Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

‘ଗ୍ଲୋବାଲ ଟେଣ୍ଡର’ ମାଧ୍ୟମରେ ଦେଶର ପ୍ରମୁଖ କମ୍ପାନିରୁ କରୋନା ଟିକା କିଣିବ ଓଡ଼ିଶା

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋଭିଡ୍ ପରିସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହ ଅନ୍ୟାନ୍ୟ ୧୦ଟି ପ୍ରସ୍ତାବ ଜଳସମ୍ପଦ, ଶିଳ୍ପ, ବାଣିଜ୍ୟ, ପରିବହନ, ସାଧାରଣ ପ୍ରଶାସନ, ଜନ ଶୁଣାଣି ଏବଂ ଗୃହ ବିଭାଗକୁ ମଧ୍ୟ ମଞ୍ଜୁରି ମିଳିଛି। କରୋନା ସଂକ୍ରମଣରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ନିମନ୍ତେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ତେଣୁ ଓଡ଼ିଶାବାସୀ ଯେପରି ସୁବିଧାରେ ଟିକା ପାଇପାରିବେ ସେଥିପାଇଁ ବିଶ୍ୱର ପ୍ରମୁଖ ଟିକା କମ୍ପାନିରୁ ଟିକା ସଂଗ୍ରହ ନିମନ୍ତେ ଏକ ‘ଗ୍ଲୋବାଲ ଟେଣ୍ଡର’ ଜାରି କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି।

ଓଡ଼ିଶା ନର୍ସିଂ କଲେଜ ଶିକ୍ଷା ସେବାରେ ନିଯୁକ୍ତି ପାଇଁ କରାଯାଇଥିବା ନିୟମ ଉପରେ କ୍ୟାବିନେଟର ମୋହର ବାଜିଛି। ପଛୁଆ ଅଞ୍ଚଳରେ ବିଜୁ କୃଷକ ବିକାଶ ଯୋଜନା ଓ ଡିପ୍ ବୋରୱେଲ ଯୋଜନାରେ ନଳକୂପ ଖନନ ଓ ସୋଲାର ପମ୍ପ ଜରିଆରେ ପାଣି ଯୋଗାଇ ଦେବା ସମ୍ପର୍କିତ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ମିଳିଛି। ଏଥିସହ କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ହକି ଷ୍ଟାଡିୟମର ଭିତ୍ତିଭୂମିର ବିକାଶ ପାଇଁ ଏକ ଟେଣ୍ଡରକୁ କ୍ୟାବିନେଟ୍‌ର ମଞ୍ଜୁରି ମିଳିଛି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ନାଁକୁ ପରିବର୍ତ୍ତନ କରାଯାଇ ‘ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ’ ବିଭାଗ ରଖାଯିବ, ରାଜ୍ୟ ନାଗରିକ ସେବା ଏବଂ ପଦବୀରେ ନିଯୁକ୍ତି ନିୟମର ସଂଶୋଧନ, ୨୦୧୭-୧୮ ବର୍ଷ ପାଇଁ ଓଡିଶା ଜନସେବା ଆୟୋଗର କାର‌୍ୟ୍ୟକଳାପ ଉପରେ ବାର୍ଷିକ ରିପୋର୍ଟ ପ୍ରସ୍ତାବ ଉପରେ ବାଜିଛି କ୍ୟାବିନେଟର ମୋହର।

ଅନ୍ୟପକ୍ଷରେ ମହାମାରୀ ବିରୋଦ୍ଧରେ ଚାଲିଥିବା ଲଢ଼େଇରେ କୋଭିଡ଼ ଯୋଦ୍ଧାମାନଙ୍କ ନିଷ୍ଠା ଓ ତ୍ୟାଗ ମନୋଭାବକୁ ରାଜ୍ୟ କ୍ୟାବିନେଟ ପ୍ରଶଂସା କରିଛି। ଏଥିସହ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଟେଷ୍ଟିଂ, ଟ୍ରେସିଂ, ଟିକାକରଣ, ଲକ୍‌ଡାଉନ୍‌କୁ ଓଡ଼ିଶାବାସୀ ଯେଭଳି ସହଯୋଗ କରୁଛନ୍ତି, ସେଥିପାଇଁ ରାଜ୍ୟବାସୀଙ୍କୁ ମଧ୍ୟ ପ୍ରଶଂସା କରିଛି କ୍ୟାବିନେଟ୍।

“ରୋଗର ଜଟିଳତା ହ୍ରାସ କରି ରୋଗୀର ଜୀବନ ରକ୍ଷା ଦିଗରେ ଟିକାକରଣ ଅନେକ ଫଳପ୍ରଦ ହେଉଛି। କୋଭିଡ଼ ଯୁଦ୍ଧରେ ନିୟୋଜିତ ଆଗ ଧାଡ଼ି କର୍ମଚାରୀ ତଥା ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀ ମାନଙ୍କୁ ଟିକାକରଣ କରାଯାଇଛି । ଟୀକା ନେଇଥିବା ବ୍ୟକ୍ତିମାନେ ଖୁବ୍ କମ୍ ସଂକ୍ରମିତ ହେଉଛନ୍ତି। ଯଦିବା ସଂକ୍ରମଣ ହେଉଛି, ତାହା ବହୁତ କମ୍ ଲକ୍ଷଣ ଯୁକ୍ତ ହେଉଥିବା ଦେଖାଯାଉଛି”, କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।

ସେ ଆଉ ମଧ୍ୟ କହିଛନ୍ତି, “ଟିକା ଉପରୁ ସମସ୍ତ ପ୍ରକାର ଟିକସ ଉଠାଇ ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି। ସମସ୍ତେ କରୋନା ନିୟମକୁ ସଠିକ୍ ଭାବରେ ପାଳନ କରନ୍ତୁ। ମୁହଁରେ ମାସ୍କ ପିନ୍ଧନ୍ତୁ, ବାରମ୍ବାର ସାବୁନରେ ହାତ ଧୁଅନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ, ଆବଶ୍ୟକ ନଥିଲେ ବାହାରକୁ ଯାଆନ୍ତୁ ନାହିଁ”।

The post ‘ଗ୍ଲୋବାଲ ଟେଣ୍ଡର’ ମାଧ୍ୟମରେ ଦେଶର ପ୍ରମୁଖ କମ୍ପାନିରୁ କରୋନା ଟିକା କିଣିବ ଓଡ଼ିଶା appeared first on OdishaLIVE.


Viewing all articles
Browse latest Browse all 11715

Trending Articles