Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଖବର ବିଶ୍ଲେଷଣ –କରୋନା ଅପେକ୍ଷା ଅଧିକ ଭୟଙ୍କର ମହାମାରୀ କ୍ଷୁଧା

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଭୂତାଣୁ ଏବେ ସମଗ୍ର ବିଶ୍ୱକୁ କବଳିତ କରି ରଖିଛି। ଗତ ପ୍ରାୟ ଦେଢବର୍ଷ ହେଲା କରୋନା ମହାମାରୀ ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଚାଲିଛି। କିନ୍ତୁ ଏହି ମହାମାରୀଠାରୁ ଆହୁରି ଏକ ଭୟଙ୍କର ମହାମାରୀ ବିରୋଧରେ ମନୁଷ୍ୟର ଲଢେଇ ଜାରି ରହିଛି। ତାହା ହେଉଛି ‘କ୍ଷୁଧା’।

କ୍ଷୁଧା ଓ ଦୁର୍ଭିକ୍ଷରେ ଯେତିକି ଲୋକ ମୃତ୍ୟୁବରଣ କରୁଛନ୍ତି ତାହା କରୋନା ମୃତ୍ୟୁଠାରୁ ଅନେକ ଗୁଣ ଅଧିକ ବୋଲି ଅନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ସଂଗଠନ ଅକ୍ସଫାମ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି।ଅକ୍ସଫାମ ପକ୍ଷରୁ ବିଶ୍ୱରେ ଅନାହାର ମୃତ୍ୟୁକୁ ନେଇ ପ୍ରକାଶିତ ଏହି ଚିନ୍ତାଜନକ ରିପୋର୍ଟରେ କୁହାଯାଇଛି ଯେ, ଏବେ ବିଶ୍ୱରେ ପ୍ରତି ମିନିଟରେ ୧୧ ଜଣ ଲୋକ ଅନାହାରରେ ମୃତ୍ୟୁବରଣ କରୁଛନ୍ତି। ଗତବର୍ଷ ଜାନୁଆରୀ ମାସଠାରୁ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ବିଶ୍ୱରେ ପ୍ରତି ମିନିଟରେ ୭ଜଣ ଲୋକ ମୃତ୍ୟୁବରଣ କରୁଥିବାବେଳେ ଭୋକର ଦାଉ ସମ୍ଭାଳିନପାରି ଘଣ୍ଟାକୁ ପ୍ରାୟ  ୭୦୦ଲୋକ ପ୍ରାଣ ହରାଉଥିବା ବିଶ୍ୱ  ବ୍ୟବସ୍ଥାର ବିକଳ ଓ  ବାସ୍ତବ ଚିତ୍ରକୁ ପଦାରେ ପକାଇଛି।

