Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ମମତା ଏବେ ବିରୋଧୀ ଦଳର ମାସ୍କଟ

$
0
0

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ବିପୁଳ ବିଜୟ ପରେ ଗୋଟିଏ କଥା ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ, ମମତା ବାନାର୍ଜୀ ହିଁ ଏବେ ବିରୋଧୀ ଦଳର ମୁଖ୍ୟ ଚେହେରା ହେବା ପାଇଁ ଯାଉଛନ୍ତି। ୨୦୦ରୁ ଅଧିକ ଆସନରେ ଜିତିବା ସହିତ ଲଗାତାର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାପରେ ମମତାଙ୍କୁ ଏବେ ଆଉ କେହି ଟକ୍କର ଦେଇ ପାରିବେ ନାହିଁ।

ବଡ଼ ଚେହେରା

ମମତାଙ୍କ ବିଜୟ ଆଗାମୀ ଦିନରେ ଜାତୀୟ ରାଜନୀତି ଓ ବିଶେଷ କରି ବିଜେପି ବିରୋଧୀ ସ୍ୱରକୁ ସୁଦୃଡ଼ କରିବ ଏହା ନିଶ୍ଚିତ। ଆଗରୁ ଓ ଏବେ ବିରୋଧୀ ଦଳର ସବୁଠାରୁ ବଡ଼ ଚେହେରା ହୋଇଥିବା ମମତା ବାନାର୍ଜୀ ଉଭୟ ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କ ପାଇଁ ମଧ୍ୟ ମୁଣ୍ଡବଥାର କାରଣ ହେବେ ଏହା ସ୍ପଷ୍ଟ ଦେଖାଯାଉଛି।

ରାହୁଲ ବାବା

ବିପକ୍ଷ ଦଳର ମୁଖ୍ୟ ଲୋକଙ୍କୁ ଯଦି ଆପଣ ଖୋଜିବେ ରାହୁଲ ଗାନ୍ଧୀଙ୍କ କଥା ନିଶ୍ଚିତଭାବେ ସାମ୍ନାକୁ ଆସିବ। କିନ୍ତୁ ଗତ କିଛି ବର୍ଷ ଧରି ତାଙ୍କର ସେଭଳି କୌଣସି ଉପଲବ୍ଧି ନାହିଁ। ଦୁଇ ଦୁଇ ଥର ଲୋକସଭା ନିର୍ବାଚନରେ କଂଗ୍ରେସ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସେହିଭଳି ବିଧାନ ସଭା ନିର୍ବାଚନରେ ମଧ୍ୟ କଂଗ୍ରେସ ଓ ରାହୁଲ ଗାନ୍ଧୀ ପରିବାରକୁ ବିଶେଷ ସଫଳତା ମିଳିନାହିଁ। କେବଳ ଛତିଶଗଡ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପାଇଁ ରାହୁଲ ଗାନ୍ଧୀ ଯାହା କିଛି ଶ୍ରେୟ ନେଇ ପାରିବେ।ରାଜସ୍ଥାନ, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ଅବଶ୍ୟ ଗୋଟିଏ ସମୟରେ କଂଗ୍ରେସ ସରକାର ଗଠନ କରିଥିଲା। କିନ୍ତୁ କିଛି ମାସର ବ୍ୟବଧାନ ପରେ କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ କଂଗ୍ରେସ ହାତରୁ ଖସି ଯାଇଥିଲା। ରାଜସ୍ଥାନରେ ଯଦିଓ କଂଗ୍ରେସ ସରକାର ବଞ୍ଚି ରହିଗଲା, ଅଶୋକ ଗେହ୍ଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଯେଉଁ ଟଣା ଓଟରା ଚାଲିଲା ତାହା କଂଗ୍ରେସ ନେତୃତ୍ୱରେ ଉପରେ ଖରାପ ପ୍ରଭାବ ପକାଇଲା। ଏସବୁ ଘଟଣାରୁ ଲୋକଙ୍କ ପାଖରେ ଗୋଟିଏ କଥା ସିଧା ସଳଖ ପହଞ୍ଚିଲା ଯେ କ୍ଷମତାରେ ଥାଇ ମଧ୍ୟ ରାହୁଲ ନିଜ ଦଳ ଭିତରେ ଗୋଷ୍ଠୀ କନ୍ଦଳକୁ ରୋକି ପାରୁନାହାଁନ୍ତି।

