ଓଡ଼ିଶାଲାଇଭ୍ ବ୍ୟୁରୋ![]()
ଓଡ଼ିଶାରେ ଅଠରରୁ ୪୪ ବର୍ଷୀୟ ଲୋକଙ୍କୁ କରୋନା ଟିକା ଦେବା ନେଇ ଅନିଶ୍ଚିତ ଅବସ୍ଥା ସୃଷ୍ଟି ହୋଇଛି। ଟିକା ପ୍ରସ୍ତୁତକାରୀଙ୍କ ପକ୍ଷରୁ କୌଣସି ପ୍ରତିଶ୍ରୁତି ନମିଳିବା ଯୋଗୁଁ ଏହି ଅବସ୍ଥା ଦେଖା ଦେଇଛି। ରାଜ୍ୟକୁ କେବେ ସୁଦ୍ଧା ଟିକା ଯୋଗାଇ ଦିଆଯିବ ଓ କେତେ ପରିମାଣରେ ଟିକା ମିଳିବ ସେ ନେଇ ଏବେ କିଛି କହି ପାରୁନାହାନ୍ତି।
ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ‘‘ଟିକା କମ୍ପାନି ସହ ବରାବର ସମ୍ପର୍କ ରଖା ଯାଇଛି। ମୁଁ ନିଜେ ଭାରତ ବାୟୋଟେକ ଓ ସେରମ ଇନଷ୍ଟିଚ୍ୟୁଟର ସିଇଓଙ୍କ ସହ କଥାବାର୍ତ୍ତା ହୋଇଛି। ଉଭୟ ସଂସ୍ଥାର କହିବା କଥା ଟିକାର ଉପଲବ୍ଧି ଉପରେ ଓଡ଼ିଶାକୁ ଯୋଗାଣ ନିର୍ଭର କରିବ’’।
ସେ ଆହୁରି କହିଛନ୍ତି, ‘‘ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରାୟ ୪ କୋଟି ଡୋଜ ଟିକା ଅର୍ଡର କରାଯାଇଛି। ଏଥିରୁ କୋଭିସିଲ୍ଡ ହେଉଛି ୩ କୋଟି ୯୦ ଲକ୍ଷ ଓ କୋଭାକ୍ସିନ ୧୦ ଲକ୍ଷ ଡୋଜ୍। କୋଭିସିଲ୍ଡକୁ ରାଜ୍ୟର ବାକି ଜିଲ୍ଲାରେ ଦିଆଯିବ। କୋଭାକ୍ସିନ କେବଳ ଭୁବନେଶ୍ୱରବାସୀଙ୍କୁ ମିଳିବ।
ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ କୋଭାକ୍ସିନ ଟିକା ହୁଏତ ଆସିବାରେ କୌଣସି ଅସୁବିଧା ନାହିଁ।,କିନ୍ତୁ କୋଭିସିଲ୍ଡ ଟିକା ଆସିବାକୁ ଅଧିକ ସମୟ ଲାଗିବ। ସମ୍ଭବତଃ ମେ’ ୧୫ ତାରିଖ ସୁଦ୍ଧା ମଧ୍ୟମ ବୟସ୍କ ଲୋକେ ଟୀକା ନେବା ଆରମ୍ଭ କରିବେ। ମହାପାତ୍ର କହିଛନ୍ତି ଯେ କୋଭାକ୍ସିନ ଟିକା ଯଦି ଠିକ ସମୟରେ ଆସେ ତେବେ ଭୁବନେଶ୍ୱର ଲୋକଙ୍କ ପାଇଁ ଏହାକୁ ମିଶନ ମୋଡ୍ରେ ଦିଆଯିବ। ଫଳରେ ୪୫ ଦିନ ମଧ୍ୟରେ ରଜଧାନୀର ସମସ୍ତ ଲୋକ ଟିକା ନେଇ ସାରିଥିବେ।
୧୮-୪୪ ବର୍ଗର ଲୋକଙ୍କ ପାଇଁ ପଞ୍ଜୀକରଣ ସକାଶେ ବୁଧବାର ଦିନ କୋ -ଉଇନ ଆପ ଖୋଲିଛି। ଅପରାହ୍ନ ୪ଟାରେ ଆପ ଖୋଲିବା ମାତ୍ରେ ଓଡ଼ିଶାରୁ ବେଶ ସଂଖ୍ୟକ ଲୋକ ଟିକା ପାଇଁ ନିଜ ନାମ ପଞ୍ଜିକରଣ କରିଛନ୍ତି।
The post ଓଡ଼ିଶାରେ ୧୮-୪୪ ବର୍ଷ ଲୋକଙ୍କୁ ଟିକା ନେଇ ଅନିଶ୍ଚିତତା appeared first on OdishaLIVE.