ଅକ୍ସଫାମ ଆମେରିକାର ଅଧ୍ୟକ୍ଷ ତଥା ସିଇଓ ଆବି ମାକ୍ସମ୍ୟାନ କହିଛନ୍ତି ଏହି ସଂଖ୍ୟା ବେଶ ଚିନ୍ତାଜନକଭାବେ ବୃଦ୍ଧି ପାଉଛି। ବିଶ୍ୱର ଏବେ ପ୍ରାୟ ୧୫କୋଟି ଲୋକ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଛନ୍ତି। ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ୨କୋଟିକୁ ବୃଦ୍ଧି ପାଇଛି। ସାମରିକ ସଂଘର୍ଷ, ଜଳବାୟୁ ପରିବର୍ତ୍ତନ, କରୋନା ମହାମାରୀ ଆଦି କାରଣରୁ ବିଶ୍ୱରେ ଅନେକ ଲୋକ ଅନାହାରର ସମ୍ମୁଖୀନ ହେଉଛନ୍ତି।ଗୋଟିଏପଟେ କରୋନା ଭୂତାଣୁ ସାରା ବିଶ୍ୱକୁ କବଳିତ କରି ରଖିଛି ଓ ଦିନକୁ ଦିନ ନୂଆ ଆଶଙ୍କା ସୃଷ୍ଟି ହୋଇଛି। ସମଗ୍ର ବିଶ୍ୱ କରୋନା ସଂକ୍ରମଣରୁ ମୁକୁଳିବାକୁ ଚେଷ୍ଟା କରୁଥିବାବେଳେ କ୍ଷୁଧା ଭଳି ଏକ ମହାମାରୀ ମଧ୍ୟ ମାନବ ସଭ୍ୟତାକୁ କବଳିତ କରିସାରିଲାଣି। ଅକ୍ସଫାମ ରିପୋର୍ଟ ମୁତାବକ ଗତବର୍ଷଠାରୁ ଏପର୍ଯ୍ୟନ୍ତ ବିଶ୍ୱରେ ଅନାହାର ମୃତ୍ୟୁ ସଂଖ୍ୟା ୬ ଗୁଣ ବୃଦ୍ଧି ପାଇଛି।ମାନବ ସଭ୍ୟତାର ମୌଳିକ ଅଧିକାର ଖାଦ୍ୟ, ବସ୍ତ୍ର ଓ ବାସଗୃହ। କିନ୍ତୁ ବିଶ୍ୱ ବ୍ୟବସ୍ଥା ଏକଥାକୁ ଭୁଲି ଯାଇଛନ୍ତି। ଫଳରେ ବିଶ୍ୱର ମୋଟ ଜନସଂଖ୍ୟାର ମାତ୍ର ଅଳ୍ପକିଛି ପ୍ରତିଶତ ଲୋକଙ୍କ ପାଖରେ ପୁଞ୍ଜି ଗଚ୍ଛିତ ହୋଇଛି। ପୁଞ୍ଜିର ସୁବଣ୍ଟନ ଓ ଶ୍ରମର ମୂଲ୍ୟ ଦେବାକୁ କୁଣ୍ଠାବୋଧ କରୁଛି ବ୍ୟବସ୍ଥା। ଧନୀ ଲୋକ ବିଳାସ ବ୍ୟସନରେ ମଜ୍ଜି ରହୁଥିବାବେଳେ ଗରିବ ଲୋକମାନଙ୍କୁ ଦୁଇ ବେଳା ଖାଇବାକୁ ବି ମିଳୁନାହିଁ। ବିଶ୍ୱ କ୍ଷୁଧାର ଏହି ନଗ୍ନ ଚିତ୍ର ହେଲା ଭୋକ ଦାଉରୁ ମଣିଷକୁ ରକ୍ଷା କରୁଥିବା ଖାଦ୍ୟ ସାମଗ୍ରୀର ଅଭାବ ବି ପରିଲକ୍ଷିତ ହୋଇଛି। ଏହାର କାରଣ ସାରା ବିଶ୍ୱରେ ଶାସକ ଓ ସରକାରମାନେ ଲଗାତାର କୃଷି ଓ କୃଷକ ଶ୍ରେଣୀକୁ ଅବହେଳା କରିଆସିଛନ୍ତି। ଏଥିସହ ଅନେକ କ୍ଷେତ୍ରରେ ଶ୍ରମ ଓ ଶ୍ରମିକର ଲୁଣ୍ଠନ ସହ ମଣିଷର ଶ୍ରମକୁ ଅଗ୍ରାଧିକାର ନଦେଇ ମେସିନ ମାଧ୍ୟମରେ କାମ କରାଇ ଅଧିକ ଲାଭବାନ ହେବାକୁ ଚାହୁଁଛି ବିଶ୍ୱର  ପୁଞ୍ଜିପତି ସମାଜ।

ଅକ୍ସଫାମ ରିପୋର୍ଟ ଅନୁସାରେ ଏଭଳି ପରିସ୍ଥିତିରେ ଶ୍ରମ, ଶ୍ରମିକ ଓ କୃଷି, କୃଷକ ଉପରେ ଯଦି ବ୍ୟବସ୍ଥାର ମନୋଭାବ ନ ବଦଳେ ତେବେ କରୋନା ମହାମାରୀ ନୁହେଁ  ଭୋକର ମହାମାରୀ ହିଁ ମାନବ ସଭ୍ୟତାକୁ ଧ୍ୱଂସ କରିବ।

The post ଖବର ବିଶ୍ଲେଷଣ – କରୋନା ଅପେକ୍ଷା ଅଧିକ ଭୟଙ୍କର ମହାମାରୀ କ୍ଷୁଧା appeared first on OdishaLIVE.


Viewing all articles
Browse latest Browse all 11715

Trending Articles