Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଆଜିଠୁ ଆରମ୍ଭ ହେଲା ରଥ ନିର୍ମାଣ –ବିନା ଭକ୍ତରେ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କଲେ ମହାପ୍ରଭୁ ଶ୍ରୀଜଗନ୍ନାଥ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ଆଜିଠାରୁ ରଥ ନିର୍ମାଣ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ସମ୍ମୁଖରେ ଶନିବାର ରଥକାଠ ଅନୁକୂଳ କରାଯାଇଛି। ରଥଖଳାରେ ଆଜ୍ଞାମାଳ ପହଞ୍ଚିବାପରେ ରଥ ନିର୍ମାଣ ଆରମ୍ଭ କରାଯାଇଛି। ଅନ୍ୟପଟେ କୋଭିଡ କଟକଣା ମଧ୍ୟରେ ମହାପ୍ରଭୁଙ୍କ ୨୧ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା  ଆରମ୍ଭ ହୋଇଛି। ବିନା ଭକ୍ତରେ, କେବଳ କମ୍ ସଂଖ୍ୟକ ସେବାୟତମାନଙ୍କୁ ନେଇ ମହାପ୍ରଭୁଙ୍କ ନୀତିକାନ୍ତି ପାଳିତ ହୋଇଛି।

ଶ୍ରୀମନ୍ଦିରରେ ଭୋଗମଣ୍ଡପ ସରିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ କରିଥିଲା। ରଥନିର୍ମାଣ ନିମନ୍ତେ ଦୁଇଜଣ ଦେଉଳ ପୁରୋହିତ ଓ ୧୧ଜଣ ଶୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ବନଯାଗ ପଦ୍ଧତିରେ ହୋମ କରାଯାଇଥିଲା। ତିନି ରଥର ମୁଖ୍ୟ ବିଶ୍ୱକର୍ମାଙ୍କୁ ଆଜ୍ଞାମାଳ ପ୍ରଦାନ କରିବା ପରେ ବିଶ୍ୱକର୍ମା ମହାରଣା ସୁନା କୁରାଢ଼ୀ ସ୍ପର୍ଶ କରି ରଥନିର୍ମାଣ ଅନୁକୂଳ କରିଥିଲେ। ଆଜ୍ଞାମାଳ ପାଇବା ପରେ ବିନା ଭକ୍ତରେ ମଣିବିମାନ ଓ ପାଲିଙ୍କିରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ବିଜେ କରିଥିଲେ।କରୋନା ମହାମାରୀ ସମୟରେ ଗହଳି ନିୟନ୍ତ୍ରଣ କରିବା ପାଇଁ ଶ୍ରୀମନ୍ଦିର, ନରେନ୍ଦ୍ର ପୁଷ୍କରିଣୀ ଓ ବଡ଼ଦାଣ୍ଡରେ ୧୪୪ଧାରା ଜାରି କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଛତିଶା ନିଯୋଗ ମହାନାୟକଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏଥିରେ ନିୟୋଜିତ ଥିବା ସମସ୍ତ ସେବାୟତ, ପୋଲିସ କର୍ମଚାରୀଙ୍କର ପୂର୍ବରୁ କୋଭିଡ୍ ଟେଷ୍ଟ କରାଯାଇଥିଲା। ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍ ଆସିଛି, ସେମାନଙ୍କୁ ମହାପ୍ରଭୁଙ୍କ ନୀତିକାନ୍ତିରେ ସାମିଲ ହେବାକୁ ଅନୁମତି ମିଳିଛି।ରଥନିର୍ମାଣ ସମୟରେ ନିୟୋଜିତ ସେବାୟତଙ୍କ ଶାଢ଼ୀ ତିନୋଟି ଧଉଡ଼ିଆ କାଠରେ ବନ୍ଧା ଯାଇଥିଲା। ଭୋଇ ସେବକମାନେ ମହାପ୍ରସାଦ ଓ ନଡ଼ିଆ ଥୋଇ ଶାବଳ ପୂଜା କରିଥିଲେ। ରଥନିର୍ମାଣ ଅନୁକୂଳ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିଥିଲେ। ସେଠାରେ ନନ୍ଦା ଓ ଭଦ୍ରା ଚାପରେ ବିଜେ କରି ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ଵରେ ଜଳକ୍ରୀଡ଼ା କରିଥିଲେ।

ପୂର୍ବବର୍ଷ ଲକ୍‌ଡାଉନ୍ କାରଣରୁ ରଥଖଳାରେ ରଥକାଠ ଅନୁକୂଳ ହୋଇନଥିଲା ଏବଂ ବାହାର ଚନ୍ଦନ ଯାତ୍ରା ମଧ୍ୟ ଶ୍ରୀମନ୍ଦିର ଭିତରେ ହୋଇଥିଲା । ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ ରଥକାଠ ଶ୍ରୀମନ୍ଦିର ଭିତରେ ଅନୁକୂଳ କରାଯାଇଥିଲା । ଚଳିତବର୍ଷ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । କରୋନା ସଂକ୍ରମଣ ବଢ଼ିବା କାରଣରୁ ରାଜ୍ୟରେ ଲକ୍‌ଡାଉନ୍ ବଳବତ୍ତର ରହିଛି । ତେଣୁ ଶନିବାର ବିନା ଭକ୍ତରେ ଓ କୋଭିଡ୍ କଟକଣାକୁ ମାନି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସିଦ୍ଧ ଚନ୍ଦ୍ରନ ଯାତ୍ରା ପର୍ବ ଆରମ୍ଭ ହୋଇଛି । ରଥ ନିର୍ମାଣରେ ନିୟୋଜିତ ଥିବା ସେବାୟତ, ରବିବାର ଠାରୁ ସଙ୍ଗରୋଧରେ ରହିବୋ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

The post ଆଜିଠୁ ଆରମ୍ଭ ହେଲା ରଥ ନିର୍ମାଣ – ବିନା ଭକ୍ତରେ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କଲେ ମହାପ୍ରଭୁ ଶ୍ରୀଜଗନ୍ନାଥ appeared first on OdishaLIVE.


Viewing all articles
Browse latest Browse all 11715