Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11631

ଚାରି ଓଡ଼ିଆଙ୍କୁ ପଦ୍ମଶ୍ରୀ

$
0
0

ଭୁବନେଶ୍ୱର, ୨୫୨୦୧୭ (ଓଡ଼ିଶାଲାଇଭ୍‌ ବ୍ୟୁରୋ): ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଚାରି ଜଣ ବିଶିଷ୍ଟ ଓଡ଼ିଆଙ୍କୁ ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ। ସେମାନେ ହେଲେ ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ସାଧୁ ମେହେର, ଓଡ଼ିଶୀ ନୃତ୍ୟାଙ୍ଗନା ଓ ଗୁରୁ ଅରୁଣା ମହାନ୍ତି, ରଙ୍ଗବତୀ ଗୀତର ଲୋକପ୍ରିୟ ଗାୟକ ଜିତେନ୍ଦ୍ରିୟ ହରିପାଲ୍‌ ଏବଂ ଡାକ୍ତର ମୁକୁଟ ମିଞ୍ଜ। ଚଳିତ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ଘୋଷଣା କରାଯାଇଛି।

ଚଳିତ ବର୍ଷ ଦେଶର ୮୯ ଜଣଙ୍କୁ ସମ୍ମାନଜନକ ପଦ୍ମ ସମ୍ମାନ ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରେ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୭ ଜଣଙ୍କୁ ପଦ୍ମଭୂଷଣ ଏବଂ ୭୫ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରାଯିବ। ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏହି ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରାଯିବ।

ଚଳିତବର୍ଷ ମୋଟ୍‌ ଯେଉଁମାନଙ୍କୁ ପଦ୍ମବିଭୂଷଣ ପ୍ରଦାନ କରାଯିବ, ସେମାନଙ୍କ ମଧ୍ୟରେ ଅଛନ୍ତି ଶରଦ ପାୱାର୍‌, ମୁରଲି ମନୋହର ଯୋଶୀ, ଗାୟକ ୟେସୁ ଦାସ। ସେହିପରି ଲୋକସଭାର ପୂର୍ବତନ ସଭାପତି ପିଏ ସଙ୍ଗମାଙ୍କୁ ମରଣୋତ୍ତର ଭାବେ ପଦ୍ମବିଭୂଷଣ ପ୍ରଦାନ କରାଯିବ।

ତେବେ ଚଳିତ ବର୍ଷ ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ପାଇଁ କାହାକୁ ମନୋନିତ କରାଯାଇନାହିଁ।

ଗୋଟିଏ ବର୍ଷରେ ଓଡ଼ିଶାର ୪ ଜଣଙ୍କୁ ପଦ୍ମ ସମ୍ମାନ ଆନନ୍ଦର ବିଷୟ। ବର୍ଷିଆନ୍‌ ଅଭିନେତା ସାଧୁ ମେହେର ବଲିଉଡ୍‍ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା। ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ରହିଛି ହିନ୍ଦୀରେ ’ଅଙ୍କୁର’, ’ଭୁବନ ସୋମ୍‍’, ଓଡ଼ିଆରେ ’ମନ୍ଥନ’, ’ଶୀତରାତି’ ଏବଂ ବଙ୍ଗଳାରେ ପ୍ରସ୍ତୁତ ଚଳଚ୍ଚିତ୍ର ’ଇଛାପୁରନ୍‍’ ଓ ’୨୭ଡାଉନ୍‍’। ସେ ମୋଟ୍‍  ୩୮ଟି ହିନ୍ଦୀ, ତିନୋଟି ବଙ୍ଗଳା, ୪ଟି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେହିପରି ’ଅଭିମାନ’, ’ଅପରିଚିତ’, ’ବାବୁଲା’, ’ଗୋପରେ ବଢୁଛି କଳା କହ୍ନେଇ’ ଏବଂ ’ଡିଜାୟାର’ ଆଦି ଚଳଚ୍ଚିତ୍ରରେ ସେ ନିର୍ଦ୍ଦେଶକ।

ଅରୁଣା ମହାନ୍ତି ଜଣେ ଜଣାଶୁଣା ଓଡ଼ିଶୀ ନୃତ୍ୟାଙ୍ଗନା ଓ ଓଡ଼ିଶୀ ନୃତ୍ୟଗୁରୁ। ବର୍ତ୍ତମାନ ସେ ଓଡ଼ିଶା ଡ୍ୟାନ୍ସ ଏକାଡେମି ଅନୁଷ୍ଠାନର ମୁଖ୍ୟ ଭାବେ ଓଡ଼ିଶୀ ନୃତ୍ୟକୁ ଦେଶ ବିଦେଶରେ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସେ ମଧ୍ୟ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଉପ-ସଭାପତି ଅଛନ୍ତି। ଗୁରୁ ଗଙ୍ଗାଧର ପ୍ରଧାନଙ୍କ ପଟ୍ଟଶିଷ୍ୟ ଅରୁଣା ସମସାମୟିକ ଓଡ଼ିଶୀ ନୃତ୍ୟକ୍ଷେତ୍ରର ଜଣେ ପ୍ରତିଷ୍ଠିତ ଚେହେରା। ଧ‌ଉଳି ପାଦଦେଶରେ ପ୍ରତିବର୍ଷ ହେଉଥିବା ’ଧ‌ଉଳି କଳିଙ୍ଗ ମହୋତ୍ସବ’ର ସେ ଅନ୍ୟତମ ମାର୍ଗଦର୍ଶକ।

