Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଶ୍ରଦ୍ଧାଞ୍ଜଳି –ରାଧାମୋହନ (୧୯୪୩ – ୨୦୨୧)

$
0
0

ଭାସ୍କର ପରିଛା

ଜଣେ ଗାନ୍ଧୀବାଦୀ, ସମାଜସେବୀ, ପରିବେଶବିତ୍ ଓ ଜୈବିକ କୃଷି ପ୍ରବର୍ତ୍ତନ କର୍ମୀ ଥିଲେ ରାଧାମୋହନ। ୧୯୪୩ ମସିହା ଜାନୁଆରୀ ୩୦ ତାରିଖରେ ନୟାଗଡ଼ ଜିଲ୍ଲାର ରଙ୍ଗଣିପାଟଣାରେ ସେ ଜନ୍ମଗ୍ରହଣ କରିଥିଲେ। ସେ ଓଡ଼ଗାଁରେ ସ୍କୁଲ ଶିକ୍ଷା ଓ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଅର୍ଥନୀତି ସମ୍ମାନ ସହ ସ୍ନାତକ ଶିକ୍ଷା ଲାଭ କରିଥିଲେ। ୧୯୬୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ପ୍ରୟୋଗାତ୍ମକ ଅର୍ଥନୀତିରେ ସ୍ନାତକତ୍ତୋର ଶିକ୍ଷା ଲାଭ କରିଥିଲେ।

ଜୈବିକ କୃଷି ପଦ୍ଧତିର ପ୍ରସାର ପାଇଁ ରାଧାମୋହନ ୧୯୯୦ ମସିହାରେ ସମ୍ଭବ ନାମକ ଏକ ଏନଜିଓ ପ୍ରତିଷ୍ଠା କରିଥିଲେ। ଲକ୍ଷ୍ୟ ଥିଲା ପଡ଼ିଆ ଜମିକୁ ଜୈବିକ କୃଷି ମାଧ୍ୟମରେ ଉର୍ବର କରି ଚାଷ କରିବା। ଏଥିପାଇଁ ସେ ଏବଂ ତାଙ୍କ ଝିଅ ବିଶ୍ୱଭାରତୀ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଅଞ୍ଚଳରେ ଏକ ଜମି ବାଛିଥିଲେ। କୀଟନାଶକ ଓ ରାସାୟନିକ ସାର ପ୍ରୟୋଗ ବିନା କେବଳ ଜୈବିକ ସାର ପ୍ରୟୋଗ କରି ଏହି ଜମିକୁ ସେମାନେ ଚାଷ ଅନୁକୂଳ କରି ପାରିଥିଲେ। ଏକଦା ଚାଷ ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ୩୬ ହେକ୍ଟର ପରିମିତ ସେ ଜମିରେ ଦୁର୍ଲଭ କିସମର କ୍ଲୋଭ ବିନ, ଜ୍ୟାକ ବିନ, ସୋର୍ଡ ବିନ, କଳା ଚାଉଳ ଏବଂ ଅନ୍ୟାନ୍ୟ ପନିପରିବା ଚାଷ କରିବା ସମ୍ଭବପର ହୋଇଥିଲା।ଓଡ଼ଗାଁରେ ସେମାନଙ୍କ ଦ୍ୱାରା ବିକଶିତ ଜଙ୍ଗଲରେ ୧୦୦୦ଟି ବିଭିନ୍ନ କିସମର ବୃକ୍ଷ ଓ ୫୦୦ କିସମର ଧାନ ଓ ୭୦୦ କିସମର ବିହନ ଉତ୍ପାଦନ କରାଯାଏ। ସବୁ ଜଳବାୟୁରେ ବଞ୍ଚିପାରୁଥିବା ବିଭିନ୍ନ ବିହନର ସଂଗ୍ରହ ଓ ସଂରକ୍ଷଣ ‘ସମ୍ଭବ’ ଦ୍ୱାରା କରାଯାଇଥାଏ। “ଆଡପ୍ଟ ଏ ସିଡ” କାର‌୍ୟ୍ୟକ୍ରମ ମାଧ୍ୟମରେ ଚାଷୀମାନଙ୍କୁ ତାଙ୍କ ଅଞ୍ଚଳରେ ଉଧେଇ ପାରୁଥିବା ଉନ୍ନତ ବିହନ ମାଗଣାରେ ଯୋଗେଇ ଦିଆଯାଇଥାଏ ଓ ସେହି ବିହନର ପୃଷ୍ଠପୋଷକ ହେବାକୁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯାଏ। ଏହାଦ୍ୱାରା ଚାଷୀମାନେ ସେହି ବିହନର ଉପଯୋଗ, ସଂରକ୍ଷଣ ଓ ବ୍ୟାପକ ପ୍ରଚାର ଦିଗରେ ସାହାଯ୍ୟ କରି ଆସିଛନ୍ତି।