ଆଉ ପଞ୍ଝାଏ

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ବିଏସପି ପ୍ରମୁଖ ମାୟାବତୀ, ଜେଡିଏସର କୁମାର ସ୍ୱାମୀ,ବାମପନ୍ଥୀ ଦଳର ସିତାରାମ ୟେଚୁରୀ ପ୍ରମୁଖ ବିରୋଧୀ ଦଳର ଗ୍ରହଣୀୟ ଚେହେରା ହେବା ପାଇଁ ଏଥିରେ ଅଛନ୍ତି। କିନ୍ତୁ ବିଜେପିକୁ ସାମ୍ନା କରିବା ପାଇଁ ଏମାନଙ୍କର କାହାର ସାହସ ନାହିଁ। ଏଣୁ ମମତା ବାନାର୍ଜୀ ହିଁ ବିଜେପିକୁ ଟକ୍କର ଦେଇ ପାରିବେ।ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେଉ କି ଯେ କୌଣସି ଜାତୀୟ ପ୍ରସଙ୍ଗ ହେଉ, ବିରୋଧୀଙ୍କ ମଧ୍ୟରେ କେବଳ ଜଣେ ନେତ୍ରୀ ମମତା ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁହଁତୋଡ ଜବାବ ଦେଇ ପାରିବେ ଓ ଦେଇ ଆସିଛନ୍ତି। ନିର୍ବାଚନ ପ୍ରଚାର ବେଳେ ମୋଦି ଯେଉଁଭଳି ବିରୋଧୀ ନେତାଙ୍କୁ କଟାକ୍ଷ କରୁଥିଲେ, ବିଜେପି ନେତାଙ୍କ ଉପରେ ମମତା ବି ସେହିଭଳି ବର୍ଷୁଥିଲେ। ଧାରା ୩୭୦ରୁ ଆରମ୍ଭ କରି ଏନଆରସି, ପଶ୍ଚିମବଙ୍ଗରେ ସିବିଆଇର କାର୍ଯ୍ୟାନୁଷ୍ଠାନ, ମା’ ଦୁର୍ଗା ମୂର୍ତ୍ତି ବିସର୍ଜନ, ଜୟ ଶ୍ରୀ ରାମ ସ୍ଲୋଗାନ ଆଦି ବିଭିନ୍ନ ବିବାଦୀୟ ପ୍ରସଙ୍ଗରେ ମମତା ବିଜେପିକୁ ଟାର୍ଗେଟ କରି ଆସୁଥିଲେ।

ଶାଣ୍ଡିଲ୍ୟ ବ୍ରାହ୍ମଣ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ବିଜେପି ତୃଣମୂଳ କଂଗ୍ରେସ ବିରୁଦ୍ଧରେ ଏକ ସାଙ୍ଘାତିକ ଅଭିଯୋଗ ଆଣିବାକୁ ଯାଇ କହିଥିଲା ଯେ, ମମତା ମୁସଲିମ ସମ୍ପ୍ରଦାୟର ତୁଷ୍ଟିକରଣ କରୁଛନ୍ତି। ଏହାର ଜବାବରେ ମମତା ପ୍ରଚାର ମଞ୍ଚ ଉପରୁ ହିଁ ଘୋଷଣା କରିଥିଲେ ଯେ ସେ ଜଣେ ଶାଣ୍ଡିଲ୍ୟ ବ୍ରାହ୍ମଣ ଓ ଦୁର୍ଗା ସ୍ତୋତ୍ର ପଢ଼ିପାରନ୍ତି। ବାସ୍ତବରେ ସେ ପଢିଥିଲେ ମଧ୍ୟ। ଏଥିସହିତ ସେ ମୁସଲିମ ସମ୍ପ୍ରଦାୟର ଭୋଟରମାନଙ୍କୁ ମଧ୍ୟ ଖୋଲାଖୋଲି ସମର୍ଥନ ଜଣାଇଥିଲେ। ଏହି ସବୁ କାରଣରୁ ମମତା ପୁଣି ଥରେ କ୍ଷମତା ହାସଲ କରିଛନ୍ତି ଓ ମମତାଙ୍କୁ ହଟାଇବା ପାଇଁ ବିଜେପିର ଆଶା ଧୂଳିସାତ ହୋଇଛି। ସୁତରାଂ ଆଗାମୀ ଦିନରେ ମମତା ବାନାର୍ଜୀ ହିଁ ବିଜେପି ବିରୁଦ୍ଧରେ ବିରୋଧୀ ଦଳର ନେତା ମାନଙ୍କୁ ଏକାଠି କରିବାରେ ସଫଳ ହେବେ ଏହା ନିଃସନ୍ଦେହରେ କୁହା ଯାଇପାରେ।

The post ମମତା ଏବେ ବିରୋଧୀ ଦଳର ମାସ୍କଟ appeared first on OdishaLIVE.


Viewing all articles
Browse latest Browse all 11715

Trending Articles