାହାଁନ୍ତି, ସେ ତାଙ୍କୁ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବେ।

More photographs


Viewing all articles
Browse latest Browse all 11715

Trending Articles