ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ-ପୁରୀ ବାଇପାସ୍ ରୋଡ଼ରେ ହୋଇଛି ଆଲୋକୀକରଣ ବ୍ୟବସ୍ଥା। ପଳାଶୁଣୀ ଛକଠାରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ଏଲ୍ଇଟି ଷ୍ଟ୍ରିଟ୍ଲାଇଟ ଦ୍ଵାରା ଆଲୋକୀକରଣ କରାଯାଇଛି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁକୁ ଲୋକାର୍ପିତ କରିଛନ୍ତି।
କଟକ-ପୁରୀ ବାଇପାସ୍ ରୋଡ଼ରେ ପଳାଶୁଣୀ ଛକଠାରୁ ଲିଙ୍ଗିପୁର ଛକ ମୋଟ୍ ୧୨ କିଲୋମିଟର ରାସ୍ତାରେ ୭୭୪ଟି ଏଲଇଡି ଷ୍ଟ୍ରିଟ ଲାଇଟ ଲଗାଯାଇଛି। ଏଥିସହ ୩ଟି ହାଇମାଷ୍ଟ ଲାଇଟର ମଧ୍ୟ ବ୍ୟବସ୍ଥା କରାଯାଇଛି।ଏହା ଦ୍ଵାରା ବିଦ୍ୟୁତ ଶକ୍ତି ଖର୍ଚ୍ଚ କମିବା ସହିତ ଜନସାଧାରଣ ବିଶେଷକରି ଗାଡିଚାଳକ ଓ ପଥଚାରୀମାନଙ୍କ ଯାତାୟତ ଅଧିକ ନିରାପଦ ହେବ। ଉତ୍ତମ ଆଲୋକୀକରଣ ବ୍ୟବସ୍ଥା ଦ୍ଵାରା ସଡକ ଦୁର୍ଘଟଣା କମିବା ସହିତ ଚୋରି ଓ ଲୁଟପାଟ ଭଳି ଅପରାଧିକ କାର୍ଯ୍ୟକଳାପ ମଧ୍ୟ କମିପାରିବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।
ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଏଥିରେ ୩୮୭ଟି ଖୁଣ୍ଟିରେ ୧୨୦ ୱାଟ ବିଶିଷ୍ଟ ୭୭୪ଟି ଏଲ୍ଇଡି ଲାଇଟ ଲଗାଯାଇଛି ଏବଂ ଲିଙ୍ଗିପୁର, କେଶୁରା ଓ ପାଣ୍ଡରା ଠାରେ ୩ଟି ହାଇମାଷ୍ଟ ଲାଇଟ ଲଗାଯାଇଛି। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨.୮୫ କୋଟି ଟଙ୍କା ବ୍ୟୟ କରାଯାଇଛି।ଭୁବନେଶ୍ଵର ମହାନଗର ଅଞ୍ଚଳ ମଧ୍ୟରେ ନିଗମ ପକ୍ଷରୁ ଉଜ୍ଜଳ ଆଲୋକୀକରଣ କାର୍ଯ୍ୟକ୍ରମ ଜାରି ରହିଛି। ବର୍ତ୍ତମାନ ସହରର ବିଭିନ୍ନ ସ୍ଥାନରେ ୪୦ ହଜାରରୁ ଅଧିକ ଲାଇଟ ଲଗାଯାଇଛି। ଖୁବ୍ଶୀଘ୍ର ଅଧିକ ଆଲୋକୀକରଣ ପାଇଁ ଆଉ ୬.୭ କୋଟି ଟଙ୍କା ବିନିଯୋଗ କରାଯିବା ନେଇ ସୂଚନା ମିଳିଛି।
ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଭୁବନେଶ୍ଵରର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ। ମ୍ୟୁନିସପାଲ ଆଡମିନିଷ୍ଟ୍ରେସନର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସ୍ଵାଗତ ଭାଷଣ ଦେଇଥିବା ବେଳେ ମହାନଗର ନିଗମର କମିସନର ପ୍ରେମଚନ୍ଦ ଚୌଉଧାରୀ ଧନ୍ୟବାଦ ଅର୍ପଣ କରିଥିଲେ।
The post ଆଲୋକୀକରଣ ହେଲା କଟକ-ପୁରୀ ବାଇପାସ୍ ରୋଡ୍, ମୁଖ୍ୟମନ୍ତ୍ରୀ କଲେ ଲୋକାର୍ପଣ appeared first on OdishaLIVE.