Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ତେଲ ଦର ବୃଦ୍ଧି ଓ ବର୍ଷା ଯୋଗୁଁ ରାଜଧାନୀରେ ପନିପରିବା ଦାମ ଅକାଶଛୁଆଁ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଲଗାତାର ତେଲ ଦର ବୃଦ୍ଧି ଓ ବର୍ଷା କାରଣରୁ ରାଜଧାନୀ ଭୁବନେଶ୍ଵରରେ ପରିବା ଦର ଏବେ ଅକାଶଛୁଆଁ ହୋଇଛି। ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିବା ହେତୁ ରାଜଧାନୀକୁ ପରିବା ଟ୍ରକ ଆସୁନାହିଁ। ତେଣେ ଦୈନନ୍ଦିନ ପେଟ୍ରୋଲ, ଡିଜେଲ ଦାମ ବୃଦ୍ଧି ପାଇବା କାରଣରୁ ଚାଷୀମାନେ ଅଧିକ କ୍ଷତି ସହିବା ପାଇଁ ପ୍ରସ୍ତୁତ ନୁହଁନ୍ତି।

ସ୍ଥିତି ଏଭଳି ହୋଇଛି ଯେ ପନିପରିବାରେ ହାତ ମାରି ହେଉନାହିଁ। ମଙ୍ଗଳବାର ଦିନ ଭୁବନେଶ୍ୱରରେ ସଜନା ଛୁଇଁ କିଲୋ ପ୍ରତି ୧୬୦ ଟଙ୍କା ହୋଇଥିବା ବେଳେ ବିନ ଛୁଇଁ ୧୩୦ ଟଙ୍କା ଓ କ୍ୟାପ୍‌ସିକମ୍ ଶହେ ଟଙ୍କାରେ ବିକ୍ରି ହେଉଥିଲା।ପରିବା ଅପେକ୍ଷା ମାଛ ମାଂସ ଶସ୍ତା ଭଳି ଲାଗୁଛି ବୋଲି କହିଛନ୍ତି ଜଣେ ଗ୍ରାହକ ଭାରତୀ ପରିଡ଼ା। ପରିବା କିଣିବା ପାଇଁ ଥରେ ବଜାରକୁ ଗଲେ ୫୦୦ ଟଙ୍କା ବି ନିଅଣ୍ଟ ବୋଲି ସେ କହିଛନ୍ତି।

ଗତ ସପ୍ତାହରେ ଟମାଟୋ କେଜି ପିଛା ୨୦ ଟଙ୍କା ବିକ୍ରି ହେଉଥିବା ବେଳେ ଏବେ ଏହା ୩୦ଟଙ୍କା ହେଉଛି। ପୋଟଳ, ଭେଣ୍ଡି, କଲରା ଦାମ ମଧ୍ୟ ସେହି ଅନୁପାତରେ ବଢ଼ିଛି। ସେହିପରି ବଜାରରେ ଏବେ ଆଳୁ କେଜି ପିଛା ୨୦ ଟଙ୍କା ହୋଇଥିବା ବେଳେ ପିଆଜ ୩୦ ଟଙ୍କା ଛୁଇଁଛି।ରାଜଧାନୀର ପରିବା ବ୍ୟବସାୟୀଙ୍କ କହିବା କଥା ଯେ ତେଲ ଦର ବୃଦ୍ଧି ସହିତ ବର୍ଷା ଲାଗିରହିଥିବା ଯୋଗୁଁ ଦୈନିକ ଯେତିକି ପରିବା ଆସିବା କଥା ତାହା ଆସିପାରୁନାହିଁ। ଆହୁରି ମଧ୍ୟ, ନିକଟରେ ହୋଇଥିବା ୟାସ୍ ବାତ୍ୟା ଯୋଗୁଁ ପରିବା ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଯଥେଷ୍ଟ ପରିମାଣରେ ପରିବା ଆସି ପାରୁନଥିବାରୁ ସ୍ୱାଭାବିକ ଭାବରେ ଦାମ ବଢୁଛି ବୋଲି କହିଛନ୍ତି ୟୁନିଟ-୧ ହାଟର ପରିବା ବ୍ୟବସାୟୀ ଶରତ ସାହୁ।ସେହିପରି ଚାରି ନମ୍ବର ମାର୍କେଟର ଜଣେ ବ୍ୟବସାୟୀ ରାମକୃଷ୍ଣ ସାବତ କହିଛନ୍ତି ଯେ, ୟାସ୍ ବାତ୍ୟା ଯୋଗୁଁ ପରିବା ଉତ୍ପାଦନ ମାଡ଼ ଖାଇଥିବା ବେଳେ ଡିଜେଲ ଦାମ ବୃଦ୍ଧି କାରଣରୁ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ତେଲେଙ୍ଗାନାରୁ ପରିବା ଟ୍ରକ ଆସୁନାହିଁ। ତେଣୁ ପରିବା ଦର ବଢୁଛି।

The post ତେଲ ଦର ବୃଦ୍ଧି ଓ ବର୍ଷା ଯୋଗୁଁ ରାଜଧାନୀରେ ପନିପରିବା ଦାମ ଅକାଶଛୁଆଁ appeared first on OdishaLIVE.


Viewing all articles
Browse latest Browse all 11715

Trending Articles