Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ପରିବେଶ ପ୍ରେମରେ ଦିବ୍ୟା – ଖବରକାଗଜରୁ ତିଆରି କରୁଛନ୍ତି ଇକୋଫ୍ରେଣ୍ଡଲି ବ୍ୟାଗ୍

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଖବରକାଗଜରୁ ଇକୋଫ୍ରେଣ୍ଡଲି ପେପର ବ୍ୟାଗ୍ ତିଆରି କରି ସ୍ୱାବଲମ୍ବୀ ହୋଇପାରିଛନ୍ତି କେରଳର କୋଚୀନ ସହରରେ ରହୁଥିବା ଜଣେ ମହିଳା। ତାଙ୍କ ନାମ ହେଉଛି ଦିବ୍ୟା ତୋମସ। ପରିବେଶରେ ଉପରେ ପ୍ରଭାବ ପକାଉଥିବା ପ୍ଲାଷ୍ଟିକର ବ୍ୟବହାରକୁ ରୋକିବା ପାଇଁ ୨୦୦୮ ମସିହାର ସେ ଏହି ବ୍ୟବସାୟ ଆରମ୍ଭ କରିଥିଲେ। ଖାଲି ପେପର ବ୍ୟାଗ୍ ନୁହେଁ, ତା’ସହିତ ଦିବ୍ୟା ପ୍ରସ୍ତୁତ କରୁଛନ୍ତି, ଡବା, କାର୍ଡ଼, ଗିପ୍ଟ କଭର୍‌, ପେପର-ପେନ୍ ଇତ୍ୟାଦି।

ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ଖବରକାଗଜକୁ, ଲୋକ ପଢ଼ି ସାରିବାପରେ ଫୋପାଡ଼ି ଦେଇଥାନ୍ତି କିମ୍ବା ଜାଳି ଦେଇଥାନ୍ତି। କିନ୍ତୁ କେରଳର ଏହି ମହିଳା ଜଣଙ୍କ କରି ଦେଖାଇଛନ୍ତି କିଛି ଅଲଗା। ନିଜ ବୁଦ୍ଧିକୁ ପ୍ରୟୋଗ କରି ସେଥିରେ ତିଆରି କରୁଛନ୍ତି ସବୁଦିନ ବ୍ୟବହାର କରାଯାଉଥିବା ସାମଗ୍ରୀ।

ନିଜ ଘରେ ବସି ଖବରକାଗଜରେ ୧୦୦ରୁ ଅଧିକ ଭେରାଇଟର ସାମଗ୍ରୀ ପ୍ରସ୍ତୁତ କରିପାରୁଛନ୍ତି ଏହି ମହିଳା ଜଣଙ୍କ। ସେ ନିଜେ ରୋଜଗାରକ୍ଷମ ହେବା ସହ ତାଙ୍କ ଘର ପାଖ ମହିଳା ଓ ତାଙ୍କ ସାଙ୍ଗମାନଙ୍କୁ କାମ ଯୋଗାଇ ପାରିଛନ୍ତି ଦିବ୍ୟା। ଲକ୍‌ଡାଉନ୍ ପୂର୍ବରୁ ସେ ବିଭିନ୍ନ ଆଶ୍ରମ ଓ ଜେଲ୍‌ରେ ଥିବା ମହିଳା କଏଦୀଙ୍କୁ ପେପର ବ୍ୟାଗ୍ ପ୍ରସ୍ତୁତି ପାଇଁ ତାଲିମ ଦେଉଥିଲେ। ୨୦୦୮ ମସିହାରେ ୫ଜଣ ମହିଳାଙ୍କୁ ନେଇ ସେ ପ୍ରଥମେ ଏହି କାମ ଆରମ୍ଭ କରିଥିଲେ। ପରେ ଏଥିରେ ଯୋଡ଼ି ହୋଇଥିଲେ ପାଖାପାଖି ୭୫ ଜଣ ମହିଳା। ୫୦୦ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସେ ପେପେର ବ୍ୟାଗ୍ ପ୍ରସ୍ତୁତି ସମ୍ବନ୍ଧୀୟ ତାଲିମ ମଧ୍ୟ ଦେଇସାରିଛନ୍ତି।

କେବେ ଦିବ୍ୟାଙ୍କ ମନରେ ଆସିଥିଲା ଯୋଜନା :

ଥରେ ଦିବ୍ୟା ବେଙ୍ଗଲୁରୁର ଏକ ୱାର୍କସପ୍‌କୁ ଯାଇଥିଲେ। ସେହିଠାରୁ ସେ ପେପେର ବ୍ୟାଗ୍ ସମ୍ବନ୍ଧରେ ଜାଣିବାକୁ ପାଇଥିଲେ। ୱର୍କସପ୍‌ରେ ଦିବ୍ୟା ନିଜେ ଘରେ ବସି ପୁରୁଣା ପେପରରୁ ବ୍ୟାଗ ତିଆରି କରିବେ ବୋଲି ଭାବିଥିଲେ, କିନ୍ତୁ ଆରମ୍ଭ କରିପାରିନଥିଲେ।

