ଓଡ଼ିଶାଲାଇଭ୍ ବ୍ୟୁରୋ
ମାଇକ୍ରୋସଫ୍ଟ ଟେକ୍ନୋଲୋଜି ଆସୋସିଏଟ (ଏମଟିଏ) ପରୀକ୍ଷାରେ ବିରଳ କୃତିତ୍ଵ ହାସଲ କରିଛନ୍ତି ବଲାଙ୍ଗିରର ବାଳକ ଭେଙ୍କଟ ରମଣ ପଟ୍ଟନାୟକ। ମାତ୍ର ୭ ବର୍ଷ ବୟସରେ ଏହି ବିଶ୍ଵସ୍ତରୀୟ ପରୀକ୍ଷାରେ ପ୍ରମାଣପତ୍ର ଅର୍ଜନ କରି ଏବେ ବେଶ୍ ଚର୍ଚ୍ଚାକୁ ଆସିଛନ୍ତି ଭେଙ୍କଟ। ଏହି କୃତି ପାଇଁ ଭେଙ୍କଟଙ୍କୁ ଏବେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।
ମାଇକ୍ରୋସଫ୍ଟର ଜାଭା, ପାଇଥନ, ଜାଭାସ୍କ୍ରିପ୍ଟ୍, ଏଚ୍ଟିଏମ୍ଏଲ୍ ଏବଂ ସିଏସ୍ଏସ୍ ଆଦି ବିଷୟ ଅଧ୍ୟୟନ କରି ଫୁଲ୍ ଷ୍ଟକ୍ ଡେଭଲପର୍ର ପ୍ରମାଣପତ୍ର ଅର୍ଜନ କରିଛନ୍ତି ଭେଙ୍କଟ। ସାରା ଦେଶରେ ସର୍ବକନିଷ୍ଠ ପିଲା ଭାବେ ଭେଙ୍କଟ ଏହି ପ୍ରମାଣପତ୍ର ହାସଲ କରିବାରେ ସଫଳ ହୋଇପାରିଛନ୍ତି।
“ଭେଙ୍କଟ ୨୦୧୯ ମହସିହା ମାର୍ଚ୍ଚ ମାସରେ ଅନଲାଇନ ପ୍ଲାଟଫର୍ମ ହ୍ଵାଇଟହାଟ ଜୁନିଅର କ୍ଲାସରେ ସାମିଲ ହୋଇଥିଲେ। ୧୬୦ ଦିନ ଧିର ସେ ଏହି କୋର୍ସ କରିଥିଲେ। କିନ୍ତୁ କ୍ଲାସର ପ୍ରଥମ ଦିନରୁ ହିଁ ସେ ମାଇକ୍ରୋସଫ୍ଟର କୋଡିଙ୍ଗ ଭଳି ବିଷୟକୁ ସହଜରେ ବୁଝିପାରିଥିଲେ। ତେଣୁ ଭେଙ୍କଟଙ୍କ ଏହି କୃତି ବିରଳ”, କହିଛନ୍ତି ଭେଙ୍କଟଙ୍କ ଶିକ୍ଷକ ଜତିନ୍ଦର କୌର।“ଦୈନିକ ୮ ଘଣ୍ଟା ପାଠ ପଢୁଥିଲେ ଭେଙ୍କଟ। ୬ ମାସ ଭିତରେ ମାଇକ୍ରୋସଫ୍ଟର ବିଭିନ୍ନ ଆପ୍ଲିକେସନଗୁଡ଼ିକୁ ସେ ଅଧ୍ୟୟନ କରୁଥିଲେ। ଏହାପରେ ଯାଇ ସେ ଏମଟିଏ ପରୀକ୍ଷାରେ ସଫଳ ହୋଇପାରିଛନ୍ତି”, କହିଛନ୍ତି ଭେଙ୍କଟଙ୍କ ବାପା କୂଳଦୀପ ପଟ୍ଟନାୟକ ଏବଂ ମାଆ ପ୍ରମିଳା କୁମାରୀ।
ଭେଙ୍କଟଙ୍କୁ ଯେତେବେଳେ ୬ ବର୍ଷ ହୋଇଥିଲା ସେବେଠାରୁ ସେ କମ୍ପ୍ୟୁଟରର ବିଭିନ୍ନ ବିଷୟ ପ୍ରତି ମନ ବଳାଇ ଥିଲେ। ମାତ୍ର ୬ ମାସ ଭିତରେ ସେ ୧୫୦ ପ୍ରକାରର ମୋବାଇଲ ଆପ୍ଲିକେସନ ଏବଂ ରୋବୋଟିକ୍ ଗେମ ପ୍ରସ୍ତୁତ କରିଥିଲେ। ଏଥିସହିତ ଛୋଟ ପିଲାଙ୍କ ସେ କିଛି ବ୍ୟବହାରିକ ମୋବାଇଲ ଆପ୍ ମଧ୍ୟ ବିକଶିତ କରିଥିବା ଭେଙ୍କଟଙ୍କ ପିତାମାତା କହିଛନ୍ତି।
ସେହିପରି ଗ୍ୟାସ୍ ସିଲିଣ୍ଡର ଦ୍ଵାରା ହେଉଥିବା ଦୁର୍ଘଟଣାକୁ ରୋକିବା ପାଇଁ ଏକ ସ୍ଵତନ୍ତ୍ର ଟୁଲ୍ ବିକଶିତ କରିଥିଲେ ଭେଙ୍କଟ। ଏଥିପାଇଁ ‘ଇଣ୍ଡିଆ ବୁକ୍ ଅପ୍ ରେକର୍ଡସ୍’ରେ ତାଙ୍କ ନାମ ସ୍ଥାନ ପାଇଥିଲା। ଭବିଷ୍ୟତରେ ମହାକାଶ ବିଜ୍ଞାନ, କମ୍ପ୍ୟୁଟର ପ୍ରୋଗ୍ରାମିଂ ଏବଂ ରୋବୋଟିକ ବିଷୟରେ ଉଚ୍ଚ ଶିକ୍ଷା କରିବାକୁ ଇଚ୍ଛା ରଖିଛନ୍ତି ଭେଙ୍କଟ।
The post ବିଶ୍ଵସ୍ତରୀୟ ଏମଟିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ବଲାଙ୍ଗିରର ୭ ବର୍ଷର ବାଳକ appeared first on OdishaLIVE.