ଓଡ଼ିଶାଲାଇଭ୍ ବ୍ୟୁରୋ![]()
ପିପିଲି ଉପନିର୍ବାଚନ ପାଇଁ ବିଜେପି ଗୁରୁବାର ପ୍ରାର୍ଥୀ ଘୋଷଣା କରିଥିଲା ବେଳେ ଶୁକ୍ରବାର ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛି। ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ବିଜେଡି ଏହି ଆସନରେ କାହାକୁ ପ୍ରାର୍ଥୀ କରିବ ଏହାକୁ ନେଇ ବେଶ୍ କଳ୍ପନା ଜଳ୍ପନା ଲାଗି ରହିଥିଲା। ପ୍ରଦୀପ ମହାରଥୀଙ୍କ ଅନ୍ତେ ତାଙ୍କ ପତ୍ନୀ ପ୍ରତିଭା ନା ତାଙ୍କ ପୁଅ ରୁଦ୍ରଙ୍କୁ ଟିକେଟ ମିଳିବ ସେନେଇ ଚର୍ଚ୍ଚା ଜୋର ହେଉଥିଲା। ଏବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ଓ ରୁଦ୍ରପ୍ରତାପ ପ୍ରାର୍ଥୀ ହୋଇଛନ୍ତି।
ତେବେ ପିପିଲିରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଯୁବ ନେତା ହୋଇଥିବାରୁ ତାଙ୍କୁ ଟକ୍କର ଦେବା ଲାଗି ଦଳ ରୁଦ୍ରଙ୍କୁ ପ୍ରାର୍ଥୀ କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
୨୦୦୦ ମସିହାରୁ ଏଯାବତ ପିପିଲିରୁ ବିଜେଡି ଟିକେଟରେ ପ୍ରଦୀପ ମହାରଥୀ ହିଁ ନିର୍ବାଚନ ଜିତି ଆସୁଥିଲେ। ତେଣୁ ମହାରଥୀଙ୍କ ମୃତ୍ୟୁ ପରେ ତାଙ୍କ ପୁଅଙ୍କୁ ଟିକେଟ ଦେଇ ଗଡ଼ ବଜାୟ ରଖିବାକୁ ବିଜେଡି ପ୍ରୟାସ କରିଛି।
‘‘ମୋ ଉପରେ ମୋ ମା’ଙ୍କ ଆଶୀର୍ବାଦ ରହିଛି। ମୁଁ ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରା କରିବି। ଦଳ ମୋ ଉପରେ ବିଶ୍ୱାସ ଦେଖାଇଥିବାରୁ ଧନ୍ୟବାଦ। ମୁଁ ନିଶ୍ଚୟ ଭଲ କାମ କରିବି’’, ପ୍ରାର୍ଥୀ ଭାବେ ନାଁ ଘୋଷଣା ହେବା ପରେ ଗଣମାଧ୍ୟମକୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ରୁଦ୍ରପ୍ରତାପ।
ଏପ୍ରିଲ ୧୭ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ। ମେ’ ୨ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ତେବେ ବିଜେଡି, ବିଜେପି ପ୍ରାର୍ଥୀ ଘୋଷଣା କରିସାରିଥିଲା ବେଳେ କଂଗ୍ରେସ କିନ୍ତୁ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ।
The post ପିପିଲିରେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପଙ୍କୁ ପ୍ରାର୍ଥୀ କଲା ବିଜେଡି appeared first on OdishaLIVE.