ଜିତେନ୍ଦ୍ରିୟ ହରିପାଲ୍‍ଙ୍କୁ ଅନେକ ଲୋକ ଜିତେନ୍ଦ୍ର ହରିପାଲ୍‌ ନାମରେ ଜାଣନ୍ତି। ପଶ୍ଚିମ ଓଡ଼ିଶାର ଏହି ଲୋକପ୍ରିୟ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକଙ୍କ ପ୍ରଥମ ଓ ସବୁଠୁ ବଡ଼ ପରିଚୟ ହେଉଛି ’ରଙ୍ଗବତୀ’ ଗୀତ। ଏହି ମୂଳ ଗୀତରେ ଜିତେନ୍ଦ୍ରିୟଙ୍କ ସହ କଣ୍ଠଦାନ କରିଛନ୍ତି ତାଙ୍କ ସ୍ତ୍ରୀ କ୍ରିଷ୍ଣା। ଆରମ୍ଭରେ ସମ୍ବଲପୁର ଆକାଶବାଣୀ ପାଇଁ ପ୍ରସ୍ତୁତ ଏହି ଲୋକଗୀତଟି ଆଜି ବି ସାରା ପୃଥିବୀରେ ସଙ୍ଗୀତପ୍ରିୟ ଓଡ଼ିଆଙ୍କୁ ପାଗଳ କରୁଛି।

ରଙ୍ଗବତୀ ଗୀତ ଓ ଏହାର ଧୂନ୍‌ର ଲୋକପ୍ରିୟତା ଓଡ଼ିଶା ଭିତରେ ସୀମିତ ହୋ‌ଇରହିନାହିଁ। ତେଲୁଗୁ ଚଳଚ୍ଚିତ୍ରରେ ଏହାର ସଙ୍ଗୀତ ବ୍ୟବହାର କରାଯାଇଥିବା ବେଳେ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ’କୌନ୍‌ କିତ୍‌ନେ ପାନି ମେଁ’ରେ ଏହାକୁ ବ୍ୟବହାର କରାଯାଇଛି। ସେହିପରି ବଲିଉଡ୍‌ର ଜଣାଶୁଣା ଓଡ଼ିଆ ଗାୟିକା ସୋନା ମହାପାତ୍ରଙ୍କ କଣ୍ଠରେ ଏବଂ କୋକ୍‌ ଷ୍ଟୁଡିଓ ସଙ୍ଗୀତ ସିରିଜ୍‌ରେ ଡିଜିଟାଲ୍‌ ମିଡିଆରେ ପରିବେଷିତ ହୋ‌ଇ ଏହି ଗୀତଟି ଆଜି ପୁଣିଥରେ ନୂଆ ପିଢିକୁ ଧରିପାରିଛି।

ରଙ୍ଗବତୀ ଗୀତର ଏହି ନବ କଳେବର ସହ ଏହାର ମୂଳ ସ୍ରଷ୍ଟା ହରିପାଲ୍‌ଙ୍କୁ ପଦ୍ମଶ୍ରୀ ସମ୍ମାନ ଓଡ଼ିଆ ସଂସ୍କୃତି ପ୍ରତି ଏକ ସର୍ବଭାରତୀୟ ମାନ୍ୟତା ବୋଲି କହିଲେ ଭୁଲ୍‌ ହେବ ନାହିଁ।

ଡକ୍ଟର ମୁକୁଟ ମିଞ୍ଜଙ୍କ ନାଁ କିଛିଦିନ ତଳେ ସାରା ଭାରତରେ ଖବରକାଗଜର ହେଡ୍‌ ଲାଇନ୍‌ ହୋ‌ଇଥିଲା। ସୁନ୍ଦରଗଡ଼ରେ ଜନ୍ମିତ ଓଡ଼ିଆ ଡାକ୍ଟର ମିଞ୍ଜ ବୈଦେଶିକ ମନ୍ତ୍ରୀ ସୁଷୁମା ସ୍ୱରାଜଙ୍କ କିଡ୍‌ନି ପ୍ରତ୍ୟାରୋପଣ ଚିକିତ୍ସା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏସିଆ ମହାଦେଶରେ କିଡ୍‌ନି ପ୍ରତ୍ୟାରୋପଣ କ୍ଷେତ୍ରରେ ଏହି ଡାକ୍ତରଙ୍କ ବେଶ୍‌ ନାଁ ରହିଛି।


Viewing all articles
Browse latest Browse all 11631

Trending Articles