ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାର ଦାଶରଥୀ ଦେହୁରୀ। ଏକ ହତ୍ୟା ଘଟଣାରେ ୧୬ ବର୍ଷ କାରଦଣ୍ଡ କାଟି ଜେଲରୁ ମୁକୁଳିଛନ୍ତି। ହେଲେ କାରାଦଣ୍ଡ ଭିତରେ ତାଙ୍କ ପରିବାରର ସମସ୍ତ ସଦସ୍ୟ ଆରପାରିକୁ ଚାଲିଯାଇଛନ୍ତି। ଏପରିକି ରହିବା ପାଇଁ ମଧ୍ୟ ତାଙ୍କ ପାଖରେ ଘରଟିଏ ନାହିଁ। ତେଣୁ ସେ ଏବେ କୁଆଡ଼େ ଯିବେ, ଆଉ କାହା ଭରଷାରେ ବାକି ଜୀବନ କାଟିବେ ତାକୁ ନେଇ ଚିନ୍ତିତ ଥିବା ବେଳେ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ବାରିପଦାର ରିଜିଓନାଲ୍ ପ୍ରୋବେସନ ଅଫିସର ବା ଆଞ୍ଚଳିକ ପରିବୀକ୍ଷଣ ଅଧିକାରୀମାନେ। ଦାଶରଥୀଙ୍କୁ ପ୍ରୋବେସନ ହୋମରେ ଆଶ୍ରୟ ଦେଇ ଆତ୍ମନିର୍ଭରଶୀଳ କରାଇବାକୁ ତାଙ୍କୁ ବିଭିନ୍ନ କାମ ଯୋଗାଇ ଦେବାକୁ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି।
ଏହିପରି ଭାବେ ଦାଶରଥୀ ପୁଣିଥରେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସମାଜର ଜଣେ ଭଲ ନାଗରିକଭାବେ କାଟିପାରିବେ ବୋଲି ପରିବୀକ୍ଷଣ ଅଧିକାରୀ ବାସନ୍ତିଲତା ସିଂ କହିଛନ୍ତି।
ଦାଶରଥୀ ଦେହୁରୀ ୨୦୦୫ ମସିହାରେ ନିଜର ଜଣେ ସଂପର୍କୀୟ ଭାଉଜଙ୍କୁ ମଦ୍ୟପ ଭାଇର ଆକ୍ରମଣରୁ ରକ୍ଷା କରିବାକୁ ଭାଇ ସହ ମାରପିଟ୍ କରିଥିଲେ। ଏହି ଘଟଣାରେ ତାଙ୍କ ଭାଇଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ କରଞ୍ଜିଆ ପୋଲିସ ଦାଶରଥୀଙ୍କୁ ଗିରଫ କରିଥିଲା।ପରେ ୨୦୦୭ରେ ଏହି ମାମଲାର ବିଚାର କରି ଅଦାଲତ ଦାଶରଥୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହାପରେ ସେ ବାରିପଦାର ମଣ୍ଡଳ କାରାଗାରରେ ସଜା କାଟୁଥିଲେ। ଦୀର୍ଘ ୧୬ ବର୍ଷ ଧରି ଜଣେ ଶୃଙ୍ଖଳିତ କଏଦୀ ଭାବରେ ଦାଶରଥୀ ଜେଲରେ ଦିନ କାଟିଥିଲେ। ତେଣୁ ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାର ତାଙ୍କୁ ଆଜୀବନ କାରାଦଣ୍ଡରୁ ମୁକ୍ତ କରିଛନ୍ତି।
ଦାଶରଥୀ କାରାଗାରରୁ ସିନା ମୁକ୍ତ ହେଲେ, କିନ୍ତୁ ଏବେ ସେ ଯିବେ କୁଆଡେ? ତାଙ୍କ ପରିବାରରେ ଆଉ କେହି ନାହାନ୍ତି। ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ବି ନାହିଁ। ଯେଉଁ ଭଉଣୀମାନେ ଅଛନ୍ତି ସେମାନେ ବାହାହୋଇ ନିଜ ନିଜର ଶାଶୁଘରେ। ତେଣୁ ଜେଲରୁ ବାହାରିବା ପରେ ବାରିପଦା ପରିବୀକ୍ଷଣ ଅଧିକାରୀମାନେ ଦାଶରଥୀଙ୍କୁ ସହାୟ ହୋଇଛନ୍ତି। ତାଙ୍କୁ ରୋଜଗାର ପନ୍ଥା ଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସମ୍ପର୍କୀୟମାନଙ୍କ ପାଖରେ ଛାଡ଼ିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବାରିପଦାର ଆଞ୍ଚଳିକ ପରିବୀକ୍ଷଣ ଅଧିକାରୀ ବାସନ୍ତିଲତା ସିଂ।କେନ୍ଦ୍ର ସରକାରଙ୍କ କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ୍ ମନ୍ତ୍ରାଳୟ ଅଧୀନରେ ଦେଶର ସମସ୍ତ ଜିଲ୍ଲାରେ ପରିବୀକ୍ଷଣ ବା ପ୍ରୋବେସନ ଅଧିକାରୀମାନେ ନିଯୁକ୍ତ ହୋଇଥାନ୍ତି। ଜେଲରୁ କାରାଦଣ୍ଡ ଶେଷ କରି ଫେରୁଥିବା ବ୍ୟକ୍ତିମାନଙ୍କୁ ଏହି ଅଧିକାରୀମାନେ କାଉନସେଲିଂ କରି ସେମାନଙ୍କୁ ବିଭିନ୍ନ ରୋଜଗାରର ପନ୍ଥା ଯୋଗାଇଥାନ୍ତି। ସଧାରଣତଃ ଯେଉଁ କାରାମୁକ୍ତ ବ୍ୟକ୍ତିମାନଙ୍କର ପରିବାର କିମ୍ଵା ଘରଦ୍ଵାର ନଥାଏ, ସେମାନେ ପ୍ରୋବେସନ ହୋମ୍ରେ ରହି ଆତ୍ମନିର୍ଭରଶୀଳ ହୋଇଥାନ୍ତି।
The post ମୟୂରଭଞ୍ଜ – ଜେଲଫେରନ୍ତାଙ୍କୁ ଆପଣେଇଲା ପରିବୀକ୍ଷଣ ହୋମ୍, ସମାଜର ମୁଖ୍ୟ ସ୍ରୋତରେ ପୁଣି ସାମିଲ ହେବେ ଦାଶରଥୀ ଦେହୁରୀ appeared first on OdishaLIVE.