ବୃତ୍ତିରେ ରାଧାମୋହନ ଜଣେ ଅଧ୍ୟାପକ ଥିଲେ ଓ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ଶିକ୍ଷାଦାନ କରି ୨୦୨୧ ମସିହାରେ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଥିଲେ । ଏହା ବ୍ୟତୀତ ସେ ରାଜ୍ୟ ସରକାରଙ୍କ ଅଧୀନରେ ବିଜ୍ଞାନ, ସୂଚନା ଓ ପରିବେଶ, ଶିକ୍ଷା ଓ ଯୁବ ସେବ ଏବଂ ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଥିଲେ।ସେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ, ରାଜ୍ୟ ଜଳଛାୟା ମିଶନର ଉପଦେଷ୍ଟା କମିଟି ସଦସ୍ୟ, ରାଜ୍ୟ ଶିକ୍ଷା ଟାସ୍କଫୋର୍ସର ସଦସ୍ୟ, ରାଜ୍ୟ ବନ୍ୟପ୍ରାଣୀ ପରାମର୍ଶଦାତା କମିଟିର ସଦସ୍ୟ, ଏନ୍ଏସ୍ଏସ୍ ପରାମର୍ଶଦାତା, ଯୁଗ୍ମ ଜଙ୍ଗଲ ପରିଚାଳନା ଷ୍ଟିୟରିଂ କମିଟିର ସଦସ୍ୟ, କେନ୍ଦ୍ର ସରକାରଙ୍କ ଏନ୍ଏସ୍ଏସ୍ ପରିବେଶ କମିଟିର ସଦସ୍ୟ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ସଦସ୍ୟ, ରାଜ୍ୟ ପ୍ରୌଢ଼ଶିକ୍ଷା ସାଧନ କେନ୍ଦ୍ର ଗଭର୍ଣିଂ ବଡ଼ିର ସଦସ୍ୟ, ରାଜ୍ୟ ସାଧନ କେନ୍ଦ୍ରର ଉପଦେଷ୍ଟା, ହାଇଦ୍ରାବାଦ ସ୍ଥିତ ସେଣ୍ଟର ଫର ୱର୍ଲ୍ଡ ସଲିଡାରିଟିର ଉପଦେଷ୍ଟା, ଗୌହାଟୀ ସ୍ଥିତ ରାଷ୍ଟ୍ରୀୟ ଗ୍ରାମୀଣ ବିକାଶ ନିଧିର ଉପଦେଷ୍ଟା ଓ ଆକାଶବାଣୀର କାର୍ଯ୍ୟକ୍ରମ ପରାମର୍ଶଦାତା କମିଟିର ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

ପରିବେଶ ସୁରକ୍ଷା ଓ ସଂରକ୍ଷଣ ଦିଗରେ କାର୍ଯ୍ୟ କରିଥିବାରୁ ୨୦୨୦ ମସିହାରେ ତାଙ୍କୁ ଓ ତାଙ୍କ କନ୍ୟା ସାବରମତୀଙ୍କୁ ଯୁଗ୍ମଭାବରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ତାଙ୍କୁ ୟୁଏନଡିପି ପକ୍ଷରୁ ଗ୍ଲୋବାଲ ରୋଲ୍ ଅଫ୍ ଅନର୍ ସମ୍ମାନ ପ୍ରଦାନ କରାଯାଇଥିଲା।ସେ ଓଡ଼ିଶାର ସୂଚନା କମିସନର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

The post ଶ୍ରଦ୍ଧାଞ୍ଜଳି – ରାଧାମୋହନ (୧୯୪୩ – ୨୦୨୧) appeared first on OdishaLIVE.


Viewing all articles
Browse latest Browse all 11715