ଦିନେ ଦିବ୍ୟା ତାଙ୍କର ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲେ। ଘରେ କ୍ଷୀର ନାହିଁ କହି ତାଙ୍କ ବନ୍ଧୁ ଚା’ ଦେବାକୁ ମନା କରିଦେଇଥିଲେ। ପରେ ଦିବ୍ୟା ଜାଣିବାକୁ ପାଇଲେ ଯେ, ତାଙ୍କ ବନ୍ଧୁଙ୍କ ପାଖରେ ବାହାରୁ କ୍ଷୀର କିଣି ଆଣିବା ପାଇଁ ଅର୍ଥର ଅଭାବ ଥିଲା, ତେଣୁ ତାହାକୁ ଲୁଚାଇବାକୁ ଯାଇ ସେ ଏମିତି କହିଥିଲେ। ସେହିଦିନ ଠାରୁ ଦିବ୍ୟା ପେପର ବ୍ୟାଗ୍ ତିଆରି କରିବାକୁ ସ୍ଥିର କଲେ। ତାଙ୍କ ବନ୍ଧୁଙ୍କ ସମେତ ଅନ୍ୟ ୪ଜଣ ମହିଳାଙ୍କୁ ଏକାଠି କରି ପୁରୁଣା ପେପର ସଂଗ୍ରହ କରିବା ଆରମ୍ଭ କଲେ। ପ୍ରଥମେ ଦିବ୍ୟା ସେମାନଙ୍କୁ ତାଲିମ ଦେଲେ ଓ ପରେ ପ୍ରତିଦିନ ନିଜ ନିଜ ଘରେ ୩ଘଣ୍ଟା ଲେଖାଏଁ ବସି ପ୍ରସ୍ତୁତ କଲେ ପେପର ବ୍ୟାଗ୍। ଦିନକୁ ୧୨୦ ଟଙ୍କା ରୋଜଗାର ହୋଇପାରୁଥିଲା ଏହି ପେପର ବ୍ୟାଗ୍‌ରୁ।

ପେପର ବ୍ୟାଗ୍ ବ୍ୟତୀତ ଅଲଗା ସାମଗ୍ରୀ ପ୍ରସ୍ତୁତ :

ଖାଲି ପେପର ବ୍ୟାଗ୍ ନୁହେଁ ଏଥିସହ ଅନ୍ୟାନ୍ୟ ଘରଉପକରଣ ସାମଗ୍ରୀ ତିଆରି କରୁଛନ୍ତି ଦିବ୍ୟା ଓ ତାଙ୍କ ଟିମ୍। କେବଳ ପେପର ସମାଗ୍ରୀରେ ଅଧିକ ରୋଜଗାର ହୋଇପାରିବ ନାହିଁ। ଏଥିପାଇଁ ଆଉ କିଛି ନୂଆ ନୂଆ ସାମଗ୍ରୀ ପ୍ରସ୍ତୁତ କରିବାକୁ ଭାବିଲେ ଦିବ୍ୟା। ପରେ ଅଲଗା ଅଲଗା ଆକାରର ଡବା, ଗିପ୍ଟ ପ୍ୟାକିଂ ର‌୍ୟାପର, ପେନ୍‌, ଘର ସଜେଇବା ପାଇଁ ଫୁଲ, କ୍ୟାଣ୍ଡେଲ ଇତ୍ୟାଦି ତିଆରି କରିବା ଆରମ୍ଭ କରିଦେଲେ।

ଦିବ୍ୟା ପ୍ରସ୍ତୁତ କରୁଥିବା ସାମଗ୍ରୀର ଗୁଣବତ୍ତା ଓ ଇକୋ ଫ୍ରେଣ୍ଡଲି ଯୋଗୁଁ ତାଙ୍କୁ ଅନେକ ସଫଳତା ମିଳିଛି। କେରଳ ସରକାର ପ୍ଲାଷ୍ଟିକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ ସେମାନେ ବାୟୋଡିଗ୍ରେବୁଲ କଚରା ବ୍ୟାଗ ପ୍ରସ୍ତୁତ କରିବା ମଧ୍ୟ ଆରମ୍ଭ କରିଦେଲେ। ଏଥିରେ ତାଙ୍କୁ ସଫଳତା ମଧ୍ୟ ମିଳିଲା।

ଏବେ ଦିବ୍ୟାଙ୍କ ସାମଗ୍ରୀକୁ ଖାଲି ଭାରତ ବର୍ଷରେ ବ୍ୟବହାର କରାଯାଉ ନାହିଁ, ତା’ ସହିତ ପ୍ରାନ୍ସ, ଦୁବାଇ ଏବଂ ଆମେରିକାକୁ ମଧ୍ୟ ରପ୍ତାନୀ କରାଯାଉଛି। ଦିବ୍ୟା ଜଣେ ସଫଳ ଉଦ୍ୟୋଗୀ ହେବା ସହ ଅନେକ ମହିଳାଙ୍କୁ ରୋଜଗାର ଯୋଗାଇ ପାରିଥିବାରୁ, ସେ ବହୁତ ଖୁସି ଅଛନ୍ତି।

The post ପରିବେଶ ପ୍ରେମରେ ଦିବ୍ୟା – ଖବରକାଗଜରୁ ତିଆରି କରୁଛନ୍ତି ଇକୋଫ୍ରେଣ୍ଡଲି ବ୍ୟାଗ୍ appeared first on OdishaLIVE.


Viewing all articles
Browse latest Browse all 11715

Trending Articles